Advertisment

ଗର୍ଜିଲା ବିଜେପି, କହିଲା- ରାଜ୍ୟରେ ସମସ୍ତେ ଅସୁରକ୍ଷିତ, ଗାଦି ଛାଡ଼ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଅନେକ ବିଜେଡି କର୍ମୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ। ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି ବୋଲି କହିଲେ ସାଂସଦ ଅପରାଜିତା ଷଡଙ୍ଗୀ।

ଅଦ୍ୟତନ ହୋଇଛି
BJP Protest

BJP Protest

Advertisment

ରାଜଧାନୀ ରାଜରାସ୍ତାରେ ଆଜି ଦେଖିବାକୁ ମିଳିଛି ହେଭିୱେଟ ପାୱାର ‌ଶୋ’ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡି ଟାର୍ଗେଟ କରିଥିବା ବେଳେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଗର୍ଜିଛି ବିଜେପି। 

Advertisment

ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ବହୁ ସଂଖ୍ୟାରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଧାରଣାରେ ବିଜେପିର ବହୁ ହେଭିୱେଟ ନେତା ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ଏହି ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ବର୍ଷିଛନ୍ତି।

Advertisment

ରାଜଭବନ ସାମ୍ନାରେ ହେଉଥିବା ଧାରଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀ ଯଦି ଶାସନ କରୁନାହାନ୍ତି, ଗାଦି ଛାଡ଼ନ୍ତୁ ବୋଲି ସେ ସିଧାସଳଖ କହିଛନ୍ତି। 

ସେ କହିଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି । ଓଡ଼ିଶାର ମା’, ଭଉଣୀମାନେ ନିର୍ଯାତନା ଓ ହତ୍ୟାର ଶିକାର ହେଉଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକମାନେ ବି ସାମିଲ ଅଛନ୍ତି। କିନ୍ତୁ ଅଭିଯୁକ୍ତ ମନ୍ତ୍ରୀ, ବିଧାୟକଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉନି । ଏବେ ସ୍ପଷ୍ଟ ଦିବାଲୋକରେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଦିଆଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଚପେଇ ଦେବାକୁ ଉଦ୍ୟମ ହେଉଛି।

ନବ ଦାସଙ୍କୁ ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ତାହା ସାମ୍ନାକୁ ଆସୁନି। ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ସତ୍ୟ ସାମ୍ନାକୁ ଆଣିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ଶାସନ କରୁ ନ ଥିବା ସ୍ପଷ୍ଟ ହୋଇଗଲାଣି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

ରାଜଭବନ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ କହିଛନ୍ତି, ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସାରା ଓଡ଼ିଶାବାସୀ ମର୍ମାହତ । ଅନେକ ବିଜେଡି କର୍ମୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ। ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ୧୫ ଦିନ ହୋଇଗଲା, ନବ ଦାସଙ୍କୁ ହତ୍ୟା କରାଯିବାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି।

ଜଷ୍ଟିସ ଜେପି ଦାସଙ୍କୁ ମନ୍ତ୍ରୀ ନବ ଦାସ ମର୍ଡର କେସ୍‌ର ଦାୟିତ୍ୱ ଦେବା ନେଇ ମଧ୍ୟ ପ୍ରଶ୍ନ କଲେ ଅପରାଜିତା । ରାଜ୍ୟ ସରକାରଙ୍କୁ ଖୁଲମଖୁଲା ପଚାରିଲେ, କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି? ଯଦି ସାହସ ଅଛି, ହାଇକୋର୍ଟ ଅର୍ଡର ସମସ୍ତଙ୍କ ସାମ୍ନାରେ ରଖ। ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି।

ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ନିନ୍ଦା କରିବା ସହ କହିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନବୀନ ବାବୁ କହୁଛନ୍ତି ସାଢ ୪ କୋଟି ଓଡ଼ିଆ ମୋ ପରିବାର। ହେଲେ ତାଙ୍କ ପରିବାରରୁ କିଏ ସୁରକ୍ଷିତ ତାହା ନବୀନ ବାବୁ କହି ପାରିବେକି? ଓଡ଼ିଶାରେ ମହିଳାଙ୍କ ଉପରେ ଏଠାରେ ନିର୍ଯାତନା ବଢ଼ି ଚାଲିଛି। ପୁଲିସ୍‌ ଷ୍ଟେଶନରେ ଏଫଆଇଆର ହେଉନି। ତାହାର ତଦନ୍ତ ହେଉନି। ଫଳରେ ମହିଳାମାନେ ପୀଡ଼ିତା ହୋଇ ରହି ଯାଉଛନ୍ତି।

