୧୦ ବର୍ଷ ଭିତରେ ୯୨୫ ଜଣଙ୍କୁ ମାରିଛି ହାତୀ, ଯାଇଛି ୭୮୪ ହାତୀଙ୍କ ଜୀବନ

ହାତୀ ମୃତ୍ୟୁ ମାମଲା ମଧ୍ୟରୁ ୩୯ ମାମଲାର ତଦନ୍ତ କରାଯାଇ ୫୦ ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଚାର୍ଜସିଟ୍ ହୋଇଛି। ତେବେ କୌଣସି ଅଭିଯୁକ୍ତକୁ ଅଦ୍ୟାବଧି ଦଣ୍ଡ ଦିଆଯାଇନାହିଁ।

ଜଙ୍ଗଲ ନିଆଁ ପରେ ପଟିଆ ଶିଖର ଚଣ୍ଡି ନିକଟ ପାହାଡ଼ରେ ହାତୀ।

  • Published: Tuesday, 14 March 2023
  • , Updated: 14 March 2023, 04:08 PM IST

୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଥିବା ବେଳେ ୯୨୫ ମଣିଷଙ୍କୁ ମାରିଛି ହାତୀ। ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ନେଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହା କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧- ୨୨ ଆର୍ଥିକ ବର୍ଷରେ ୮୬ଟି ହାତୀଙ୍କ ମୃତ୍ୟୁ ଘଟିଛି।

ସେହିପରି ୨୦୧୨-୧୩ରେ ୮୦, ୨୦୧୩-୧୪ରେ ୬୭, ୨୦୧୪-୧୫ରେ ୬୫, ୨୦୧୫-୧୬ରେ ୮୯, ୨୦୧୬-୧୭ରେ ୬୬, ୨୦୧୭-୧୮ରେ ୧୦୫, ୨୦୧୮-୧୯ରେ ୮୫, ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୧୩୯ ଓ ୨୦୨୧-୨୨ରେ ୧୧୨ ଜଣଙ୍କ ଲୋକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।

ଏହି ଆର୍ଥିକ ବର୍ଷମାନଙ୍କରେ ମୋଟ ୨୧୨ ଜଣ ହାତୀ ଆକ୍ରମଣରେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଛନ୍ତି। ୨୦୧୨-୧୩ରେ ୫, ୨୦୧୩-୧୪ରେ ୧୯, ୨୦୧୪-୧୫ରେ ୧୦, ୨୦୧୫-୧୬ରେ ୧୩, ୨୦୧୬-୧୭ରେ ୧୪, ୨୦୧୭-୧୮ରେ ୧୮, ୨୦୧୮-୧୯ରେ ୧୬, ୨୦୧୯-୨୦ରେ ୪୫, ୨୦୨୦-୨୧ରେ ୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ୫୧ ଜଣ ଅକର୍ମଣ୍ୟ ହୋଇଛନ୍ତି।

ହାତୀ ମୃତ୍ୟୁ ମାମଲା ମଧ୍ୟରୁ ୩୯ ମାମଲାର ତଦନ୍ତ କରାଯାଇ ୫୦ ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଚାର୍ଜସିଟ୍ ହୋଇଛି। ତେବେ କୌଣସି ଅଭିଯୁକ୍ତକୁ ଅଦ୍ୟାବଧି ଦଣ୍ଡ ଦିଆଯାଇନାହିଁ।

୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଅଛନ୍ତି। ହାତୀ ସୁରକ୍ଷା ନିମନ୍ତେ ଜଙ୍ଗଲରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ଚାରଣ ଭୂମି ସୃଷ୍ଟି, ଜଳାଶୟ ଖନନ, ଶିକାରୀ ନିରୋଧ ଶିବିର କରିବା, ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉତ୍ତରରେ ସୂଚନା ଦେଇଛନ୍ତି ମନ୍ତ୍ରୀ।

ସେହିପରି ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୦ ହାତୀଙ୍କ ମୃତ୍ୟୁ ହୋଇଛି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଉତ୍ତରରେ ଏହା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ଅମାତ। ମନ୍ତ୍ରୀଙ୍କ ସୂଚନା ମୁତାବକ, ଏହି ୫ ବର୍ଷ ଭିତରେ ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶିକାରୀଙ୍କ ହାତରେ ୧୦ ହାତୀଙ୍କ ଜୀବନ ଯାଇଛି।

ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ଆକସ୍ମିକ ଭାବେ ୨୬ ହାତୀଙ୍କ ଜୀବନ ଯାଇଛି। ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ୩୫ ହାତୀ ମରିଛନ୍ତି।

ରେଳ ଦୁର୍ଘଟଣାରେ ୧୭ ହାତୀଙ୍କର ଓ ସଡକ ଦୁର୍ଘଟଣାରେ ୪ ହାତୀ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ ହାତୀଙ୍କ ମୃତ୍ୟୁ ହୋଇଛି। ଆନ୍ଥରାକ୍ସ ରୋଗରେ ୨୪ ଓ ହରପିସ୍ ରୋଗରେ ୧୦ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ରୋଗରେ ୧୨୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ତେବେ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ହାତୀଙ୍କ ସୁରକ୍ଷା କରିବାରେ ଏବଂ ହାତୀ-ମଣିଷ ଲଢ଼େଇରେ ମଣିଷ ଜୀବନ ସୁରକ୍ଷାକୁ ସୁନିଶ୍ଚିତ କରିପାରିନାହାନ୍ତି ସରକାର।

Related story