Advertisment

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଦଶାହ କର୍ମ ପାଇଁ ହାତରେ ଆଉ ମାତ୍ର ୩ ଦିନ, ହେଲେ ମିଳୁନି ଆତ୍ମୀୟଙ୍କ ମୃତଦେହ

ଡେଡ୍ ବଡି ମିଳିବା ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ। ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ।

author-image
Niranjan Mishra
ଅଦ୍ୟତନ ହୋଇଛି
Surmila Mandi

Surmila Mandi

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଟ୍ରାଜେଡିର ୭ ଦିନ ପରେ ବି ମୃତଦେହ ଚିହ୍ନଟକୁ ନେଇ ଦହଗଞ୍ଜ ନିଖୋଜ ବ୍ୟକ୍ତିଙ୍କ ପରିବାର। ଦଶାହ କର୍ମ ପାଇଁ ହାତରେ ଆଉ ମାତ୍ର ୩ ଦିନ। ହେଲେ ମିଳୁନି ଆତ୍ମୀୟଙ୍କ ମୃତଦେହ। ଡେଡ୍ ବଡି ମିଳିବା ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ। ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ। କାହିଁ କେତେ ଦୂରରୁ ଦୁଇ ଦିନ ହେଲା ଆସି ଅଜଣା ସହରରେ ରହୁଥିବା ପରିବାରଙ୍କ ଦୁରାବସ୍ଥା ଏପରି ହେଲାଣି। ପୁଣି ରିପୋର୍ଟ ଆସିବାକୁ ଆହୁରି ୫-୭ ଦିନ ଲାଗିପାରେ ବୋଲି କୁହାଯିବା ତାଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ ନା ଆଖିରୁ ଲୁହ ଶୁଖୁଛି, ନା ପାଟିକୁ ଦାନା ଯାଉଛି। ଖାଲି ବାଧ୍ୟବାଧ୍ୟକତାରେ ଯାହା ଜଣେ ସ୍ୱେଚ୍ଛାସେବୀ ଗୁଞ୍ଜି ଦେଉଛନ୍ତି ଭାତ ଡାଲି। ଏମିତି ଚିତ୍ର ଭୁବନେଶ୍ୱର ଏମ୍‌ସ ପରିସରରେ ଦେଖିବାକୁ ମିଳିଛି। 

Advertisment

ପଶ୍ଚିମବଙ୍ଗ ହୁଗୁଳିର ସୁର୍ମିଲା ମାଣ୍ଡି, କରମଣ୍ଡଳ ଦୁର୍ଘଟଣାରେ ନିଖୋଜ ଜ୍ୱାଇଁଙ୍କୁ ଖୋଜି ଖୋଜି ଶେଷରେ ଏମ୍ସରେ ପହଞ୍ଚିଛନ୍ତି। ଦୁର୍ଘଟଣା ପରେ ବାଲେଶ୍ୱର ମେଡିକାଲରୁ କଲ୍ ଆସିଥିଲା ଜ୍ୱାଇଁ ଗୋପାଳ ହେମ୍ବ୍ରମ ଆହତ ହୋଇ ବାଲେଶ୍ୱର ହସ୍ପିଟାଲରେ ଅଛନ୍ତି। ହେଲେ ସେହି ଦିନଠୁ ପରିବାର ଲୋକ ସବୁ ହସ୍ପିଟାଲ ଖୋଜି ସାରିଲେଣି। କିନ୍ତୁ ତାଙ୍କ ପତ୍ତା ମିଳୁନି। ବଞ୍ଚିଛନ୍ତି କି ନାହିଁ ତାହା ବି କେହି କହିପାରୁ ନାହାନ୍ତି। ଏମିତି ସ୍ଥିତି ଦେଖି ସୁର୍ମିଲା କାକୁସ୍ଥ ହୋଇ ବସିଛନ୍ତି। ଜଣେ ସ୍ୱେଚ୍ଛାସେବୀ ବୁଝାଇସୁଝାଇ ତାଙ୍କୁ ଖୁଆଇ ଦେଉଛନ୍ତି।

ସେମିତି ଆଉ ଜଣେ ଅଭାଗିନୀ ମା ହେଉଛନ୍ତି କୋଲକତା ଆମତାଲାର ସବିଲା ମୂଲା। ରୋଜଗାର ପାଇଁ ଘରୁ ଗୋଡ କାଢିଥିଲା ବଡ ପୁଅ ସରିଫୁଲ୍ ଶେଖ୍। କରମଣ୍ଡଳ ଦୁର୍ଘଟଣା ପରେ ଫୋନ ଗଲା ଆପଣଙ୍କ ପୁଅ ଆଉ ନାହିଁ। ସେଦିନଠୁ ଆସି ପୁଅର ମୃତଦେହକୁ ଖୋଜୁଛନ୍ତି ପୂରା ପରିବାର। ଘରେ ପତ୍ନୀ ଆଉ ବର୍ଷକର ପୁଅ। ଏମ୍‌ସରେ ପୁଅର ଫଟୋ ଦେଖି ବଡି ଚିହ୍ନଟ କଲେ, ହେଲେ ଅଭିଯୋଗ ମେଡିକାଲ ଆଉ ଏକ ମୃତ ଦେହ ନେଇଯିବାକୁ କହୁଛି। ତେଣୁ ବାଧ୍ୟ ହୋଇ ଡିଏନଏ ପରୀକ୍ଷା ପାଇଁ ୭ରୁ ୮ ଦିନ ଅପେକ୍ଷା କରିବାକୁ ଅନିଚ୍ଛା ସତ୍ତ୍ୱେ ରାଜି ହୋଇଛନ୍ତି ମା।

Advertisment
Sabila Mulaସବିଲା ମୂଲା, ନିଖୋଜଙ୍କ ମା

ସେହିପରି ଆଉ ଜଣେ ନିଖୋଜ ହେଉଛନ୍ତି ବାଲେଶ୍ୱର ସଦର ବ୍ଲକ ଚପଦାବଡଗାଁର ମଞ୍ଜୁମଣି। ସାନ ଝିଅର ଚିକିତ୍ସା ପାଇଁ କଟକ ଯାଉଥିଲେ ମଞ୍ଜୁ। ଦୁର୍ଘଟଣା ପରଠୁ ତାଙ୍କର ବି କିଛି ଖବର ମିଳୁନି। ସେହି ଦିନଠୁ ଘରେ ଚୁଲି ଲାଗିନି। ପରିବାର ଲୋକ ସବୁ ମେଡିକାଲ ବୁଲି ସାରିଲେଣି। ହେଲେ ମାଆଙ୍କ ଖବର ନମିଳିବାରୁ କାନ୍ଦି କାନ୍ଦି ଖାଲି ଲୁହ ପିଇ ବଞ୍ଚିଛନ୍ତି ପରିବାର। କେବଳ ମୃତକଙ୍କ ଫଟୋରୁ ଚିହ୍ନଟ ହେଲା, ହେଲେ ଏପର୍ଯ୍ୟନ୍ତ ମିଳୁନି ମୃତଦେହ। ତେଣୁ କେମିତି କରିବେ ଅନ୍ତିମ ସଂସ୍କାର ତାକୁ ନେଇ ଚିନ୍ତାରେ ମଞ୍ଜୁମଣିଙ୍କ ଝିଅ ହରପ୍ରିୟା ନାୟକ।

Family of Manjumaniମଞ୍ଜୁମଣିଙ୍କ ପରିବାର

୭ ଦିନ ବିତିଲାଣି, ଦଶାହ କର୍ମ ପାଇଁ ହାତରେ ମାତ୍ର ଦୁଇ ଦିନ। ହେଲେ ମୃତ ଦେହ ନମିଳିଲେ କେମିତି ଶୁଦ୍ଧିକାର୍ଯ୍ୟ କରିବେ ତାକୁ ନେଇ ଚିନ୍ତାରେ ନିଖୋଜଙ୍କ ପରିବାର। କିଛି ଡିଏନଏ ସାମ୍ପୁଲ ଦେଇ ରିପୋର୍ଟ ଅପେକ୍ଷାରେ ଅଛନ୍ତି। ଆଉ କେହି ଏବେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଘୂରି ବୁଲୁଛନ୍ତି। ଏବେ ବି ୮୨ ମୃତ ଦେହ ଅଚିହ୍ନା ଭାବେ ଏମ୍ସରେ ରହିଛି।

Bhubaneswar Train Accident BalasoreTrainAccident