Advertisment

ଅଲୌକିକ ଘଟଣା! ୯ ବର୍ଷ ପରେ ଫେରିଲା ଅଳଙ୍କାର, ଆଉ ଚିଠି ଛାଡ଼ିଗଲା ଚୋର

ଗହଳି ଚହଳି ଭିତରେ ଯଜ୍ଞମଣ୍ଡପ ଶାଳା ଫାଟି ପଡ଼ୁଥିବା ବେଳେ ରାଧାକୃଷ୍ଣଙ୍କ ଅଳଙ୍କାର ଚୋରି ହୋଇଯାଇ ଥିଲା। ଏହି ଖବର ପ୍ରଚାରିତ ହେବା ପରେ ଯଜ୍ଞରେ ସାମିଲ୍‌ ଥିବା ପୂଜକ ଓ ଆୟୋଜକଙ୍କ ଅକଲ୍ ଗୁଡ଼ୁମ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Ornaments of temple

Ornaments of temple

Advertisment

ଅଲୌକିକ ଘଟଣା! ୯ ବର୍ଷ ତଳେ ଚୋରି ହୋଇଥିବା ରାଧାକୃଷ୍ଣଙ୍କ ଅଳଙ୍କାର ଫେରାଇଲା ଚୋର। ଖାଲି ଫେରାଇନି, ପ୍ରାୟଶ୍ଚିତ ମଧ୍ୟ କରିଛି। ସେଥିପାଇଁ ଜରିମାନା ବାବଦକୁ ୧୦୦ ଟଙ୍କା, ଦକ୍ଷିଣା ବାବଦକୁ ୨୦୦ ଟଙ୍କା ଓ ଇଂଲିଶରେ ହାତ ଲେଖା ଚିଠି ଛାଡ଼ି ଯାଇଛି। ଏପରି ଅଲୌକିକ ଓ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ। କୁହାଯାଉଛି, ଚୋରି ଗହଣା ଯେଉଁ ଚଉରା ପାଖରେ ଥୁଆ ହୋଇଥିଲା, ତାକୁ କୁଆଡ଼େ ଗୋଟିଏ ନାଗ ସାପ ଜଗି ରହିଥିଲା।

Advertisment

ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁ। ଏହି ଗାଁରେ ଗଢ଼ି ଉଠିଛି ଗୋପୀନାଥଦେବ ମନ୍ଦିର। ୨୦୧୪ ମସିହାରେ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଚାଳ ଛପରରେ ହୋଇଥିବା ମହାଯଜ୍ଞ ଶାଳାକୁ ବିଜେ କରିଥିଲେ ପ୍ରଭୁ ରାଧା ଓ କୃଷ୍ଣ। ପରେ ପୂଜକ କୈଳାସ ଚନ୍ଦ୍ର ପଣ୍ଡା ରାଧାକୃଷ୍ଣଙ୍କ ଅଳଙ୍କାର ଯଜ୍ଞଶାଳାକୁ ଆଣିଥିଲେ। ଯେଉଁଥିରେ ରହିଥିଲା ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟ ପ୍ରମୁଖ। ଏହି ସବୁ ଅଳଙ୍କାର ପ୍ରଭୁ ପରିଧାନ କରି ପାଲିଙ୍କିରେ ବସିଥିଲେ। କିଛି ସମୟ ପରେ ନନା କୌଣସି କାମରେ ଚାଲି ଯାଇଥିଲେ।

