Advertisment

ଘରେ ବସି ଲକ୍ଷପତି ହେବା ଲୋଭରେ ୮୦ ହଜାର ନିରାଶ

ଅନ୍‌ଲାଇନ୍‌ ଆପ୍‌ରେ ଇନ୍‌ଭେଷ୍ଟମେଣ୍ଟ କରି ଆକର୍ଷଣୀୟ ସୁଧର ପ୍ରତିଶ୍ରୁତି। ଘରେ ବସି ଲକ୍ଷପତି ହେବା ଲୋଭ।

author-image
Niranjan Mishra
ଅଦ୍ୟତନ ହୋଇଛି
chit fund

chit fund

ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା। ନା ଅଫିସ ଅଛି, ନା କାଗଜ ପତ୍ର। ଅନ୍‌ଲାଇନ୍‌ ଆପ୍‌ରେ ଇନ୍‌ଭେଷ୍ଟମେଣ୍ଟ କରି ଆକର୍ଷଣୀୟ ସୁଧ ପାଇବାର ପ୍ରତିଶ୍ରୁତି। ଘରେ ବସି ଲକ୍ଷପତି ହେବାର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ଟଙ୍କା ନେଇ ହାୱା ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍। ଦେଶର ୮୦ ହଜାର ଲୋକଙ୍କୁ ଚୂନ ଲଗାଇବା ପରେ ବନ୍ଦ ହୋଇଗଲା ଅନଲାଇନ ଆପ୍। ଯାହା ପରେ ଲକ୍ଷପତି ହେବାକୁ ସ୍ୱପ୍ନ ଦେଖୁଥିବା ସବୁ ଲୋକ ନିରାଶ। ଏନେଇ ଅଭିଯୋଗ ପରେ ସଂସ୍ଥାର ବାଲେଶ୍ୱର ମୁଖ୍ୟଙ୍କୁ ଧରି ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

Advertisment

ତଦନ୍ତରୁ ଜଣାପଡ଼ିଛି, ଆମେରିକାରୁ ଅପରେଟ୍ ହେଉଥିଲା ଏହି ଚିଟଫଣ୍ଡ କମ୍ପାନି କ୍ଲାଉଡ ଫଟ୍। ବାଲେଶ୍ୱରରେ ଠକେଇର ମଙ୍ଗ ଧରିଥିଲା ନିଲେଶ କର ନାମକ ଜଣେ ଯୁବକ । ମୋବାଇଲ୍ ଆପ୍ 'କ୍ଲାଉଡ୍ ଫଟ୍' ଜରିଆରେ ସାରା ଦେଶରେ ୮୦ ହଜାରରୁ ଅଧିକ ଲୋକଙ୍କୁ ଚୂନ ଲଗାଇଛି ଏହି ଅନଲାଇନ ଚିଟ୍ ଫଣ୍ଡ କଂପାନି।

ଅଳ୍ପ ଟଙ୍କା ବିନିଯୋଗ କରି ଆମେରିକୀୟ ଡଲାରରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାରର ସ୍ୱପ୍ନ ଦେଖାଇ ଲୁଟିଛି କୋଟି କୋଟି ଟଙ୍କା। ରିଚାର୍ଡ ପର୍ସେଲ ନାମକ ବ୍ୟକ୍ତି ଆମେରିକାନ ଇଙ୍ଗ୍ଲିସରେ ଏକ ଭିଡିଓ ବାର୍ତ୍ତାରେ ସ୍କିମର ଲୋଭନୀୟ ଅଫର ବାବଦରେ କହି ଲୋକଙ୍କ ବିଶ୍ୱାସଭାଜନ ହେଉଥିଲା।

Advertisment

କ୍ଲାଉଡ୍ ଫଟ୍ କଂପାନି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ ସହ ୧୦ ବର୍ଷର ଚୁକ୍ତି ହୋଇଥିବା ନେଇ ଦେଖାଉଥିଲା ଫ୍ରଡ୍ ଡକ୍ୟୁମେଣ୍ଟ । ଏହା ଏକ କ୍ରିପ୍ଟୋ ମାଇନିଂ କଂପାନି କହି ଚିଟଫଣ୍ଡର ବିରାଟ ସାମ୍ରାଜ୍ୟ ଚଳାଇଥିବା ଅଭିଯୋଗ କରିଛନ୍ତି ଠକେଇର ଶିକାର ବରେନ୍ଦ୍ର ବେହେରା ଓ ବିସ୍ମିତ ଦାସ।

ବରେନ୍ଦ୍ର କହିଛନ୍ତି, ଆକର୍ଷଣୀୟ ସୁଧ ପାଇବା ଲୋଭରେ ଏଥିରେ ପ୍ରଥମେ ୨୪୫୦ ଟଙ୍କା ଦେଇଥିଲି। ପରେ ପ୍ରତିଦିନ ୧୩୮ ଟଙ୍କା ଜମା କରୁଥିଲି। ୧୭ ଦିନ ପରେ ହଠାତ୍ ଆଉ ଆପ୍ ଖୋଲି ନଥିଲା। ବୁଝିବା ବେଳକୁ ଟଙ୍କା ବୁଡ଼ି ସାରିଥିଲା ଓ ଠକେଇ ହୋଇଥିବା ଜାଣିବାକୁ ମିଳିଥିଲା। ବିସ୍ମିତ କହିଛନ୍ତି, ଅନ୍ୟମାନେ ଏହି ଉପାୟରେ ଘରେ ବସି ଟଙ୍କା ରୋଜଗାର କରୁଥିବା ଦେଖି ଲୋଭରେ ୮୦ ହଜାର ଟଙ୍କା ନିବେଶ କରିଥିଲେ। ହେଲେ ଯେଉଁଦିନ ନିବେଶ କରିଛନ୍ତି, ସେହିଦିନ ହିଁ ଆପ୍ ଅଚଳ ହୋଇଥିଲା। ବୁଝିଲା ବେଳକୁ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା। ବାଲେଶ୍ୱରରେ ଏଭଳି ୧୦ ହଜାର ଲୋକ ଠକେଇର ଶିକାର ହୋଇଛନ୍ତି।

କ୍ଲାଉଡ୍ ଫଟ୍ ଆପରେ ନୂଆ ସଦସ୍ୟ ଯୋଡିବାକୁ ବି ଦିଆଯାଉଥିଲା ଅଫର। ଯିଏ ନୂଆ ନିବେଶକାରୀ ଆଣୁଥିଲା ତାଙ୍କୁ ବୋନସ ଦେବାକୁ ବି ଲୋଭ ଦେଖାଯାଉଥିଲା। କିଛି ଶହ ଟଙ୍କା ନିବେଶ କରି ଆମେରିକୀୟ ଡଲାରରେ ଆୟର ଲୋଭ ଦେଖାଇ ଲୋକଙ୍କୁ ଚୂନ ଲଗାଇଛି କଂପାନୀ। ଅଭିଯୋଗ ଆଧାରରେ ବାଲେଶ୍ୱର କ୍ଲାଉଡ ଫଟ୍ ମୁଖ୍ୟ ନିଲେଶ କରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ଏହାସହ ଅଭିଯୁକ୍ତ ନିଲେଶକୁ ୪ଦିନିଆ ରିମାଣ୍ଡରେ ନେଇ ଚଳାଇଛି ଖୋଳତାଡ଼।

ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ଏହା ହେଉଛି ପୁଞ୍ଜି ଠକେଇ। ଠକେଇର ମୁଖ୍ୟ ଆମେରିକାର ହୋଇଥିବାରୁ ସେ ସମ୍ପର୍କରେ ଅଧିକ ଜାଣିବାକୁ ତଦନ୍ତ ଜାରି ରହିଛି।

ପୂର୍ବରୁ ଲୋନ ଆପର ଚାଇନା ଲିଙ୍କ୍, ଗେମିଂ ପଂଜି ଆପର ଦୁବାଇ ଲିଙ୍କ ପରେ ଏବେ କ୍ଲାଉଡ୍ ଫଟ୍‌ର ଆମେରିକା ଲିଙ୍କ୍ ତଦନ୍ତକାରୀ ସଂସ୍ଥାର ଚିନ୍ତା ବଢ଼ାଇଛି।

Chit Fund Scam Scam