Advertisment

୧୪ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୪ ବହିଷ୍କୃତ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୬ ଜଣଙ୍କ ପେନସନ ସ୍ଥଗିତ

ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Lokseva Bhawan

lokseva bhawan

Advertisment

୧୪ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ବାକି ୬ ଜଣଙ୍କ ପେନସନକୁ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି।

Advertisment

ଏହି ଅଧିକାରୀମାନଙ୍କ ମଧ୍ୟରେ ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସ୍‌ପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବିଡିଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅଛନ୍ତି।

କଟକ ପିଏଚ ଡିଭିଜନର ସୁପରିନଟେଣ୍ଡିଂ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଭଳି ଗମ୍ଭୀର ଅଭିଯୋଗ ଥିଲା। ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ତେବେ କାର୍ଯ୍ୟରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Advertisment

କୋରାପୁଟର ଲମତାପୁଟ ବ୍ଲକ୍‌ର ପୂର୍ବତନ ସିଡିପିଓ ସ୍ୱର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ପୂର୍ବତନ ବିଡିଓ ଦାମୋଦର ମହାଲିକ ଲାଞ୍ଚ ନେବା ତଥା ନିଜ ପଦବୀର ଅପବ୍ୟବହାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲର ପୂର୍ବତନ ତହସିଲଦାର ପଞ୍ଚାନନ ବାରିକ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସ୍‌ପି ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ତାହା ସହିତ ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଗଜପତି ଜିଲ୍ଲା ମୋହନା ବ୍ଲକର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକ୍‌ର ଜୁନିଅର ଇଞ୍ଜିନିୟର ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସୁନ୍ଦରଗଡ଼ ପୌରପାଳିକାର ସହକାରୀ ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଢେଙ୍କାନାଳ RWSS ଡିଭିଜନର ପୂର୍ବତନ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି ଏକ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି।

କୋରାପୁଟ ନନ୍ଦପୁର ବ୍ଲକ୍‌ର ଦାୟିତ୍ୱରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ଭୁବନେଶ୍ୱର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର (ଟେଣ୍ଡର) ସୋମନାଥ ପଣ୍ଡା ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ଭୁବନେଶ୍ୱର ଆଇଆରସି ଭିଲେଜ ମେଣ୍ଟେନାନ୍‌ସ ସେକ୍‌ସନର ପୂର୍ବତନ ଜୁନିଅର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।

ତାଳଚେର ପୌରପାଳିକାର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବୌଦ୍ଧ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ଼ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଦିଲ୍ଲୀପ କୁମାର ଦିଗଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Corrupt Govt Officials Corruption Corrupt Engineer Corrupt Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe