Advertisment

ସମ୍ବଲପୁର ହିଂସା: ଶାସକ ବିଜେଡିକୁ ଦାୟି କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଟିମ୍‌ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ ବ୍ରିଜ୍ ଲାଲ୍ ଘଟଣାର ସିବିଆଇ ତଦନ୍ତ ସହ ଏ କ୍ଷେତ୍ରରେ ଏନ୍ଆଇଏର ସହଯୋଗ ନିଆଯିବାକୁ ଦାବି କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
BJP fact-finding team

BJP fact-finding team

ପୂର୍ବ ପ୍ରାୟୋଜିତ ଥିଲା ସମ୍ବଲପୁର ହିଂସା। ଏଥିପାଇଁ ଶାସନରେ ଥିବା ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ। ହିଂସାଗ୍ରସ୍ତ ଅଞ୍ଚଳର ଗ୍ରାଉଣ୍ଡ ଭିଜିଟ୍ ପରେ ଆଜି ଏଭଳି ଢଙ୍ଗରେ ବର୍ଷିଛି ବିଜେପିର କେନ୍ଦ୍ରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ। ଟିମ୍‌ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ ବ୍ରିଜ୍ ଲାଲ୍ ଘଟଣାର ସିବିଆଇ ତଦନ୍ତ ସହ ଏ କ୍ଷେତ୍ରରେ ଏନ୍ଆଇଏର ସହଯୋଗ ନିଆଯିବାକୁ ଦାବି କରିଛନ୍ତି। ଏଥିସହ ଆଜି ହିଂସାକାଣ୍ଡ ବେଳେ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାରଙ୍କୁ ନପାଇବା ପରେ ତାଙ୍କୁ କୁଆଡ଼େ ଗାଏବ୍ କରାଯାଇଥିବାର ସାଙ୍ଘାତିକ ଅଭିଯୋଗ ବି କରିଛି ଟିମ୍।

Advertisment

ଜାତୀୟ ଏସ୍‌ଟି କମିସନ୍ ସଦସ୍ୟଙ୍କ ପରେ ଗ୍ରାଉଣ୍ଡ ଜିରୋରେ ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ହିଂସାଗ୍ରସ୍ତ ସ୍ଥାନ ବୁଲି ଦେଖିବା ପରେ ପ୍ରେସମିଟ୍ କରି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି। ଟିମର ଅଧ୍ୟକ୍ଷ ଥିବା ଉତ୍ତରପ୍ରଦେଶର ପୂର୍ବତନ ପୁଲିସ୍ ଡିଜି ତଥା ସାଂସଦ ବ୍ରିଜ ଲାଲ ଅଭିଯୋଗ କରିଛନ୍ତି, ହିଂସା ପୂର୍ବ ପ୍ରୟୋଜିତ ଥିଲା। ୫ ତାରିଖରେ କେନ୍ଦ୍ର ସରକାର ଏବଂ ୧୧ ତାରିଖରେ ରାଜ୍ୟ ଗୁଇନ୍ଦା ବିଭାଗ ହିଂସା ଆଶଙ୍କାକୁ 
ନେଇ ଅବଗତ କରିବା ପରେ ମଧ୍ୟ ପ୍ରଶାସନ ଯେମିତି ପଦକ୍ଷେପ ନେବା କଥା ନେଇନଥିଲା। ତେଣୁ ଏଥିପାଇଁ ବିଜେଡି ସରକାରଙ୍କୁ ଦାୟୀ କରିବା ସହ ଦଳ ତୃଷ୍ଟିକରଣ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବ୍ରିଜ ଲାଲ୍। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ଏବଂ ଏ କ୍ଷେତ୍ରରେ ଏନ୍ଆଇଏର ସହଯୋଗ ନିଆଯିବାକୁ ସେ ଦାବି କରିଛନ୍ତି।

କେବଳ ସେତିକି ନୁହେଁ ବିଜେପି ଟିମ୍ ସଦସ୍ୟ ସମୀର ଓରାଅଁ ଅଭିଯୋଗ କରିଛନ୍ତି, ହିଂସା ଆଶଙ୍କାର ଇନ୍‌ପୁଟ୍ ଥିବା ସତ୍ତ୍ୱେ ଜିଲ୍ଲା ଏସ୍‌ପି ଏହି ସମୟରେ ହୋଟେଲରେ ମସ୍ତି କରୁଥିଲେ। ଏହା କେତେଦୂର ଠିକ।

Advertisment

ଆଜି ବିଜେପିର କେନ୍ଦ୍ରୀୟ ଟିମ୍ ସଦସ୍ୟମାନେ ମୃତକ ଚନ୍ଦ୍ରମଣି ମିର୍ଦ୍ଦାଙ୍କୁ ଭେଟିବାକୁ ତାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ। ସେଠି ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏସ୍‌ଟି କମିଶନ ସଦସ୍ୟଙ୍କ ଗସ୍ତ ସମୟରେ ବି ଚନ୍ଦ୍ରମଣିଙ୍କ ଘର ତାଲା ପଡ଼ିଥିବାରୁ ଟିମ୍  ତାଙ୍କୁ କିମ୍ବା ପରିବାରର କୌଣସି ସଦସ୍ୟଙ୍କୁ ଭେଟି ପାରି ନଥିଲେ। ତେଣୁ ଚନ୍ଦ୍ରମଣିଙ୍କ ପରିବାରକୁ ଗାଏବ କରାଯାଇଥିବାର ଅଭିଯୋଗ ଆଣିଛି ବିଜେପିର କେନ୍ଦ୍ରୀୟ ଟିମ୍।

ଚନ୍ଦ୍ରମଣିଙ୍କ ଗାଁ ଲୋକଙ୍କ ସହ ଆଲୋଚନା ପରେ ଟିମ୍ ସଦସ୍ୟ ଯୁଜୁମୁରା ବ୍ଲକ ଭବାନୀପାଲି ଗାଁର ଆହତ କାଳିଆ ଶିଖାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହାପରେ ସମ୍ବଲପୁର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସମେତ ପୁଲିସ ଆଇଜିଙ୍କ ସହ ବି ଆଲୋଚନା କରିଥିଲେ ଟିମ୍ ସଦସ୍ୟ। ଖୁବ୍‌ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟିମ୍ ଏହାର ରିପୋର୍ଟ ଦେବ।

ସମ୍ବଲପୁର ହିଂସାକୁ ନେଇ ଏବେ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ସମସ୍ତ ପୂର୍ବ ସୂଚନା ଥାଇ ବି ହିଂସା ଏଡ଼ାଇବାକୁ କାହିଁକି ପ୍ରାକ୍ ପଦକ୍ଷେପ ନିଆଯାଇ ନଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।

ସମ୍ବଲପୁରରେ ଜନଜୀବନ ସ୍ୱଭାବିକ ହେବାରେ ଲାଗିଛି। ତେବେ କାହା ଭୁଲରୁ ଏତେବଡ଼ ହିଂସାକାଣ୍ଡ ଘଟିଲା ସେନେଇ ଆଲୋଚନା ଥମିବାର ନାଁ ଧରୁନି।

ବିଜେପି ଟିମ୍‌ର ଅଭିଯୋଗର ଯାହାର ରଖି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ପରିସ୍ଥିତିକୁ ଆହୁରି ଅଶାନ୍ତ କରିବାକୁ ବିଜେପି ଚେଷ୍ଟା କରୁଛି। ପାଣିକୁ ଗୋଳିଆ କରି ମାଛ ଧରିବାକୁ ଚେଷ୍ଟା କରୁଛି। 

Bjd Politics Sambalpur Violence