/odisha-reporter/media/post_attachments/uploadimage/library/16_9/16_9_0/IMAGE_1686842591.jpg)
Train Accident
ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଛି ସାଂଘାତିକ ତଥ୍ୟ। ସିଗନାଲ୍ ଓ ଟେଲିକମ୍ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ପାଇଁ ଘଟିଥିଲା ଏହି ଦୁର୍ଘଟଣା। ରେଲୱେ ସୁରକ୍ଷା କମିଶନର (ସିଆର୍ଏସ୍) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଏହି କଥା ଉଲ୍ଲେଖ କରିଛନ୍ତି। ରିପୋର୍ଟରେ ଏହି ଦୁର୍ଘଟଣା ପାଇଁ ବାହାନଗା ବଜାର ଷ୍ଟେସନ ମାଷ୍ଟର ଏସ୍.ବି ମହାନ୍ତିଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି।
ସିଆର୍ଏସ୍ ତଦନ୍ତ ରିପୋର୍ଟରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପଦ୍ଧତିରେ ତ୍ରୁଟି ଥିବା ଦର୍ଶାଯାଇଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ ୧୪ ସେକେଣ୍ଡରେ ସିଗନାଲ ପରିବର୍ତ୍ତନ ହେବା କଥା। ହେଲେ ଦୁର୍ଘଟଣା ଦିନ ସିଗ୍ନାଲରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା। ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା। ଏଭଳି ଅସ୍ୱାଭାବିକ ପରିବର୍ତ୍ତନକୁ ଅଣଦେଖା କରିଥିଲେ ଷ୍ଟେସନ ମାଷ୍ଟର ଏସ୍.ବି ମହାନ୍ତି। ଅସ୍ୱାଭାବିକ ପରିବର୍ତ୍ତନ ନେଇ ଷ୍ଟେସନ ମାଷ୍ଟର ରିପୋର୍ଟ କରିବାର ଥିଲା। ରିପୋର୍ଟ କରିବା ସହ କରମଣ୍ଡଳ ଏକ୍ସପ୍ରେସକୁ ରୋକିବାର ଥିଲା। ହେଲେ ଷ୍ଟେସନ ମାଷ୍ଟର ଏହା କରି ନଥିଲେ। ଯାହାଫଳରେ ଦୁର୍ଘଟଣା ଘଟିଥିଲା।
ବାହାନଗା ବଜାର ଷ୍ଟେସନର ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଇନି ବୋଲି ସିଆର୍ଏସ୍ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୮ରେ ବାହାନଗା ବଜାର ଷ୍ଟେସନର ସିଗନାଲ ସର୍କିଟ ପଏଣ୍ଟ ବଦଳିଥିଲା। କିନ୍ତୁ ଏହି ପରିବର୍ତ୍ତନକୁ ଡକ୍ୟୁମେଣ୍ଟେଡ୍ କରାଯାଇ ନଥିଲା। ୱେୟାରିଂ ଡାଇଗ୍ରାମରେ ଏହି ପରିବର୍ତ୍ତନ ଦୃଶ୍ୟମାନ ହେଉ ନଥିଲା।
ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଅନ୍ୟ ଏକ ଟ୍ରାକ୍ରେ ପଡ଼ିଥିବା ବେଳେ ତାହାକୁ ଯଶୱନ୍ତପୁର ହାୱଡ଼ା ଟ୍ରେନ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
