/odisha-reporter/media/post_attachments/uploadimage/library/16_9/16_9_0/BMC_Office_1675962136.jpg)
BMC Office
ବିଏମସିର ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ହାଇକୋର୍ଟ ବେଆଇନ ବୋଲି କହିବା ପରେ ରାଜ୍ୟ ବିଜେପି ଏହା ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ଶକ୍ତ ଚାପୁଡ଼ା ବୋଲି କହିଛି। ଭୁବନେଶ୍ୱରବାସୀଙ୍କଠୁ ନେଇଥିବା ବର୍ଦ୍ଧିତ ହୋଲଡିଂ ଟିକସକୁ ତୁରନ୍ତ ସୁଧ ସହ ଫେରାଇବାକୁ ବିଜେପି ଦାବି କରିଛି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ରଦ୍ଦ ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଭୁବନେଶ୍ୱରବାସୀ ଆଶ୍ୱସ୍ତି ହୋଇଛନ୍ତି। ବିଏମସି ମନମୁଖୀ ହୋଲଡିଂ ଟିକସ ବୃଦ୍ଧି କରିଥିଲା । ବିଜେପି ମଧ୍ୟ ଏଭଳି ଜନବିରୋଧୀ ନୀତିକୁ ବିରୋଧ କରିବା ସହ ବ୍ୟାପକ ଜନ ଆନ୍ଦୋଳନ କରିଥିଲା । କିନ୍ତୁ ରାଜ୍ୟ ସରକାର ଲୋକଙ୍କ କଥାକୁ କର୍ଣ୍ଣପାତ ନକରି ଜିଦ୍ କରି ଜିଜିୟା କର ଭଳି ରାଜଧାନୀବାସୀଙ୍କ ଉପରେ ଏହି ବର୍ଦ୍ଧିତ ହୋଲଡିଂ ଟିକସକୁ ଲଦି ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ପରେ ବିଏମସିର ଜନବିରୋଧୀ ମୁଖା ଖୋଲିଯାଇଛି ବୋଲି ସେ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ହୋଲଡିଂ ଟିକସ ବୃଦ୍ଧି କରିବା ନିଷ୍ପତ୍ତି ନେବା ପୂର୍ବରୁ ବିଏମସି ପ୍ରଶାସନିକ ପ୍ରକ୍ରିୟା ଅନୁପାଳନ କରିନଥିଲା । ପୌର ଆଇନର ଧାରା- ୨୧୫ ଅନୁସାରେ ମୂଲ୍ୟାଙ୍କନ କମିଟି ଗଠନ ହେବାର ନିୟମ ରହିଛି । ଏଥିରେ ଜଣେ ପୂର୍ବତନ ଜଜଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବା ସହିତ ୩ ରୁ ୬ଜଣ ସଦସ୍ୟ ରହିଥାନ୍ତି । ଟିକସ ବୃଦ୍ଧି ପୂର୍ବରୁ ଉକ୍ତ କମିଟି ଆଲୋଚନା ଓ ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ନେଇଥାଏ । ଏହାପରେ ବିଏମସିର ଫାଇନାନ୍ସ ଏବଂ ଟ୍ୟାକ୍ସେସନ୍ କମିଟି ଅଧ୍ୟକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥାଏ । ଆଉ ଶେଷରେ ବିଏମସି ପରିଷଦ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଏ । କିନ୍ତୁ ଏ ସମସ୍ତ ପ୍ରକ୍ରିୟାକୁ ଅବଲମ୍ବନ ନକରି ବିଏମସି ମନମୁଖୀ ଏହି ହୋଲଡିଂ ଟିକସ ବୃଦ୍ଧି କରିଥିଲେ । ବିଏମସି ଜୋର ଜବରଦସ୍ତ ଅନେକ ଲୋକଙ୍କଠାରୁ ବର୍ଦ୍ଧିତ ଦରରେ ହୋଲଡିଂ ଟିକସ ଆଦାୟ କରିଥିଲା । ହାଇକୋର୍ଟ ଏହି ବର୍ଦ୍ଧିତ ନିଷ୍ପତ୍ତିକୁ ରଦ୍ଦ କରିଥିବାରୁ ଯେଉଁ ଲୋକଙ୍କଠୁ ଟିକସ ଆଦାୟ ହୋଇଛି ସେମାନଙ୍କୁ ବିଏମସି ତୁରନ୍ତ ସୁଧମୂଳ ସହ ଫେରସ୍ତ କରିବା ପାଇଁ ବିଜେପି ଦାବି କରିଛି । ଯଦି ରାଜ୍ୟ ସରକାର ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ ତା’ହେଲେ ବିଜେପି ରାଜଧାନୀବାସୀଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
