ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ବା ରେରା ଆଦେଶକୁ ଫୁ କରି ଉଡ଼ାଇ ଦେଉଛନ୍ତି ବିଲ୍ଡର। ଏମିତିକି ଜରିମାନା ଅସୁଲି ପାଇଁ ରେରା ନିର୍ଦ୍ଦେଶକୁ ବି ଢିଲାରେ ନେଉଛି ପ୍ରଶାସନ। ସୂଚନା ଅଧିକାର ଆଇନ୍ ରେ ମଗାଯାଇଥିବା ଏକ ତଥ୍ୟରୁ ହୋଇଛି ଏଭଳି ଖୁଲାସା। ଗୋଟିଏ ପରେ ଗୋଟିଏ ରାୟ ଦେଉଛି, ହେଲେ କାର୍ଯ୍ୟକାରିତା ଶୂନ। ରେରା ନିର୍ଦ୍ଦେଶକୁ ନା ବିଲ୍ଡର ମାନୁଛନ୍ତି, ନା ପ୍ରଶାସନ।
ଏହାକୁ ନେଇ ହାଇକୋର୍ଟରେ ହୋଇଛି ଜନସ୍ୱାର୍ଥ ମାମଲା। ଏପଟେ ରେରା କହିଛି, ବର୍ତ୍ତମାନ ସୁଦ୍ଧା ୨୮୦ ବିଲ୍ଡରଙ୍କଠୁ ଆଦାୟ ହେଲାଣି ୧ କୋଟି ୩୮ ଲକ୍ଷ ଟଙ୍କାର ଜରିମାନ।
ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ଆରଟିଆଇ ତଥ୍ୟ କହୁଛି, ରେରା ନିର୍ଦ୍ଦେଶକ୍ରମେ ବିଲ୍ଡରଙ୍କ ନିକଟରୁ ଜରିମାନା ଅସୁଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏଡିଏମ୍ଙ୍କ କାର୍ଯ୍ୟାଳୟକୁ ୫୩ଟି ମାମଲା ଆସିଛି। ହେଲେ କୌଣସି ଗୋଟିଏ ବି ମାମଲାରେ ଅସୁଲ ହୋଇନି ଟଙ୍କାଟିଏର ଜରିମାନା।
ସେପଟେ ଏହାକୁ ଆଧାର କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରିୟଲ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ। ଏ ପ୍ରସଙ୍ଗରେ ଓରେରାଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ରେରାର ଏଭଳି ଅବସ୍ଥା ଦେଖି ନ୍ୟାୟ ଲାଗି ଦ୍ୱାରସ୍ଥ ହେବାକୁ ଏବେ ଅନିଚ୍ଛା ପ୍ରକାଶ କଲେଣି ବାସଗୃହ କ୍ରେତା।
ରିଅଲ୍ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ଓରେରା କାର୍ଯ୍ୟ କରିବାକୁ ୬ ବର୍ଷ ପୂରିଛି। ହେଲେ ଯେଉଁ ଆଶାରେ ଗ୍ରାହକମାନେ ରେରା ପାଖକୁ ଗଲେ ତାହା ପୂରଣ ହୋଇପାରିଲା ନାହିଁ। ନିୟମ ଖିଲାପକାରୀଙ୍କ ଠାରୁ ଟଙ୍କାଟିଏ ଜରିମାନା ଆଦାୟ ହୋଇପାରିଲା ନାହିଁ। ତେଣୁ ରେରାର ସ୍ଥାୟୀତ୍ୱ ଓ ଅସ୍ତିତ୍ୱକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆବେଦନକାରୀଙ୍କ ଓକିଲ ମୋହିତ ଅଗ୍ରୱାଲ କହିଛନ୍ତି, ଦିଆଯାଇଥିବା କ୍ଷମତାକୁ ରେରା ଠିକ୍ ଭାବେ ବ୍ୟବହାର କରୁ ନ ଥିବା କୋର୍ଟରେ ଅଭିଯୋଗ କରାଯାଇଛି। ଏହା ଘର କ୍ରେତାଙ୍କ ପକ୍ଷରେ ନଯାଇ ଓଲଟା ବିଲ୍ଡରଙ୍କ ପାଇଁ କାରିଗରୀ ସାବ୍ୟସ୍ତ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ କ୍ରେତାମାନେ ରେରାକୁ ଯାଇ ହଇରାଣ ହେଉଛନ୍ତି।
ଅନ୍ୟପକ୍ଷରେ ଆଦେଶ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗକୁ ଖଣ୍ଡନ କରିଛି ଓରେରା। ଏକ ପ୍ରେସ୍ ବିବୃତିରେ ଓରେରା କହିଛି, ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ନିୟମ ଉଲ୍ଲଂଘନ ପାଇଁ ବିଭିନ୍ନ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପକୁ ୨୦ କୋଟି ୨୨ ଲକ୍ଷ ୧୭ ହଜର ୫ ଶହ ଟଙ୍କାର ଜରିମାନା ହୋଇଛି। ସେଥିମଧ୍ୟରୁ ୨୪୦ଟି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପଠାରୁ ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ଆଦାୟ ହୋଇସାରିଲାଣି।
ଓରେରା ଓକିଲ ବିଭୁପ୍ରସାଦ ତ୍ରିପାଠୀ କହିଛନ୍ତି, ଓରେରା କର୍ତ୍ତୃପକ୍ଷ ଖୁବ୍ କମ୍ ସମୟ ଭିତରେ ଅଭିଯୋଗଗୁଡ଼ିକର ବିଚାର କରି ରାୟ ପ୍ରକାଶ କରୁଛନ୍ତି। ଅଧିକାଂଶ ସମୟରେ ରାୟଗୁଡ଼ିକ କାର୍ଯ୍ୟକାରୀ ହେଉଛି। ଯେଉଁ କ୍ଷେତ୍ରରେ ରେରା ରାୟ ବିରୋଧରେ ଉପରିସ୍ଥ କୋର୍ଟକୁ ମାମଲା ଯାଉଛି ସେହି ଘଟଣାଗୁଡ଼ିକରେ ରେରା ରାୟ କାର୍ଯ୍ୟକାରୀ କରିବା ସମ୍ଭବପର ନୁହେଁ।
ଏସବୁ ଭିତରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରତିବନ୍ଧକକୁ ବର୍ଷେ ପୂରିଲାଣି। ତଥାପି ମଧ୍ୟ ଆସିପାରିଲାନି ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଆଇନ। ତୁଟୁନି ପଞ୍ଜୀକରଣ ସମସ୍ୟା।