Advertisment

ସୁଧାକର ପଣ୍ଡାଙ୍କୁ ମିଳିବ ବିଜୁ ପଟ୍ଟନାୟକ ପୁରସ୍କାର

ଜଟଣୀସ୍ଥିତ ‘ନାଇଜର’ ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଇଛି ।

author-image
Ordigital Desk
Sudhakar Panda

Sudhakar Panda

ଜଟଣୀସ୍ଥିତ ‘ନାଇଜର’ ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ ତାଙ୍କୁ ୨ଲକ୍ଷ ଟଙ୍କା ପୁରସ୍କାର,ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମଏମଟିର ଭୌତିକ ବିଜ୍ଞାନ ମୁଖ୍ୟ ଡାକ୍ତର ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡାକ୍ତର ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ । ଏହି ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର ମିଳିବ ।

ସେହିପରି ଭୁବନେଶ୍ୱରସ୍ଥିତ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଠ ଡକ୍ଟେରାଲ ଫେଲୋ ଡାକ୍ତର ଶଶାଙ୍କ ଶେଖର ସ୍ୱାଇଁ, ନାଇଜର ଭୌତିକ ବିଜ୍ଞାନ ବିଭାଗର ଡାକ୍ତର ନିବେଦିତା ଦାଶ, ଏନଆଇଟି ରାଉରକେଲାର ସହକାରୀ ପ୍ରଫେସର ଡାକ୍ତର ଜ୍ଞାନରଞ୍ଜନ ସେନାପତି ଓ ନାଇଜର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତି ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ କରାଯିବ । ପ୍ରଫେସର ସଙ୍ଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ । ‘ଯୁବ ବୈଜ୍ଞାନିକ ପୁରସ୍କାର’ ଓ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ । ଏହାବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ ହେବେ । ଖୁବଶୀଘ୍ର ନିକଟ ଭବିଷ୍ୟତରେ ଏକ ରାଜ୍ୟସ୍ତରୀୟ ସମାରୋହରେ ଏହି କୃତି ବୈଜ୍ଞାନିକମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ।

Advertisment
Biju Pattanaik Bjd Politics Unknown Award