ଗହଳି ଚହଳି ଭିତରେ ଯଜ୍ଞମଣ୍ଡପ ଶାଳା ଫାଟି ପଡ଼ୁଥିବା ବେଳେ ରାଧାକୃଷ୍ଣଙ୍କ ଅଳଙ୍କାର ଚୋରି ହୋଇଯାଇ ଥିଲା। ଏହି ଖବର ପ୍ରଚାରିତ ହେବା ପରେ ଯଜ୍ଞରେ ସାମିଲ୍‌ ଥିବା ପୂଜକ ଓ ଆୟୋଜକଙ୍କ ଅକଲ୍ ଗୁଡ଼ୁମ ହୋଇଯାଇଥିଲା। ଏଥିପାଇଁ କାହାକୁ ସନ୍ଦେହ କରୁଛନ୍ତି ବୋଲି ଗାଁ ଲୋକେ ମନ୍ଦିର ପୂଜକଙ୍କୁ ପଚାରିଥିଲେ। ମାତ୍ର ସେ କାହାକୁ ସନ୍ଦେହ କରୁନାହାନ୍ତି ବୋଲି କହିଥିଲେ। ପରେ ମାମଲା ଥାନାକୁ ଯାଇଥିଲା। ଗାଁର ମୁରବି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ପ୍ରଭୁଙ୍କ ଗହଣା ଚୋରି ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ କୈଳାସ ନନା। ତା’ପରେ ପୁଣି ଅପବାଦ। ସେସବୁକୁ ସେ ହଜମ କରିପାରୁନଥିଲେ। ଶୟନେ ସପନେ ପ୍ରଭୁଙ୍କୁ ସ୍ମରଣ କରୁଥିଲେ। ଆଉ ଶେଷରେ ପ୍ରଭୁ ତାଙ୍କ ଡାକ ଶୁଣିଲେ! ଚୋର ଫେରାଇଲା ପ୍ରଭୁଙ୍କ ଗହଣା। ଆଉ କଳଙ୍କ ମୁକ୍ତ ହେଲେ ପୂଜକ।

ଆଜି ସକାଳେ ଗାଁର ମୁରବିଙ୍କ ଚୌରା ମୂଳରେ ଚୋରି ହୋଇଥିବା ରାଧାକୃଷ୍ଣଙ୍କ ଗହଣା କନାରେ ବନ୍ଧା ହୋଇ ପଡ଼ିଥିଲା। ଗାଁର ଶଶିଭୂଷଣ ମହାନ୍ତିଙ୍କ କହିବା ଅନୁସାରେ ସେହି ଗହଣା ପୁଟୁଳିକୁ ନାଗ ଦେବତା ଜଗି ରହିଥିଲେ। ପରେ ସେହି ପୁଟୁଳି ଖୋଲିବାରୁ ୨୦୧୪ ମସିହାରେ ଚୋରି ହୋଇଥିବା ସବୁ ଗହଣା ଥିବା ଦେଖିବାକୁ ମିଳିଥିଲା। ଏଥିସହ ପ୍ରାୟଶ୍ଚିତ ପାଇଁ ପୁଟୁଳିରେ ୧୦୦ ଟଙ୍କା ଜରିମାନା ଓ ୨୦୦ ଟଙ୍କା ପୂଜକଙ୍କୁ ଦକ୍ଷିଣା ଦେବା ପାଇଁ ରଖିଥିଲା ଚୋର। ଏହାଛଡ଼ା ଗୋଟିଏ ଇଂଲିଶରେ ହାତଲେଖା ଛାଡ଼ି ଯାଇଥିଲା ଚୋର। ଯେଉଁଥିରେ ଚୋର ଲେଖିଛି, ଠାକୁରଙ୍କ ଗହଣା ଚୋରି କରି ୯ ବର୍ଷ ଭିତରେ ବହୁ ନର୍କ ଯନ୍ତ୍ରଣା ଭୋଗିଛି। ତେଣୁ ପ୍ରାୟଶ୍ଚିତ କରିବା ପାଇଁ ଚୋରି ଗହଣା ଫେରାଉଛି ବୋଲି ଚୋର ଚିଠିରେ ଲେଖିଥିବା ଦେଖିବାକୁ ମିଳିଛି।

ଗାଁ ଲୋକଙ୍କ କହିବା ଅନୁସାରେ ଆସନ୍ତା ୧୯ ତାରିଖରେ ମନ୍ଦିରରେ ହେବ ମହାଯଜ୍ଞ। ତା’ପୂର୍ବରୁ ଚୋରି ହୋଇଥିବା ଗହଣା ମିଳିଥିବା ଗାଁ ଲୋକେ ଗଦଗଦ୍‌ ହୋଇପଡ଼ିଛନ୍ତି। ଆଉ ପ୍ରଭୁଙ୍କ ଗୁଣଗାନ କରୁଛନ୍ତି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe