Advertisment

ପିଟୁ ଥିଲେ ଅଧ୍ୟାପକ, ଜୀବନ ହାରି ଦେଲେ ଆଇଟିଆଇ ଛାତ୍ର!

ଗୁରୁବାର ମଧ୍ୟ ସାର୍ ପିଟିଥିବା ନେଇ ମା’ଙ୍କୁ ଫୋନ୍ କରି ଜଣାଇଥିଲେ ଛାତ୍ର ଜଣଙ୍କ।

Dead Student

Dead Student

Advertisment

ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ କଲେଜରେ ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଝୁଲନ୍ତା ମୃତଦେହକୁ କଲେଜର ହଷ୍ଟେଲ ପରିସରରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନାଁ ରୁଦ୍ର ମାଧବ ରଣା। ସେ ଇଲେକ୍ଟ୍ରିକାଲ ଟ୍ରେଡ୍‌ର ପ୍ରଥମ ବର୍ଷର ଛାତ୍ର ଥିଲେ।

Advertisment

ରୁଦ୍ରଙ୍କ ମା’ ଅଭିଯୋଗ କରିଛନ୍ତି ଯେ କଲେଜର ଭବାନୀ ସାର୍ ତାଙ୍କ ପୁଅଙ୍କୁ ସବୁ ବେଳେ ମାଡ଼ ମାରୁଥିଲେ। ଗତକାଲି ବି ସେ ପୁଅକୁ ପିଟି ଥିଲେ। ପୁଅ ଫୋନ କରି ଭବାନୀ ସାର ପିଟି ଥିବା କଥା କହିଥିଲା। ଭବାନୀ ସାର ଆଉ ଥରେ ପିଟିଲେ ସେ ଆତ୍ମହତ୍ୟା କରିଦେବ ବୋଲି ପୂର୍ବରୁ କହିଥିଲା। ଆଉ ଗତକାଲି ଭବାନୀ ସାର ତାକୁ ପୁଣି ପିଟିବା ପରେ ସେ ଆତ୍ମହତ୍ୟା କରି ଦେଇଛି।

ରୁଦ୍ରଙ୍କ ମା’ ଆହୁରି କହିଛନ୍ତି, ପୁଅ ଠାରୁ ଫୋନ୍ ପାଇବା ପରେ ଆମେ ହଷ୍ଟେଲ ୱାଡେନ୍‌ଙ୍କୁ ଫୋନ୍ କରିଥିଲୁ। ରୁଦ୍ର କରିଥିବା ଅଭିଯୋଗ ସଂପର୍କରେ ତାଙ୍କୁ ଜଣାଇଥିଲୁ। ଏହା ସହିତ ରୁଦ୍ରଙ୍କୁ ଘରକୁ ଛାଡ଼ି ଦେବାକୁ କହିଥିଲୁ। କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଛାଡ଼ି ହେବନି ବୋଲି ସେ କହିଥିଲେ। ଆଉ ତା’ପରେ ରୁଦ୍ର ଏଭଳି ପଦକ୍ଷେପ ନେଇଥିଲା।

Advertisment

ମଞ୍ଚେଶ୍ୱର ଥାନା ପୁଲିସ୍ କଲେଜରେ ପହଞ୍ଚି ରୁଦ୍ରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି। ଏହା ସହିତ ପୁଲିସ କଲେଜ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରିଛି। ରୁଦ୍ରଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସେମାନଙ୍କ ଏତଲା ଆଧାରରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପୁଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ସମସ୍ତଙ୍କୁ ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ଯେଉଁ ଅଧ୍ୟାପକଙ୍କ ବିରୋଧରେ ରୁଦ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି, ସେ ଆଜି କଲେଜରେ ଉପସ୍ଥିତ ନଥିଲେ। ଗତକାଲି ଘଟଣା ପରଠାରୁ ସେ କଲେଜରେ ଉପସ୍ଥିତ ନଥିବା କୁହାଯାଉଛି। ଭବାନୀ ସାର ରୁଦ୍ରଙ୍କୁ ସର୍ବଦା ପିଟୁ ଥିଲେ ବୋଲି ତାଙ୍କ ମା’ କହୁଥିଲେ ହେଁ କାହିଁକି ପିଟୁଥିଲେ, ସେ ବିଷୟରେ କିଛି ଜଣାପଡ଼ିନି।

କଲେଜ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରୁଦ୍ରଙ୍କୁ ଭବାନୀ ସାର ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଯେଉଁ ଅଭିଯୋଗ ହୋଇଛି, କଲେଜ କର୍ତ୍ତୃପକ୍ଷ ସେ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ କଲେଜ କର୍ତ୍ତୃପକ୍ଷ ଗଣମାଧ୍ୟମ ଆଗରେ କିଛି କହି ନାହାନ୍ତି।

Bhubaneswar Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe