Advertisment

ପୁଲିସ ପଞ୍ଝାରେ ରାଜଧାନୀର ବାଉନସର୍‌ ଗ୍ୟାଙ୍ଗ୍‌

ଗତ ୨୪ ତାରିଖରେ ଗ୍ୟାଙ୍ଗ ସଦସ୍ୟ ମାନେ ସୁପାରୀ ନେଇ ସୁବାସ ଅଗ୍ରୱାଲ ଓ ପ୍ରଦୀପ ସାମଲ ନାମକ ଦୁଇ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିବା ସହ ଲୁଟପାଟ କରିଥିଲେ।

Bouncer Gang

Bouncer Gang

Advertisment

ରାଜଧାନୀ ଭୁବନେଶ୍ୱରରେ ଦବଙ୍ଗଗିରି ଦେଖାଉଥିବା ବାଉନସର ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ୍‌। ବିଭିନ୍ନ ବିବାଦୀୟ ଜମିକୁ ଅକ୍ତିଆର ପାଇଁ ଏହି ଗ୍ୟାଙ୍ଗର ସଦସ୍ୟମାନେ ନେଉଥିଲେ ସୁପାରୀ। ନୟାପଲ୍ଲୀ ଥାନା ଅଞ୍ଚଳରେ ୨ଟି ଦୋକାନ ଘର ଭାଙ୍ଗିବା ଓ ଗୁଣ୍ଡାଗର୍ଦ୍ଦି କରିବା ଅଭିଯୋଗରେ ଗ୍ୟାଙ୍ଗର ୭ ଜଣ ବାଉନସରଙ୍କୁ ପୁଲିସ୍‌ ଗିରଫ କରିବା ପରେ ଆସିଛି ସାଂଘାତିକ ତଥ୍ୟ। 

Advertisment

ଗତ ୨୪ ତାରିଖରେ ଗ୍ୟାଙ୍ଗ ସଦସ୍ୟ ମାନେ ସୁପାରୀ ନେଇ ସୁବାସ ଅଗ୍ରୱାଲ ଓ ପ୍ରଦୀପ ସାମଲ ନାମକ ଦୁଇ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିବା ସହ ଲୁଟପାଟ କରିଥିଲେ। ଜେସିବି ଲଗାଇ ସେମାନେ ଦୋକାନକୁ ମାଟିରେ ମିଶାଇ ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ୍‌ ବାଉନସର ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି। 

ଗ୍ୟାଙ୍ଗର ମୁଖ୍ୟ ହେଉଛି ନକୁଳ ମହାକୁଡ଼। ତା’ ନାଁରେ ଏକାଧିକ ମାମଲା ରହିଛି। ଏପରି କି ସେ ଜଣେ ପେଶାଗତ ଅପରାଧୀ ହୋଇଥିବାରୁ ତା’ ନାଁରେ ଏନଏସଏ ମଧ୍ୟ ଲାଗିଥିଲା। କେବଳ ମହାକୁଡ଼ ନୁହେଁ, ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ନାଁରେ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମସ୍ତଙ୍କୁ କୋର୍ଟ ନେବା ବେଳେ ଖାଲି ଦେହ କରି ଦିଆଯାଇଥିଲା। ବଡି ଓ ଟାଟୁ କରି ବେୟାର ବଡିରେ ସେମାନେ ମଧ୍ୟ ଦବଙ୍ଗ ଷ୍ଟାଇଲରେ କୋର୍ଟରେ ହାଜର ହେବାକୁ ଯାଇଥିଲେ।

Advertisment

ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, “୨୫ ତାରିଖ ଦିନ ନୟାପଲ୍ଲୀ ଥାନାରେ ଗୋଟିଏ କେସ୍‌ କରାଯାଇଥିଲା। ଅଭିଯୋଗକାରୀ କହିଥିଲେ ଯେ ୨୪ ତାରିଖ ରାତିରେ ଆମ୍ବାସୀ ହୋଟେଲ ପାଖରେ ଥିବା ତାଙ୍କର ଦୋକାନକୁ ଜେସିବି ଲଗାଇ କିଛି ଲୋକ ଭାଙ୍ଗି ଦେଇଥିଲେ।

ଏଥିସହ ଦୋକାନରେ କାମ କରୁଥିବା ଲୋକଙ୍କ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଲୁଟପାଟ କରିଥିଲେ। ଲୋକଙ୍କୁ ଭୟଭୀତ କରାଇଥିଲେ। ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ୍‌ ବେଶ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଥିଲା ଓ ୪ଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା। ନୟାପଲ୍ଲୀ ପୁଲିସ୍‌ ଟିମ ତଦନ୍ତ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା ଯେ ଯୋଜନାବଦ୍ଧ ଭାବେ ଦୋକାନ ଭଙ୍ଗାଯାଇଛି ଓ ଲୋକଙ୍କୁ ଭୟଭୀତ କରିବା ପାଇଁ ଲୁଟପାଟ କରାଯାଇଛି।

ଦୋକାନ ମାଲିକ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉକ୍ତ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା। ସମ୍ପର୍କୀୟମାନେ ହିଁ କିଛି ଲୋକଙ୍କୁ ସୁପାରୀ ଦେଇ ଏପରି କାମ କରାଇଥିଲେ। ଅଧିକ ତଦନ୍ତ ପରେ ଜଣାପଡ଼ିଥିଲା ଯେ ଗୋଟିଏ ରାକେଟ ବେଶ ସଂଗଠିତ ଭାବେ ସୁପାରୀ ନେଇ ଏପରି କାମ କରୁଛି। ବିଶେଷ କରି ବିବାଦୀୟ ଜମି ହଡ଼ପ ଓ ଅନ୍ୟାନ୍ୟ କାମ ପାଇଁ ଏହି ରାକେଟ ଟଙ୍କା ନେଇ କାମ କରିଥାଏ।

ଲୋକଙ୍କୁ ଧମକାଇ ମାମଲାର ବୁଝାମଣା କରିବା, ବଳ ପୂର୍ବକ ଟଙ୍କା ଆଦାୟ କରିବା ଆଦି ସେମାନଙ୍କର କାମ। ଭୁବନେଶ୍ୱରରେ ୩ରୁ ୪ଟି ଏପରି ଗ୍ୟାଙ୍ଗ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ଲୋକଙ୍କ ପାଖକୁ ଯିବା ସହ ସେମାନଙ୍କୁ ଧମକାଇ ପୁଲିସ୍‌ରେ ଅଭିଯୋଗ ନ କରିବାକୁ କୁହନ୍ତି। ଧମକ ପାଇ ମଧ୍ୟ ଭୟରେ କିଛି ଲୋକ ପୁଲିସ୍‌ ପାଖକୁ ଆସି ନାହାନ୍ତି।

ହେଲେ ନୟାପଲ୍ଲୀ କେସ୍‌ରେ ପୁଲିସ୍‌ ଅଭିଯୋଗ ପାଇଥିଲା। ଅଭିଯୋଗ ପାଇବା ପରେ ବେଶ ସକ୍ରିୟ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡିଓ ଫୁଟେଜ ଓ ଅନ୍ୟାନ୍ୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଘଟଣା ଘଟାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା ଓ ସେମାନଙ୍କୁ ଗିରଫ କରାଯାଇଛି।

ଘଟଣାର ସାମିଲ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଏହି ୭ ଜଣ ଯାକ ମୁଖ୍ୟତଃ ବାଉନସର ଭାବେ କାମ କରୁଥିଲେ। ଲୋକଙ୍କୁ ବଳ ଦେଖାଇ ଡରାଇବା ଓ ଧମକାଇବା ଏମାନଙ୍କର ପାର୍ଟ ଟାଇମ କାମ ଥିଲା। ଗିରଫ ୭ ଜଣଙ୍କ ମଧ୍ୟରେ ନକୁଳ ମହାକୁଡ଼ ରହିଛି। ନକୁଳ ଜଣେ ଅଭ୍ୟାସ ଗତ ଅପରାଧୀ। ତା’ ନାଁରେ ୯ଟି ମାମଲା ରହିଛି।

ଅନ୍ୟ ୬ ଜଣ ହେଲେ ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ଏମାନେ ମଧ୍ୟ ପୂର୍ବରୂ ଏପରି ଅନେକ କାମ କରିଥିଲେ। ସମସ୍ତ ଅଭିଯୁକ୍ତ ୨୪ ତାରିଖ ରାତିରେ ଉକ୍ତ ଦୋକାନ ପାଖରେ ଛିଡ଼ା ହୋଇ ଲୋକଙ୍କୁ ଧମକାଇଥିଲେ। ଏଥିସହ ଭଙ୍ଗାରୁଜା କରିଥିଲେ। ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଘଟଣା ପଛରେ ଥିବା ଲୋକଙ୍କୁ ମଧ୍ୟ ଧରିବାକୁ ଚେଷ୍ଟା କରାଯାଉଛି। ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଘବ ଜେନାକୁ ମଧ୍ୟ ଧରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେଉଛି। ତା’ ଘରେ ରେଡ୍‌ କରାଯାଇଥିଲା। ହେଲେ ସେ ଆଗୁଆ ଖବର ପାଇଁ ସେଠାରୁ ଖସି ଯାଇଛି।”

ଏଥିସହ ଡିସିପି ସିଂହ ଭୁବନେଶ୍ୱରବାସୀଙ୍କୁ ଏପରି ଘଟଣା ଘଟାଉଥିବା ଲୋକଙ୍କ ବିରୋଧରେ ମୁହଁ ଖୋଲିବାକୁ ଅନୁରୋଧ କରିଛନ୍ତି। ହେଲପ ଲାଇନ ନମ୍ବର ୭୦୭୭୭୯୮୧୧୧କୁ କଲ କରି କିମ୍ବା ମେସେଜ କରି ଅଭିଯୋଗ କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

Odisha Bhubaneswar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe