/odisha-reporter/media/post_attachments/uploadimage/library/16_9/16_9_0/Indigi_1680272333.jpeg)
Indigo
ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା ଆସନ୍ତା ମେ’ ୧୫ତାରିଖରୁ ଆରମ୍ଭ ହେବ। ୨ଥର ତାରିଖ ଧାର୍ଯ୍ୟ ହୋଇ ଫେଲ୍ ମାରିବା ପରେ ଶେଷରେ ମେ’୧୫ତାରିଖକୁ ଉଡ଼ାଣ ତାରିଖ ସ୍ଥିରୀକୃତ ହୋଇଛି ତଥା ଆସନ୍ତାକାଲି ଉତ୍କଳ ଦିବସରୁ ଏହି ବିମାନ ସେବା ପାଇଁ ଟିକେଟ ବୁକିଂ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ପୂର୍ବରୁ ମାର୍ଚ୍ଚ ୫ ଓ ଏପ୍ରିଲ ୧ରେ ଏହି ବିମାନ ସେବା ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିଲା, ଏପରିକି ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବିମାନ ଚଳାଚଳ ସମ୍ଭବପର ହୋଇପାରିନଥିଲା।
ମିଳିଥିବା ସୂଚନା ଅନୁସାରେ, ମେ’ ୧୫ତାରିଖରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ଉତ୍କଳ ଦିବସରୁ ଏହି ବିମାନ ସେବା ପାଇଁ ଟିକେଟ୍ ବୁକିଂ ସେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବେ। ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜି ନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହେବ। ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଏହି ବିମାନ ସେବା ଏକାଠି କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ବିମାନ ଚଳାଚଳ ନେଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ଆବଶ୍ୟକ ସବସିଡି ପ୍ରଦାନ କରିବେ। ଡିସେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍ ସିଧାସଳଖ ବିମାନ ଚଳାଚଳ ସଂକ୍ରାନ୍ତ ଟେଣ୍ଡରକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ । ସପ୍ତାହକୁ ୩ଦିନ ଇଣ୍ଡିଗୋ ପକ୍ଷରୁ ୧୮୬ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଏହି ଆନ୍ତର୍ଜାତିକ ସହରକୁ ଚଳାଚଳ କରିବ ବୋଲି ଉଲ୍ଲେଖ ଥିଲା । ମାର୍ଚ୍ଚ ୫, ବିଜୁ ଜୟନ୍ତୀରେ ବିମାନ ସେବା ଆରମ୍ଭ ପାଇଁ ଇଣ୍ଡିଗୋ ପକ୍ଷରୁ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଯାଇଥିଲା । ଏପରିକି ଏପ୍ରିଲ ୧ ଉତ୍କଳ ଦିବସରେ ଏହି ବିମାନ ଚଳାଚଳ ଆରମ୍ଭ ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଏକ ପ୍ରତିନିଧି ଦଳ ସହ ଦୁବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ବି ସ୍ଥିର ହୋଇଥିଲା । କିନ୍ତୁ ବିମାନ ସେବା ଆରମ୍ଭ ନହେବାରୁ ଶେଷ ମୁହୂର୍ତ୍ତରେ ଏହା ବାତିଲ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏହି ବିମାନ ଆସନ୍ତା ମେ’ ୧୫ରୁ ଚାଲିବ ବୋଲି ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
