Advertisment

ମୁଖ୍ୟମନ୍ତ୍ରୀ ଗଲେ, ମୁହଁ ଖୋଲିଲେନି; ଶ୍ରଦ୍ଧାଞ୍ଜଳି ସଭାକୁ ଡ୍ରାମା କହିଲା ବିଜେପି

ନବଙ୍କ ହତ୍ୟା ପଛର କାରଣ ଏବେବି ରହସ୍ୟଜନକ ହୋଇ ରହିଥିବାରୁ ସ୍ଥାନୀୟ ଲୋକ ଓ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ରୋଷ ଲାଗି ରହିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
CM Naveen Patnaik

CM Naveen Patnaik

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ୧୨ଦିନ ପରେ ବି ହତ୍ୟା ପଛର କାରଣ ଖୋଜିବାରେ ରାଜ୍ୟ କ୍ରାଇମବ୍ରାଂଚ ସକ୍ଷମ ହୋଇନଥିବାବେଳେ ଆଜି ଝାରସୁଗୁଡ଼ାଠାରେ ବିଶାଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକରେ ସାମିଲ ହୋଇଥିଲେ ମଧ୍ୟ ସେଠାରେ ପଦୁଟିଏ ମୁହଁ ଖୋଲିନାହାନ୍ତି । ଏପଟେ ଶ୍ରଦ୍ଧାଞ୍ଜଳି ସଭାକୁ ଦଳୀୟ କାର୍ଯ୍ୟକ୍ରମ କହି ବିଜେପି କଡ଼ା ସମାଲୋଚନା କରିବା ସହ ଏହା ଶ୍ରଦ୍ଧାଞ୍ଜଳି ସଭା ନା ଡ୍ରାମା ବୋଲି ପ୍ରଶ୍ନ କରିଛି । ଆଉ ଆଜିର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ ସିଂଙ୍କ ଅନୁପସ୍ଥିିତିକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ାର ସରବହାଲଠାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ବିରାଟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ ମଧ୍ୟ ବିଜେଡି ସେଠାରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ନବଙ୍କ ହତ୍ୟା ପଛର କାରଣ ଏବେବି ରହସ୍ୟଜନକ ହୋଇ ରହିଥିବାରୁ ସ୍ଥାନୀୟ ଲୋକ ଓ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ରୋଷ ଲାଗି ରହିଛି । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ବରିଷ୍ଠ ନେତାମାନେ ସାମିଲ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାତ୍ର ୨୦ରୁ ୨୫ମିନିଟ୍ ପାଇଁ ସେଠାକୁ ଯାଇଥିଲେ । ମାତ୍ର ଶ୍ରଦ୍ଧାଞ୍ଜଳି ସଭାକୁ ସମ୍ବୋଧିତ କରିବା କିମ୍ବା ନବଙ୍କ ସ୍ମୃତିଚାରଣରେ ପଦୁଟିଏ ନକହି ଫେରି ଆସିଥିଲେ । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି କର୍ମୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବବିଙ୍କ ଖାସ୍ ଅନୁଗତ ତଥା ପଡ଼ୋଶୀ ବରଗଡ଼ ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ସୁଶାନ୍ତ ସିଂ ମଧ୍ୟ ଅନୁପସ୍ଥିତ ରହିଥିଲେ । ସୁଶାନ୍ତଙ୍କ ପ୍ରତି ନବଙ୍କ ସମର୍ଥକମାନଙ୍କ ମଧ୍ୟରେ ଆକ୍ରୋଶ ରହିଥିବାରୁ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଆଜିର ଶ୍ରଦ୍ଧାଞ୍ଜଳି ସଭାରୁ ତାଙ୍କୁ ଦୂରେଇ ରଖାଯାଇଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜିର ଶ୍ରଦ୍ଧାଞ୍ଜଳି ସଭାକୁ ରାଜନୀତିକ ଉଦ୍ଦେଶ୍ୟରେ ଆୟୋଜିତ ସମାବେଶ କହି ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଏହା ଶ୍ରଦ୍ଧାଞ୍ଜଳି ସଭା ନା ଡ୍ରାମା ସେ ଜାଣିପାରୁନାହାନ୍ତି । କୌଣସି ବ୍ୟକ୍ତିଙ୍କ ଦ୍ୱାଦଶାହ(୧୨ଦିନ)କୁ ରାଜନୀତିକ ଉଦ୍ଦେଶ୍ୟରେ ଆୟୋଜନ କରାଯିବା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କୁ ଏହି ରାଜନୀତିକ କାର୍ଯ୍ୟକ୍ରମକୁ କାହିଁକି ନିମନ୍ତ୍ରଣ କରାଯିବ ଓ ଏହା ସମ୍ପୂର୍ଣ୍ଣ ଭାବେ ବିଜେଡି କାର୍ଯ୍ୟକ୍ରମ ବୋଲି ଶ୍ରୀ ମିଶ୍ର କହିଛନ୍ତି । ବିଜେଡି ଜଣେ ରାଜନେତାଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁଛି । ଏଭଳି ମାନସିକତା ରଖି ସେମାନେ କେମିତି ଓଡ଼ିଶାବାସୀଙ୍କ ଭଲ ଚିନ୍ତା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ଆଜିର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ରୋହିତ ପୂଜାରୀ, ଅଶୋକ ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢ଼ୋଲକିଆ,ସମୀର ରଞ୍ଜନ ଦାଶଙ୍କଠୁ ଆରମ୍ଭ କରି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଶାରଦା ନାୟକ, ଦିବ୍ୟଶଙ୍କର ମିଶ୍ର, ସୁବାସ ସିଂ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସାମିଲ ହୋଇଛନ୍ତି । ତେବେ ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ସେଠାରେ ପଦୁଟିଏ କହିଲେ ନାହିଁ ତାକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

BjD Bjp Naveen Patnaik Cmo Of Odisha Naba Das Naba Das Murder