ନବ ଦାସ ମର୍ଡର କେସ୍‌ରେ ଅଭିଯୁକ୍ତ ଗୋପାଳ ଦାସ ପାଗଳ ବୋଲି ପ୍ରଚାର ହେଉଛି । ସେ ଯଦି ପାଗଳ, ତା’ହେଲେ ପୁଲିସ୍‌ ଚାକିରି କିପରି କରିଥିଲା। ତାକୁ ବନ୍ଧୁକ କିପରି ଦିଆଯାଇଥିଲା। କିଛି ଲୁଚାଇବାକୁ ଏପରି କଥା କୁହାଯାଉଛି। ଜୟନାରାୟଣ ମିଶ୍ରଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଉଛି। ତେଣୁ ସେ ବି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ତାଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି ଡି. ପୁରନ୍ଦେଶ୍ୱରୀ । ଏଥିସହ ନବ ଦାସ ମର୍ଡର କେସ୍‌ର ଦାୟିତ୍ୱ ନବୀନ ବାବୁ ନିଜ ମୁଣ୍ଡକୁ ନେଇ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ବୋଲି ସେ କହିଛନ୍ତି ।

ଜୟନାରାୟଣ ମିଶ୍ରଙ୍କୁ ବିଧାନସଭାରୁ ଦୂରେଇ ରଖିବା ପାଇଁ ଏପରି ଷଡଯନ୍ତ୍ର କରାଯାଉଛି। ତାଙ୍କ ମୁହଁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କରାଯାଇଛି। ନବ ଦାସ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଜୟନାରାୟଣ ମିଶ୍ର କେସ୍‌ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଅରାଜକତା ବ୍ୟାପିଛି। ବିଜେପି ଏହାର ବିରୋଧ କରୁଥିବାରୁ ବିରୋଧୀ ଦଳ ନେତାଙ୍କୁ ପୁଲିସ୍‌ ପ୍ରଶାସନ ମାଧ୍ୟମରେ ଅପମାନିତ କରାଯାଉଛି। ପୁଲିସ୍‌ କ’ଣ କେବଳ ବିଜେଡିର। ପୁଲିସ୍‌ ପ୍ରଶାସନର ଏପରି ବ୍ୟବହାର ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ବିଧାନସଭା ଚଳାଇ ଦେଉ ନ ଥିବା ବେଳେ ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା ଚାଲିଛି। ନ୍ୟାୟ ପାଇଁ ସବୁବେଳେ ପୀଡ଼ିତଙ୍କୁ ହାଇକୋର୍ଟ ଯିବାକୁ ପଡ଼ୁଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ପୁଲିସ୍‌ ମାମଲା ରୁଜୁ କରୁଛି। ନଚେତ ମାମଲା ରୁଜୁ କରିବାକୁ ଧରାଛୁଆଁ ଦେଉନି ପୁଲିସ୍‌।

ଏନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।  ଜୟ ନାରାୟଣ ମିଶ୍ର ନବ ଦାସ ମର୍ଡର କେସ୍‌ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ପ୍ରାୟୋଜିତ ଭାବେ ଫସା ଯାଉଛି। ତାଙ୍କୁ ବି ଦିନ ଦିପ୍ରହରରେ ଆକ୍ରମଣ କରାଯାଉଛି। ତାଙ୍କ ସମ୍ମୁଖରେ ମହିଳା ପୁଲିସ୍‌ଙ୍କୁ ରଖି ଆକ୍ରମଣ କରାଯାଉଛି । ତେଣୁ ତାଙ୍କୁ ବି ସୁରକ୍ଷା ଲୋଡ଼ା । ଏହାବାଦ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି, ତେଣୁ ମୁଖ୍ୟମନ୍ତ୍ରୀ ଇସ୍ଫଫା ଦିଅ ବୋଲି ସେମାନେ କହିଛନ୍ତି ।

ଅପରପକ୍ଷରେ ଶାସକ ଦଳ ପକ୍ଷରୁ କୁହାଯାଇଛି, ଜୟନାରାୟଣ ମିଶ୍ରଙ୍କ ନାଁରେ ୧୪ଟି କେସ୍‌ ଅଛି। ତାଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବାରୁ ସେ ବିରୋଧୀ ଦଳ ନେତା ପଦରେ ରହିବା ଉଚିତ ନୁହେଁ। ତାଙ୍କୁ ତୁରନ୍ତ ଏହି ପଦରୁ ବାହାର କରାଯାଉ ।

BjD State Bjp Bjp Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe