ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ। ଏହି ଗସ୍ତ ଭିତରେ ମୁଖ୍ୟମନ୍ତ୍ରୀ ଟୋକିଓ,କ୍ବୋଟୋ, ଓସାକା ଆଦି ସ୍ଥାନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏପ୍ରିଲ ୩ରେ ଜାପାନ ଗସ୍ତରେ ଯାଇ ୯ତାରିଖରେ ଫେରିବେ । ଏହି ସପ୍ତାହବ୍ୟାପୀ ଗସ୍ତକାଳରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା ପ୍ରମୁଖ ଯିବେ ବୋଲି ଜଣାପଡ଼ିଛି । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଏହି ଗସ୍ତରେ ଯିବାର ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ । ଓଡ଼ିଶାରେ ବିଶେଷକରି ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନାର ଫାଇଦା ନେବାକୁ ଆହ୍ୱାନ କରିବେ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ‘ଜାପାନ’ କଣ୍ଟ୍ରି ପାଟର୍ନର ଭାବେ ସାମିଲ ହୋଇଥିଲା । ୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।