ଓଡ଼ିଶା ୱାନ୍ ପୋର୍ଟାଲରେ ମିଳିବ ୬୫୦ଟି ଡିଜିଟାଲ ସେବା, ସବୁ ପଂଚାୟତକୁ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ

ଗ୍ରାମପଂଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକରେ ଭିଡିଓ କନଫରେନସିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମସ୍ତ ପଂଚାୟତ କାର୍ଯ୍ୟାଳୟ ପାଇଁ ୧ ଜିବିପିଏସ୍ ଉଚ୍ଚ-ବ୍ୟାଣ୍ଡୱିଡଥ୍ ଯୋଗାଇ ଦିଆଯିବ ।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଭାଗୀୟ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର

  • Published: Saturday, 04 March 2023
  • , Updated: 04 March 2023, 09:17 PM IST

ଗ୍ରାମାଂଚଳ ଓ ସହର ମଧ୍ୟରେ ପାର୍ଥକ୍ୟକୁ ହ୍ରାସ ପାଇଁ ରାଜ୍ୟର ସବୁ ପଂଚାୟତରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଯିବ । ଏହାସହିତ ଓଡ଼ିଶା ୱାନ୍ ପୋର୍ଟାଲରେ ୫୫୦ ପରିବର୍ତ୍ତେ ୬୫୦ଟି ସରକାରୀ ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଭାଗୀୟ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ଯେ, ଗ୍ରାମପଂଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକରେ ଭିଡିଓ କନଫରେନସିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମସ୍ତ ପଂଚାୟତ କାର୍ଯ୍ୟାଳୟ ପାଇଁ ୧ ଜିବିପିଏସ୍ ଉଚ୍ଚ-ବ୍ୟାଣ୍ଡୱିଡଥ୍ ଯୋଗାଇ ଦିଆଯିବ । ଫଳରେ ପଂଚାୟତ ନିକଟସ୍ଥ ସରକାରୀ ସଂସ୍ଥା ଯଥା- ସ୍କୁଲ, ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ବିତରଣ କରାଯାଇପାରିବ । ବ୍ରଡବ୍ୟାଣ୍ଡ ସଂଯୋଗ ଫଳରେ ଗ୍ରାମାଂଚଳ ଏବଂ ସହର ମଧ୍ୟରେ ପାର୍ଥକ୍ୟକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସରକାରୀ ସେବାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ବିତରଣକୁ ସୁନିଶ୍ଚିତ କରିବା ପାଇଁ ‘ମୋ ସେବାକେନ୍ଦ୍ର’ ପ୍ରତିଷ୍ଠା କରାଯାଇଛି ଏବଂ ପଂଚାୟତ ସ୍ତରରେ ‘ମୋ ସେବା କେନ୍ଦ୍ର ’କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିସହିତ ସାଇବର ଆଟାକରୁ ସରକାରୀ ତଥ୍ୟଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଏବେ ନାଗରିକମାନଙ୍କୁ ଓଡ଼ିଶା ୱାନ୍ ପୋର୍ଟାଲ ଜରିଆରେ ଯୋଗାଇ ଦିଆଯାଉଥିବା ୫୫୦ଟି ସେବାକୁ ୬୫୦କୁ ଉନ୍ନୀତ କରିବାକୁ ଚେଷ୍ଟା ଜାରି ରହିଛି ।

ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ‘ଓସ୍ୱାସ୍‌’ ପରି ଏକ ପ୍ଲାଟଫର୍ମ ଅଛି । ସମସ୍ତ ବିଭାଗକୁ ୱସ୍ୱାସରେ ସଂଯୋଗ କରାଯିବା ସହିତ ଇ-ଡେସପାଚ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ୱସ୍ୱାସ୍ ଜରିଆରେ ଟେକ୍ନୋଲୋଜିର ଦକ୍ଷ ଉପଯୋଗ ପାଇଁ ବଜେଟରେ ୧୯.୭୫ କୋଟି ଟଙ୍କା ଆବଂଟନ କରାଯାଇଛି । ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍ ପ୍ରତିଷ୍ଠାର ଯୋଜନା ହୋଇଛି । ଏହି ଷ୍ଟେସନ୍ ପ୍ରତିଷ୍ଠା ଦ୍ୱାରା ଡାଟା ସେଂଟର, ଚିତ୍ତ ବିନୋଦନ, ଦୂରସଂଚାର ଏବଂ ଫିନଟେକର ବଜାରକୁ ସଶକ୍ତ କରିବ । ଯାହାଦ୍ୱାରା ଓଡ଼ିଶା ପୂର୍ବଭାରତ, କେନ୍ଦ୍ରୀୟ ତଥା ଉତ୍ତର- ପୂର୍ବ ଭାରତ ପାଇଁ ଏକ ଡିଜିଟାଲ ହବ୍ ଭାବେ ଛିଡ଼ା ହୋଇପାରିବ ।

ସେହିପରି ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ପାୱାର ପଏଂଟ ପ୍ରେଜେଣ୍ଟେସନ୍ ଜରିଆରେ ବଜେଟ୍ ସମ୍ପର୍କରେ ତଥ୍ୟ ପ୍ରଦାନ ସହ ଆଇଟି ବିଭାଗ ପାଇଁ ୩୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଥିବା କହିଥିଲେ । । ମେକ ଇନ୍ ଓଡ଼ିଶାର ସଫଳତା ପରେ ବହୁ ବଡ଼ ବଡ଼ ଆଇଟି କମ୍ପାନୀ ଓଡ଼ିଶାକୁ ଆସିବାକୁ ଇଚ୍ଛା କରୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଓ ଗୃହ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ୩୦କୋଟି ଟଙ୍କା ବ୍ୟୟରେ ଓ ଓଡ଼ିଶା ଚିପ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଗବେଷଣା, ପରୀକ୍ଷଣ, ଉତ୍ପାଦନ ପାଇଁ ସଠିକ୍ ପରିବେଶ ସୃଷ୍ଟି ହୋଇପାରିବ ।

Related story