Advertisment

୨୦୨୨ରେ ସଂଶୋଧନ ହୋଇଛି ୨ ଲକ୍ଷ ଜମିଜମା ରେକର୍ଡ : ମନ୍ତ୍ରୀ

୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି।

author-image
Ordigital Desk
ଅଦ୍ୟତନ ହୋଇଛି
pramila mallik

pramila mallik

୨୦୨୨ ମସିହାରେ ପ୍ରାୟ ୨ଲକ୍ଷ ଜମିଜମା ରେକର୍ଡ ସଂଶୋଧିତ ହୋଇ ନାଗରିକଙ୍କ ନିକଟକୁ ସ୍ପିଡ୍ ପୋଷ୍ଟ ଅବା ରାଜସ୍ୱ ରଥ ମାଧ୍ୟମରେ ପାଖରେ ପହଂଚାଇ ଦିଆଯାଇଛି । ‘ଫାଇଭ-ଟି’ ଓ ‘ମୋ ସରକାର’ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅଧିକ ଲୋକାଭିମୁଖୀ କରାଯାଇ ପାରିଛି ବୋଲି ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Advertisment

୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି । ଭୂରାଜସ୍ୱ ପ୍ରଶାସନରେ ସମୁଦାୟ ଭାବରେ ୧୫୮୬.୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେ ମଧ୍ୟରୁ ୧୧୬୪.୭୧ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ ୪୨୨.୦୧ କୋଟି ଟଙ୍କା ପ୍ରୋଗ୍ରାମ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି। ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଆରମ୍ଭ କରାଯାଇଛି । ସେହିଭଳି ସୁବିଧାରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି । ରେଜିଷ୍ଟ୍ରେସନ୍ ଅଫିସକୁ ଆଇଟିଭିତ୍ତିକ କରିବା ସହ ସରକାରୀ ଜମିର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ରାଜସ୍ୱ ନିରୀକ୍ଷକଙ୍କ ତାଲିମ, ମାନବ ସମ୍ବଳ ନିଯୁକ୍ତ କରିବା ପ୍ରକ୍ରିୟା, ଜମିଦାରୀ ଉଚ୍ଛେଦ ନିମନ୍ତେ ଜମି ମାଲିକଙ୍କୁ କ୍ଷତିପୂରଣ ଓ ଜନଗଣନା ନିମନ୍ତେ ସେଣ୍ଟ୍ରାଲ ସ୍କିମ ମାଧ୍ୟମରେ ଆବଶ୍ୟକ ଅର୍ଥର ବରାଦ ହୋଇଛି। 

ସେହିପରି ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ, ‘୫-ଟି’ ଚାର୍ଟର ଏବଂ ‘ମୋ ସରକାର’ କାର୍ଯ୍ୟକାରୀ ପରେ ରାଜସ୍ୱ ବିଭାଗରେ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତି ହ୍ରାସ ସହ ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିବାର ଆବଶ୍ୟକତାକୁ କମ୍ କରିବାକୁ ଏକାଧିକ ପଦକ୍ଷେପ ନେଇଛି । ବିଭାଗ ପ୍ରଦାନ କରୁଥିବା ବହୁବିଧ ସେବାଗୁଡ଼ିକ ମଧ୍ୟରୁ କେବଳ ବୈଧାନିକ ଆବଶ୍ୟକତାକୁ ଛାଡ଼ି ଅଧିକାଂଶ ସେବା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଉପଲବ୍ଧ ଅଟେ।

Advertisment

ଜମିଜମା ରେକର୍ଡ ସେବା କ୍ଷେତ୍ରରେ ଧାର୍ଯ୍ୟ ସମୟସୀମାକୁ ପ୍ରକ୍ରିୟା ପୁନର୍ବିନ୍ୟାସ ଏବଂ ପ୍ରଚଳିତ ନିୟମରେ ସଂଶୋଧନ ଦ୍ୱାରା ହ୍ରାସ କରାଯାଇଛି । ସେହିଭଳି ବାସିନ୍ଦା ଏବଂ ଆୟ ପ୍ରମାଣପତ୍ରର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି । ଗତ ୩ ବର୍ଷରେ ‘୫-ଟି’ ଚାର୍ଟର ପ୍ରବର୍ତ୍ତନ ପରେ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୫୦ ଲକ୍ଷ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନଭେମ୍ବର ୨୦୨୨ ମାସରୁ ୮୦ ଟି ତହସିଲରେ ଭର୍ଚୁଆଲ୍ କୋର୍ଟ ଆରମ୍ଭ ହୋଇଛି ଏବଂ ପ୍ରାୟ ୩୦୦୦ ମାମଲା ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଶୁଣାଣି ପରେ ଫଇସଲା ହୋଇଛି।

୨୦୨୩ ଏପ୍ରିଲ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ୍ କୋର୍ଟ ଆରମ୍ଭ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ନିକୁଞ୍ଜବିହାରୀ ଧଳ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଏବଂ ବିପଦ ହ୍ରାସ ପାଇଁ ୨୦୨୩-୨୪ ବର୍ଷରେ ରାଜ୍ୟ ବଜେଟରେ ୩୭୬୪.୨୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

Odisha Naveen Govt. Odisha Politics Pramila Mallick