Advertisment

ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା, ଅତନୁଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ

୨୦୨୨ରେ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା।

author-image
Ordigital Desk
ଅଦ୍ୟତନ ହୋଇଛି
Rohit Pujari

Rohit Pujari

ମାତ୍ର ୧୨ମାସ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ମନ୍ତ୍ରୀ ପଦ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚାିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଗତ ଦୁଇଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ସୁଧାକର ନାଏକଙ୍କୁ ସରକାର ପ୍ରତ୍ୟାହାର କରିନେଇଥିଲେ ।

Advertisment

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ କରିଥିବା ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଇତିମଧ୍ୟରେ ଅନୁମୋଦନ କରିବା ସହ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନ ଆଧାରରେ ରୋହିତ ପୂଜାରୀଙ୍କ ନେତୃତ୍ୱାଧୀନ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠୁ ଖରାପ ଥିବାରୁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଉଛି । ମାତ୍ର ଶ୍ରୀ ପୂଜାରୀ ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ଓ ଗତବର୍ଷ ଜୁନ୍ ୫ତାରିଖରେ ବିଭାଗର ଦାୟିତ୍ୱ ନେଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ବିଭାଗର ସମୀକ୍ଷା ଚଳିତବର୍ଷ ମେ’ ୨୫ତାରିଖରେ କରିବା ସମୟରେ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।  କିନ୍ତୁ ଅଚାନକ ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ ବିଭାଗର କାର୍ଯ୍ୟର ପ୍ରଦର୍ଶନର ଆଳ  ଦିଆଯିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ’ ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଯାଇ ଫେରିବା ପରେ ହିଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ନିଷ୍ପତ୍ତି ନିଆଯାଇ ସାରିଥିଲା । ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ଶୁଭାରମ୍ଭ ଓ ସେଠାରେ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗ ଦେବା ଚୂଡ଼ାନ୍ତ ସରିଥିବାରୁ ସେ ସିଙ୍ଗାପୁରରୁ ଫେରିବାକୁ ଅପେକ୍ଷା କରାଯାଇଥିଲା । ଶ୍ରୀ ପୂଜାରୀ ଓଡ଼ିଶା ଫେରିବା ପରଦିନ ହିଁ ତାଙ୍କର ବ୍ୟକ୍ତିଗତ ସଚିବ ସୁଧାକର ନାଏକଙ୍କୁ ଜୁନ୍ ୭ତାରିଖ ଅପରାହ୍ନରୁ ପ୍ରତ୍ୟାହାର କରିନିଆଯାଇଥିଲା ଓ ଶ୍ରୀ ନାଏକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଶ୍ରୀ ପୂଜାରୀ ଗତ ଜୁନ୍ ୩ରୁ ୬ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ଯାଇ ସେଠାରେ ଥିବା ଓଡ଼ିଆ ସମାଜକୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରିବାର ୨୪ଘଣ୍ଟା ନପୁରୁଣୁ ତାଙ୍କୁ ମନ୍ତ୍ରୀ ପଦରୁ ବାଦ୍ ଦେବା ପାଇଁ ରାଜଭବନକୁ ସୁପାରିଶ କରାଯାଇ ସାରିଥିଲା ।

Advertisment

ସମ୍ବଲପୁରରେ ବିଜେଡି ସଂଗଠନ ଭଲ ସ୍ଥିତିରେ ନଥିବା, ୬୦ବର୍ଷରୁ ଅଧିକ ବ୍ୟକ୍ତି ନିର୍ବାଚନ ନଲଢ଼ିବା ପାଇଁ ରୋହିତଙ୍କ ବୟାନ ଦେବା ଏବଂ ବିଶେଷକରି ରୋହିତ ଏବେ ବିଜେପି କ୍ୟାମ୍ପ ସହ ଯୋଗାଯୋଗରେ ଥିବାର ଚର୍ଚ୍ଚା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ମେ’ ୨୨ତାରିଖରେ ନବୀନ ନିଜ ମନ୍ତ୍ରିମଣ୍ଡଳରେ ୩ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦେଇଥିଲେ । ସେତେବେଳେ ୨ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରୋହିତଙ୍କ ପଦ ସୁରକ୍ଷିତ ଥିଲା ।

Bhubaneswar Cmo Of Odisha