ସବୁ ଅପରାଧରେ ଓଡ଼ିଶା ଆଗୁଆ, ଗୃହ ବିଭାଗ ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହ ବିଭାଗ ଛାଡ଼ି ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ଜଣେ ଦକ୍ଷ ମନ୍ତ୍ରୀଙ୍କୁ ଉକ୍ତ ଦାୟିତ୍ୱ ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

ବିଜେପି ମୁଖପାତ୍ର ମନୋଜ ମହାପାତ୍ର କରିଥିବା ସାମ୍ବାଦିକ ସମ୍ମିଳନୀ

  • Published: Friday, 26 May 2023
  • , Updated: 26 May 2023, 10:42 PM IST

ସାଇବର କ୍ରାଇମ, ଚୋରୀ , ଡକାୟତି,ନିଶାଦ୍ରବ୍ୟ କାରବାର, ଶିଶୁ ଅପହରଣ ଭଳି ଅପରାଧରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ରାଜ୍ୟରେ ପ୍ରତି ଅଢ଼େଇ ଘଂଟାରେ ଗୋଟିଏ ହତ୍ୟା ଓ ଧର୍ଷଣ ହେଉଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହ ବିଭାଗ ଛାଡ଼ି ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ଜଣେ ଦକ୍ଷ ମନ୍ତ୍ରୀଙ୍କୁ ଉକ୍ତ ଦାୟିତ୍ୱ ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲା । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନନେଇ ମୌନ ହୋଇ ବସିଛନ୍ତି । ୨୩ବର୍ଷର ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଅପାରଗତାରେ ନମ୍ବର ୱାନ୍ । ସ୍ୱର୍ଗତଃ ଦାସଙ୍କ ହତ୍ୟାକାଣ୍ଡରେ କ୍ରାଇମବ୍ରାଂଚର ଚାର୍ଜସିଟ୍ ଦାଖଲ ସମେତ ପରିଚାଳନାରେ ଅପାରଗତାକୁ ଦାୟୀ କରି ତୁରନ୍ତ ନିଜ ଅଧିନରେ ଥିବା ଗୃହବିଭାଗକୁ ଛାଡ଼ନ୍ତୁ ।

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୧୮ଦିନ ପୂରିଛି କିନ୍ତୁ କ୍ରାଇମବ୍ରାଂଚ କେବଳ ଧର୍ମକୁ ଆଖିଠାର ସଦୃଶ ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ କଣ? ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହୋଇନି । ବିଧାନସଭାରେ ବିରୋଧୀ ଦଳ ଓ ଅନ୍ୟାନ୍ୟ ଦଳ ତରଫରୁ ଯାହାଙ୍କ ବିରୁଦ୍ଧରେ ଷଡଯନ୍ତ୍ରର ଅଭିଯୋଗ କରାଯାଇଥିଲା । ସେମାନଙ୍କୁ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ କରୁନାହିଁ କାହିଁକି? ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଏଫବିଆଇ ତଦନ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ରାଜ୍ୟବାସୀଙ୍କୁ ନିସର୍ତ୍ତ କ୍ଷମା ମାଗନ୍ତୁ । ରାଜ୍ୟର ଅନ୍ୟ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ରିପୋର୍ଟ ସମୀକ୍ଷା କରାଯାଉଛି କିନ୍ତୁ ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା କରୁଛି କିଏ? ରାଜ୍ୟରେ ବଢ଼ୁଥିବା ଅପରାଧ ରୋକିବାରେ ପୁଲିସର ବିଫଳତା ଯୋଗୁଁ ମୁଖ୍ୟମନ୍ତ୍ରୀ ନିଜ ଅଧିନରେ ଥିବା ଗୃହବିଭାଗ ଛାଡ଼ ିଦେଇ ଅନ୍ୟ କାହାକୁ ଦାୟିତ୍ୱ ଦେବା ଉଚିତ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ସେହିପରି ରାଜଧାନୀର ୟୁନିଟ୍‌-୧ ଅଂଚଳରେ ହତ୍ୟାକାଣ୍ଡ ଘଟିଥିବା ୨୦୦ମିଟର ଦୂରତାରେ ପୋଲିସ କମିଶନର, ପୋଲିସ ଡିଜି ଓ କ୍ୟାପିଟାଲ ଥାନା ରହିଛି । ଝିଆରୀ ପ୍ରତି ଅସଦାଚରଣ ମାମଲାରେ ନ୍ୟାୟ ପାଇ ଥାନାଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ନିରାଶ ହେବାକୁ ପଡ଼ିଥିଲା । ଆଉ ଠିକ୍ ମାସେ ଭିତରେ ସେହି ଅଭିଯୁକ୍ତମାନେ ପୀଡ଼ିତା ପରିବାର ସଦସ୍ୟଙ୍କୁ ହତ୍ୟା କରିଛନ୍ତି । ଏଥିରୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କେତେ ବିପର୍ଯ୍ୟସ୍ତ ତାହା ଜଣାପଡ଼ୁଛି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରି ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ବିଜେପି ଦାବି କରିଛି ।

ଯାଜପୁର ଜିଲ୍ଲାର ‘ବିଛାଖଣ୍ଡ’ ପାହାଡରୁ ପଥର ଲୁଟ୍ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସ ପ୍ରାଥମିକ ତଦନ୍ତ କରି ତତ୍କାଳୀନ ଜିଲ୍ଲାପାଳ ସମେତ କେତେକ ପ୍ରଶାସନିକ ଅଧିକାରୀ ଲିଜଧାରୀ ଓ ରାଜନୀତିକ ବ୍ୟକ୍ତିଙ୍କୁ ଦାୟୀ କରି ରିପୋର୍ଟ ଦେଇଛନ୍ତି । ଏହି ଲୁଟ୍‌ରେ ସଂପୃକ୍ତ ତତ୍କାଳୀନ ଜିଲ୍ଲାପାଳ ଏବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ । ଏମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାନଯିବା କେଉଁ ସ୍ୱଚ୍ଛ ଶାସନର ନମୁନା? ଅତୀତରେ ଜଣେ କର୍ତ୍ତବ୍ୟରତ ପୁଲିସ ଅଫିସରଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦାଗୀ ମନ୍ତ୍ରୀଙ୍କୁ ଶାସନ ଦାୟିତ୍ୱ ଦେଇଛନ୍ତି କାହିଁକି? ତାହା ସ୍ପଷ୍ଟ କରନ୍ତୁ ।

ସେହିପରି ବଲାଙ୍ଗୀର, ରେମୁଣା ଓ ଜୟପୁରରେ ହତ୍ୟା ଓ ଅନ୍ୟ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କୁ ଟୋଲ ଗେଟ୍‌ରେ ଆକ୍ରମଣ ପ୍ରସଙ୍ଗ ଆଦି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରମାଣ ଦେଉଛି । ବିଜୁ ଜନତା ଦଳ ଅପରାଧି ତତ୍ତ୍ୱମାନଙ୍କୁ ଦଳ ଭିତରେ ସାମିଲ କରି ଆଗାମୀ ନିର୍ବାଚନରେ ଭୋଟରମାନଙ୍କୁ ଡରାଇ, ଧମକାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related story