Advertisment

ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ; ୧୭୫ ରୋଗୀ ଚିହ୍ନଟ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ସଂଖ୍ୟା ୧୨ ତଳେ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Dengue Mosquito

Dengue Mosquito

Advertisment

ବର୍ଷା ଋତୁ ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଏଯାବତ ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Advertisment

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରତି ବର୍ଷ ଜୁଲାଇ ଓ ଅଗଷ୍ଟରେ ମ୍ୟାଲେରିଆ ଓ ଡେଙ୍ଗୁର ପାଦ୍ରୁଭାବ ବଢ଼ିଥାଏ । ଗତବର୍ଷ ଏହି ସମୟରେ ୫, ୪୦୦ ଟେଷ୍ଟ ହୋଇଥିବା ବେଳେ ଚଳିତ ବର୍ଷ ୧୦,୭୮୧ ଟେଷ୍ଟ କରିଛୁ। ଗତବର୍ଷ ଏହି ସମୟରେ ୩ଶହ ପାଖାପାଖି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଟେଷ୍ଟିଂ ବଢ଼ିଥିବା ସତ୍ତ୍ୱେ ପଜିଟିଭ କମିଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ସଂଖ୍ୟା ୧୨ ତଳେ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି, ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ବିଭିନ୍ନ ଜିଲ୍ଲାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି।

Advertisment

ଜ୍ୱର, ଘୋଳାବିନ୍ଧା, ମୁଣ୍ଡ ବିନ୍ଧା ହେବା ହେଉଛି ଡେଙ୍ଗୁର ଲକ୍ଷଣ । ଏପରି ଲକ୍ଷଣ ଦେଖାଦେଲେ ଏଲିସା ପଦ୍ଧତିରେ ଟେଷ୍ଟିଂ କରାଯିବାକୁ ପରାମର୍ଶ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ପାଇଁ ୪ଟି ଜାଗାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ RMRC ରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତୀ ଘରୋଇ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ଏହାକୁ କ୍ରସ୍‌ ଚେକ୍‌ କରିବାକୁ ଚିଠି କରାଯାଇଛି।

ଡେଙ୍ଗୁ ରୋଗୀଙ୍କ ପାଇଁ ମେଡିକାଲରେ ବେଡ ରଖିବାକୁ ସବୁ ଜିଲ୍ଲାକୁ ଚିଠି ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ସହ କହିଛନ୍ତି, ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବାକୁ ସମସ୍ତଙ୍କୁ କୁହାଯାଇଛି । ଚିକିତ୍ସାରେ ଯେପରି ଅବହେଳା ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି।

ଡେଙ୍ଗୁ ମୁଖ୍ୟତଃ ଏକ ଭାଇରାଲ ବେମାର ହୋଇଥିବାରୁ ଏହା ୯୦% ମନକୁ ମନ ଭଲ ହୋଇଥାଏ। ମୁଖ୍ୟତଃ ଡିହାଇଡ୍ରେସନ ଏହି ରୋଗ ପାଇଁ ସବୁଠୁ ଅଧିକ ବିପଦ ସାବ୍ୟସ୍ତ ହୋଇଥାଏ। ଏପରି ହେଲେ ଯଥେଷ୍ଟ ପରିମାଣର ପାଣି ଓ ORS ପିଇବା ଉଚିତ। ପ୍ଲେଟଲେଟ୍‌ କମିଲେ ବ୍ଲିଡିଂ ହେବାର ଆଶଙ୍କା ରହୁଛି। ଏପରି ହେଲେ ତୁରନ୍ତ ଆଡମିଟ ହୁଅନ୍ତୁ। ତେବେ ଏହାକୁ ନେଇ ବେଶି ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ମୁଖ୍ୟତଃ ଏଡିସି ମଶା ଯୋଗୁ ଡେଙ୍ଗୁ ବ୍ୟାପିଥାଏ। ଟାୟାର, ପଇଡ ଖୋଳ, ଡ୍ରେନ, ଡଷ୍ଟବିନ, କୁଲରରେ ଜମି ରହୁଥିବା ପାଣିରେ ଏହି ମଶା ସେମାନଙ୍କ ବଂଶବୃଦ୍ଧି କରିଥାନ୍ତି। ୭ ଦିନରେ ଥରେ ଏହି ସବୁ ଜିନିଷ ସଫା କରିଦେଲେ ମଶା ବଂଶ ବୃଦ୍ଧି ହୋଇ ପାରି ନ ଥାଏ । ଏଥିସହ ଏହି ମଶା ସକାଳେ ଓ ସନ୍ଧ୍ୟାରେ କାମୁଡ଼ିଥାନ୍ତି। ତେଣୁ ବାହାରକୁ ବାହାରିବା ବେଳେ ଫୁଲ ଡ୍ରେସ୍‌ ପିନ୍ଧି ବାହାରନ୍ତୁ। ସନ୍ଧ୍ୟାରେ ଘରେ ମଶା ନ ପଶିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

Health Service Odisha Odisha Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe