Advertisment

ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଜାଲିଆତି ପରେ ଚିନ୍ତାରେ ସରକାର, ଜାରି କଲେ ଗାଇଡଲାଇନ୍‌

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)  ହିତାଧିକାରୀଙ୍କୁ ପ୍ରଲୋଭିତ ଓ ଜାଲିଆତି କରି ବିଭିନ୍ନ ହସ୍ପିଟାଲଗୁଡ଼ିକ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବାର ଅନେକ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ।

author-image
Ordigital Desk
Biju health card fraud

Biju health card fraud

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)  ହିତାଧିକାରୀଙ୍କୁ ପ୍ରଲୋଭିତ ଓ ଜାଲିଆତି କରି ବିଭିନ୍ନ ହସ୍ପିଟାଲଗୁଡ଼ିକ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବାର ଅନେକ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଘରୋଇ ନର୍ସିଂହୋମ୍ ଓ ହସ୍ପିଟାଲଗୁଡ଼ିକରେ ଚାଲିଥିବା ବିଏସକେୱାଇ କାର୍ଡ ଜାଲିଆତି ନେଇ ସମ୍ପୃକ୍ତ ଅନୁଷ୍ଠାନର ମାଲିକମାନଙ୍କ ବିରୁଦ୍ଧରେ ଅଦ୍ୟାବଧି ଆଖିଦୃଶିଆ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିବାରେ ସକ୍ଷମ ହୋଇନଥିବା ରାଜ୍ୟ ସରକାର ଆଜି ବିଏସକେୱାଇ କାର୍ଡରେ ଜାଲିଆତି ଓ ଦୁରୂପଯୋଗ ରୋକିବା ପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି ।

Advertisment

ବିଏସକେୱାଇ ହିତାଧିକାରୀମାନେ ଯେଭଳି ଠକାମୀର ଶିକାର ନହେବେ ସେଥିପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ପୁଲିସ ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଏକ ଗାଇଡଲାଇନ୍ ଜାରି ହୋଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ଏହି ଗାଇଡଲାଇନ୍ ଜାରି କରି ବିଏସକେୱାଇ ହିତାଧିକାରୀଙ୍କୁ ସଚେତନ କରିବା ସହ ସେମାନଙ୍କୁ ପ୍ରଲୋଭିତ କରି ହେଉଥିବା ଜାଲିଆତିକୁ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ଓ ମହିଳାମାନଙ୍କୁ ସାମଗ୍ରିକ  ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମୂଳ ଲକ୍ଷ୍ୟ । ରାସନକାର୍ଡ ଥିବା ରାଜ୍ୟର ୯୬.୫୦ଲକ୍ଷ ପରିବାରକୁ ବିଏସକେୱାଇ ମାଧ୍ୟମରେ ୫ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଯୋଗାଇ ଦିଆଯାଉଛି ।

Advertisment

ତେବେ କେତେକ ଖଳପ୍ରକୃତିର ଲୋକ ଏହି ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ଠକାମୀ କରୁଥିବା ନିକଟ ଅତୀତରେ ସରକାରଙ୍କ ନଜରକୁ ଆସିଛି । ଏଥିପାଇଁ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀ ଓ ହିତାଧିକାରୀମାନଙ୍କୁ ସଚେତନ କରିବା ନିମନ୍ତେ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି ।

ଯେଉଁସବୁ ପ୍ରସଙ୍ଗରେ ହିତାଧିକାରୀ ଓ କ୍ଷେତ୍ରସ୍ତରର କର୍ମଚାରୀଙ୍କୁ ସଚେତନ କରିବାକୁ କୁହାଯାଇଛି ସେଗୁଡ଼ିକ ହେଲା-

୧- ବିଏସକେୱାଇ କାର୍ଡର ନବୀକରଣ ପ୍ରତିବର୍ଷ ସ୍ୱତଃପ୍ରବୃତ୍ତ ଭାବେ ହୋଇଥାଏ । ଏଥିପାଇଁ କୌଣସି ଅଫିସକୁ ଯିବାକୁ ପଡ଼େନି କିମ୍ବା ଦେୟ ଦେବାକୁ ପଡ଼ିନଥାଏ ।

୨-ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ ।

୩-ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି ।

୪-ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।

ହିତାଧିକାରୀମାନେ ଯେଭଳି ଠକାମୀର ଶିକାର ନହେବେ ସେଥିପାଇଁ ବିଏସକେୱାଇରେ ୩ ପ୍ରକାରର ତନଖି ବ୍ୟବସ୍ଥା କରାଯାଇଛି । ଆଇରିସ୍ ସ୍କାନ,ବାୟୋମେଟ୍ରିକ ସ୍କାନ ଓ ଓଟିପି ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ହିତାଧିକାରୀଙ୍କୁ ସୂଚିତ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ଦ୍ୱାରା ବିଏସକେୱାଇ କାର୍ଡ ଜାଲିଆତି ସହ କୋଟି କୋଟି ଟଙ୍କା ହେରଫେର ହୋଇଥିବାର ଅଭିଯୋଗ ଆସିଥିଲା । ମାତ୍ର ସରକାର କେବଳ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକର ନର୍ସିଂହୋମଗୁଡ଼ିକୁ ବିଏସକେୱାଇ ପଞ୍ଜିକରଣରୁ ବାଦ୍ ଦେବା ସହ କିଛି କର୍ମଚାରୀଙ୍କୁ ଜେଲ୍ ପଠାଇବା ମାଧ୍ୟମରେ ସୀମିତ ରହୁଥିବାରୁ ଏହାପଛରେ ରହିଥିବା ର‌୍ୟାକେଟ୍ ସହଜରେ ଖସି ଯାଉଛନ୍ତି । ସମ୍ପୃକ୍ତ ନର୍ସିଂହୋମଗୁଡ଼ିକ ସବୁଦିନ ପାଇଁ ସିଲ୍ କରିବା ସହ ସେମାନଙ୍କର ଲାଇସେନ୍ସକୁ ଆଜୀବନ ବାତିଲ କରିବା, ସମ୍ପୃକ୍ତ ନର୍ସିଂହୋମ୍ ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରୀ ଅର୍ଥ ଲୁଟ୍ କରିବା ଅଭିଯୋଗରେ ଉଭୟ ଜେଲ୍ ଓ ଜୋରିମାନା ଆଦାୟ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Odisha Government Scam BSKY