Advertisment

ଏବେବି ଚିହ୍ନଟ ଅପେକ୍ଷାରେ ୧୦୧ ମୃତ ଯାତ୍ରୀ, ଖୋଲିଲା ଡିଏନଏ ଟେଷ୍ଟିଂ ସେଂଟର

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି । ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଏହି ଶବକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖାଯାଇଛି ଓ ସେମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରେଳବାଇ ବିଭାଗ ପକ୍ଷରୁ ୮ଟି ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।

Train accident

Train accident

Advertisment

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି । ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଏହି ଶବକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖାଯାଇଛି ଓ ସେମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରେଳବାଇ ବିଭାଗ ପକ୍ଷରୁ ୮ଟି ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ତେବେ ବାୟୋମେଟ୍ରିକ ଡିଭାଇସ୍ ସ୍କାନିଂ(ଆଧାର)କୁ ଉପଯୋଗ କରି କାହିଁକି ଶବ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉନି ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ଆଜି ଭୁବନେଶ୍ୱର ଏମସରେ ଏକ ଡିଏନଏ ଟେଷ୍ଟିଂ ସେଂଟର ଖୋଲିଛି, ଯେଉଁଠି ସମ୍ପର୍କୀୟମାନେ ନିଜର ଡିଏନଏ ନମୂନା ପରୀକ୍ଷା କରିପାରିବେ ।

Advertisment

ଖୋର୍ଦ୍ଧା ପୂର୍ବତଟ ରେଳପଥର ମୁଖ୍ୟ ରିଙ୍କେଶ ରାୟ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ ୧୭୭ଜଣଙ୍କ ଶବକୁ ସେମାନଙ୍କ ପରିଜନକୁ ହସ୍ତାନ୍ତର କରାଯାଇଛି । ବାକି ୧୦୧ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି । ଏହି ମୃତ ବ୍ୟକ୍ତିମାନଙ୍କ ଶବ ଏବେ ଭୁବନେଶ୍ୱରର ୬ଟି ହସ୍ପିଟାଲ(ଏମସ, କ୍ୟାପିଟାଲ, ଆମ୍ରି, ହାଇଟେକ, କିମସ୍ ଓ ସମ)ରେ ବୈଜ୍ଞାନିକ ପଦ୍ଧତିରେ ରଖାଯାଇଛି । ଯେପର୍ଯ୍ୟନ୍ତ ଯାତ୍ରୀମାନେ ଚିହ୍ନଟ ନହୋଇଛନ୍ତି, ସେପର୍ଯ୍ୟନ୍ତ ସେମାନଙ୍କ ଶବକୁ ସଂରକ୍ଷିତ କରି ରଖାଯିବ । ମୃତ ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ବିଭାଗ ପକ୍ଷରୁ ୮ଟି ରାଜ୍ୟ ଯଥା ଓଡ଼ିଶା,ବିହାର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ,ଝାଡ଼ଖଣ୍ଡ, ଛତିଶଗଡ଼ ଓ ତେଲେଙ୍ଗାନାରେ ସ୍ଥାନୀୟ ଲୋକମାନଙ୍କ ସହ ଯୋଗାଯୋଗ କରାଯାଉଛି । ସେସବୁ ସ୍ଥାନରେ ଥିବା ରେଳବାଇ ଅଫିସ ଦ୍ୱାରା ଏହି ଲୋକମାନଙ୍କ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ଏମସକୁ ସର୍ବାଧିକ ୧୨୩ଜଣଙ୍କ ଶବ ଆସିଥିଲା । ସେଥିରୁ ୬୧ଜଣ ମୃତକଙ୍କ ପରିଚୟ ମିଳିଛି ଓ ଆବଶ୍ୟକ ପ୍ରକ୍ରିୟା ପରେ ସେହି ମୃତ ଶରୀରକୁ ସେମାନଙ୍କ ସମ୍ପର୍କୀୟ ଓ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ବାକି ୬୨ଜଣଙ୍କ ଶବ ଏବେ ଏମସ ଶବାଗାରରେ ସଂରକ୍ଷିତ ହୋଇ ରହିଛି । ଏମସରେ ଅଧିକ ସଂଖ୍ୟକ ଶବ ରଖିବା ପାଇଁ ୫ଟି କଣ୍ଟେନରର ବ୍ୟବସ୍ଥା ହୋଇଛି ।

Advertisment

ଅନ୍ୟପକ୍ଷରେ ଯେଉଁ ଲୋକମାନେ ନିଜର ପରିବାର ସଦସ୍ୟ ବା ସମ୍ପର୍କୀୟଙ୍କ ଶବକୁ ଚିହ୍ନଟ କରିବାରେ ସକ୍ଷମ ହେଉନାହାନ୍ତି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି ହୋଇଛି । ଏହି ମୋବାଇଲ୍ ନମ୍ବର ହେଉଛି ୮୨୮୦୩୪୬୬୨୯ । ଏହି ନମ୍ବରକୁ ଫୋନ୍ କଲେ ସେମାନଙ୍କୁ ଆବଶ୍ୟକ ସହାୟତା ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରସ୍ଥିତ ଏମସରେ ସରକାର ଏକ ଡିଏନଏ ଟେଷ୍ଟିଂ ସେଂଟର କାର୍ଯ୍ୟକ୍ଷମ କରିଛନ୍ତି । ଯେଉଁଠି ପରିବାର ସଦସ୍ୟମାନେ ନିଜର ଡିଏନଏ ଟେଷ୍ଟ କରିବା ସହ ସଂରକ୍ଷିତ ଥିବା ମୃତ ଯାତ୍ରୀଙ୍କ ଡିଏନଏ ସହ ମେଳ କରାଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe