Advertisment

ବଦଳିଲା ବିଜେଡିର ୬ ମାସ ତଳ ପର୍ଯ୍ୟବେକ୍ଷକ ତାଲିକା: ବାଦ୍ ପଡ଼ିଲେ ଟୁକୁନି, ଉଷା, ରୋହିତ ଓ ନଳିନୀ

କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ହଟାଇ ସର୍ବାଧିକ ୪ଟି ଜିଲ୍ଲା ଅନୁଗୁଳ,ଢେଙ୍କାନାଳ, ସମ୍ବଲପୁର ସମେତ କେନ୍ଦୁଝର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି।

ଅଦ୍ୟତନ ହୋଇଛି
undefined

CM Naveen Patnaik

Advertisment

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ୬ ମାସ ପୁରୁଣା ପର୍ଯ୍ୟବେକ୍ଷକ ତାଲିକାରେ ପୁଣିଥରେ ପରିବର୍ତ୍ତନ କରିଛି। ପରବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେଡି ନିଜର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଜାରି କରିବା ସହ ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ, ରୋହିତ ପୂଜାରୀ ଓ ନଳିନୀକାନ୍ତ ପ୍ରଧାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବାଦ୍ ଦେଇଛି। ଅପରପକ୍ଷରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ଜେନା ଓ ଅମରେଶ ଜେନାଙ୍କୁ ନୂଆ କରି ସାମିଲ ସହ ଗୋଟିଏ ଲେଖାଏଁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୬ଟି ଜିଲ୍ଲା ଦାୟିତ୍ୱରେ ଥିବା ପ୍ରତାପ ଜେନାଙ୍କୁ ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ତେବେ ଆଜି ପ୍ରକାଶିତ ତାଲିକାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ହଟାଇ ସର୍ବାଧିକ ୪ଟି ଜିଲ୍ଲା ଅନୁଗୁଳ,ଢେଙ୍କାନାଳ, ସମ୍ବଲପୁର ସମେତ କେନ୍ଦୁଝର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଜିଲ୍ଲାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ଥିବାରୁ ବିଜେଡି ନିଜର ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କୁ ଏହି ଜିଲ୍ଲାଗୁଡ଼ିକର ସେଠାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଗତବର୍ଷ ଅକ୍ଟୋବର ୬ ତାରିଖରେ ଜାରି କରିଥିବା ପର୍ଯ୍ୟବେକ୍ଷକ ତାଲିକାରେ ଆଜି ପରିବର୍ତ୍ତନ କରିଛି। ଦଳ ପକ୍ଷରୁ ଜାରି ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା, ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ସେହିପରି ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର, ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର ପର୍ଯ୍ୟକ୍ଷେକ ଦାୟିତ୍ୱ ମିଳିଥିବାବେଳେ ଅନ୍ୟ ୨୨ ଜଣଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳରୁ ହଟାଇ ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବାବେଳେ ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ଦଳ ପାଇଁ ବିଫଳତାର ଅଧ୍ୟାୟ ସୃଷ୍ଟି (ଧାମନଗର ଉପନିର୍ବାଚନରେ ବିଜେଡିର ପରାଜୟ) କରିଥିବା ପ୍ରଣବ ବଳବନ୍ତରାୟଙ୍କୁ କଳାହାଣ୍ଡି ଭଳି ବଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର,ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା,ଅମରେଶ ଜେନା(ବାଇଁଆ)ଙ୍କୁ ଦେବଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି। ପ୍ରମିଳା ମଲ୍ଲିକଙ୍କଠାରୁ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାକୁ କାଢ଼ି ନିଆଯାଇ କେନ୍ଦ୍ରାପଡ଼ା ଦାୟିତ୍ୱ ମିଳିଥିବାବେଳେ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ କରାଯାଇଛି। ଉଷା ଦେବୀଙ୍କୁ କଟକ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯାଇଛି।

Advertisment

ସେହିପରି ମନ୍ତ୍ରୀ ରୋହିତ ପୂଜାରୀଙ୍କଠାରୁ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱ କାଢ଼ି ନିଆଯାଇ ଦେବେଶଙ୍କୁ ଦିଆଯାଇଛି। ସୁଶାନ୍ତ ସିଂଙ୍କଠୁ ଦେବଗଡ଼ ଦାୟିତ୍ୱ ନିଆଯାଇ କେବଳ ବଲାଙ୍ଗିର ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ଟୁକୁନି ସାହୁଙ୍କଠୁ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦିଆଯାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା ଦାୟିତ୍ୱ ଦିଆଯାଇଛି। ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ଦାୟିତ୍ୱରେ କୌଣସି ପରିବର୍ତ୍ତନ ହୋଇନି। ପ୍ରତାପ ଦେବ-ବାଲେଶ୍ୱର, ଅରୁଣ ସାହୁ-ଜଗତସିଂହପୁର, ଈଶ୍ୱର ପାଣିଗ୍ରାହୀ-ନବରଙ୍ଗପୁର, ବିଜୟ ନାୟକ-କନ୍ଧମାଳ, ସୌଭାଗ୍ୟ ନାୟକ-ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡା-ଯାଜପୁର, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ପଦ୍ମନାଭ ବେହେରା-ନୟାଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ, ପ୍ରଦୀପ କୁମାର ଅମାତ-ଗଞ୍ଜାମ ଓ ଶାରଦା ନାୟକ-ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଜର ଦାୟିତ୍ୱ ବଜାୟ ରଖିଛନ୍ତି। ଟୁକୁନି ଓ ରୋହିତଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଦଳ ଦୁର୍ବଳ ସ୍ଥିତିରେ ଥିବାରୁ ଉଭୟଙ୍କୁ ପର୍ଯ୍ୟବେକ୍ଷକରୁ ବାଦ୍ ଦେଇ ନିଜ ସଂଗଠନ ଉପରେ ଗୁରୁତ୍ୱ ଦେବାକୁ ସନ୍ଦେଶ ଦିଆଯାଇଛି। ସେହିପରି ନିର୍ବାଚନୀ ବର୍ଷରେ ପ୍ରମିଳାଙ୍କୁ ଖୋର୍ଦ୍ଧାରୁ ହଟାଇ ରବୀନ୍ଦ୍ରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରି ପରୋକ୍ଷରେ ଜିଲ୍ଲାର ସଂଗଠନ ପ୍ରଣବଙ୍କ ହାତରେ ରଖିବାକୁ ପ୍ରୟାସ ହୋଇଛି।

ଚର୍ଚ୍ଚା ହେଉଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚଳିତ ଥର ଢେଙ୍କାନାଳ କିମ୍ବା ସମ୍ବଲପୁର ଜିଲ୍ଲାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଏବେ ସେସବୁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି। ଆଉ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବା ପରେ ଭଦ୍ରକ ଜିଲ୍ଲା ସଂଗଠନ ଦାୟିତ୍ୱ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ଦିଆଯାଇ ତାଙ୍କର ବାଟ ରୋକିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ପ୍ରତାପ ଜେନା ବିଜେଡିର ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ମଧ୍ୟରୁ ଜଣେ ଓ ତାଙ୍କୁ ଦଳ ପକ୍ଷରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଗତବର୍ଷ ଅଗଷ୍ଟ ୧୮ ତାରିଖରେ ନ୍ୟସ୍ତ ହୋଇଥିଲା।

Bhubaneswar BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe