ରାଜ୍ୟରେ ମହାଲୁଟ୍ ଚଲାଇଛନ୍ତି ସାଇବର ଠକ, ଆକାଉଣ୍ଟରୁ ଉଡ଼ି ଯାଉଛି ବହୁ କୋଟି ଟଙ୍କା

ସାଇବର ଠକାମୀ ସଂଖ୍ୟା ଓ ସାଇବର ଠକାମୀରେ ଲୁଟ୍ ହୋଇଥିବା ଟଙ୍କାର ପରିମାଣ ନେଇ ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିବା ପରେ ଏହା ସ୍ପଷ୍ଟ ହୋଇଛି।

representational image

  • Published: Monday, 20 March 2023
  • , Updated: 20 March 2023, 06:18 PM IST

ଓଡ଼ିଶାରେ ମହାଲୁଟ୍ ଚଲାଇଛନ୍ତି ସାଇବର ଠକ। ଯାହାକୁ ରୋକିବା ପୁଲିସ ପାଇଁ କାଠିକର ପାଠ ହୋଇ ଯାଇଛି। ସାଇବର ଠକାମୀ ସଂଖ୍ୟା ଓ ସାଇବର ଠକାମୀରେ ଲୁଟ୍ ହୋଇଥିବା ଟଙ୍କାର ପରିମାଣ ନେଇ ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିବା ପରେ ଏହା ସ୍ପଷ୍ଟ ହୋଇଛି।

ଉତ୍ତର ମୁତାବକ, ରାଜ୍ୟରେ ୨୦୧୮ରେ ୮୬୭ ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୮ କୋଟି ୯୭ ଲକ୍ଷ ୮୦ ହଜାର ୬୬୬ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିଲା। ୨୦୧୯ରେ ୧୪୭୫ ମାମଲାରେ ୧୬ କୋଟି ୧୮ ଲକ୍ଷ ୯୫ ହଜାର ୭୧୦ ଟଙ୍କା, ୨୦୨୦ରେ ୧୯୩୧ ମାମଲାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା, ୨୦୨୧ରେ ୨୦୩୭ ମାମଲାରେ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କା ଏବଂ ୨୦୨୨ର ପ୍ରାରମ୍ଭିକ ଦୁଇମାସ ଭିତରେ ୨୫୭ ମାମଲାରେ ୩ କୋଟି ୯୧ ଲକ୍ଷ ୮୬ ହଜାର ୯୩୩ ଟଙ୍କା ଲୁଟ୍ ହୋଇଛି।

ଅନ୍ୟପଟେ ସାଇବର ଅର୍ଥ ଲୁଟ୍ ମାମଲାରେ ପୁଲିସ ୨୦୧୮ରେ ୧୦ ଲକ୍ଷ ୭୪ ହଜାର ୧୨୭ ଟଙ୍କା, ୨୦୧୯ରେ ୬୮ ଲକ୍ଷ ୪୭ ହଜାର ୧୫୩ ଟଙ୍କା, ୨୦୨୦ରେ ୪୮ ଲକ୍ଷ ୨ ହଜାର ୬୨ ଟଙ୍କା, ୨୦୨୧ରେ ୬୬ ଲକ୍ଷ ୯୫ ହଜାର ୪୭୬ ଟଙ୍କା, ୨୦୨୨ରେ ଫେବୃଆରୀ ପର୍ଯ୍ୟନ୍ତ ୧୪ ଲକ୍ଷ ୯୭ ହଜାର ୧୨୧ ଟଙ୍କା ଉଦ୍ଧାର କରିବାରେ ସମର୍ଥ ହୋଇପାରିଛି।

କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟ ଅନୁପାତ ଦୃଷ୍ଟିରୁ ଓଡ଼ିଶାରେ ଏହି ଅପରାଧ ହାତ ବଢ଼ି ଚାଲିଛି। ୨୦୨୧ରେ ଓଡ଼ିଶାରେ ସଂଗଠିତ ଅପରାଧର ୪.୪ ପ୍ରତିଶତ ସାଇବର ମାମଲା ହୋଇଥିବା ବେଳେ ଦେଶରେ ଘଟୁଥିବା ସାଇବର ମାମଲାର ୩.୯ ପ୍ରତିଶତ ଓଡ଼ିଶାରେ ସଂଗଠିତ ହେଉଛି।

ସାଇବର ମାମଲା ରୋକିବାକୁ ରାଜ୍ୟରେ ୧୪ଟି ସାଇବର ଥାନା କାମ କରୁଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବହାରର ଦୃତ ଅଭିବୃଦ୍ଧି, ସୋସିଆଲ ମିଡିଆରେ ଯୋଗାଯୋଗ ବ୍ୟବସ୍ଥାରେ ଅଗ୍ରଗତି ଓ ବାଣିଜ୍ୟ କାରବାର ବ୍ୟାପକତା ଯୋଗୁ ପ୍ରତ୍ୟେକ ଜିଲ୍ଲା ଏସ୍‌ପି ଅଫିସ୍‌ରେ ୨୦୧୩ ଏପ୍ରିଲ ପହିଲାରୁ ସାଇବର କ୍ରାଇମ୍‌ ସେଲ କାମ କରୁଛି।

ପ୍ରତ୍ୟେକ ଜିଲ୍ଲାରେ ସାଇବର ଅପରାଧ ଓ ଅର୍ଥନୈତିକ ଅବରାଧ ଥାନା ଖୋଲିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଥାନାକୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର କମ୍ପେଡିୟମ୍ ବିତରଣ କରାଯାଇଛି।

୨୦୧୭ରୁ ସାଇବର ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ଭୁବନେଶ୍ୱରର ରସୁଲଗଡ଼ ସ୍ଥିତି ରାଜ୍ୟ ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ଠାରେ କାମ କରୁଛି। ଅନୁସନ୍ଧାନ ନିମନ୍ତେ ଆବଶ୍ୟକ ତାଲିମ ପୁଲିସ ଅଫିସ୍‌ର, ସରକାରୀ ଓକିଲ, ନ୍ୟାୟିକ ଅଧିକାରୀମାନଙ୍କୁ ଦିଆଯାଉଛି। ଏହାଛଡ଼ା ବିଭିନ୍ନ ସମୟରେ ବହୁ ପୁଲିସ ଅଫିସ୍‌ରଙ୍କୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

ଏସବୁ ସତ୍ତ୍ୱେ ସାଇବର ଠକ ଚାଲାକି କରି ଲୋକଙ୍କ ଟଙ୍କା ଇଣ୍ଟରନେଟ୍ ଜରିଆରେ ଉଡ଼ାଇ ନେବାରେ ସମାର୍ଥ ହେଉଛନ୍ତି। ଯାହା ଉଦ୍‌ବେଗର ବିଷୟ ହୋଇଛି।

Related story