Advertisment

୧୬ ଜିଲ୍ଲାରେ କାୟା ବିସ୍ତାର କରିଲାଣି ଡେଙ୍ଗୁ, ୧୮୫ରେ ପହଞ୍ଚିଲା ସଂଖ୍ୟା

ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଲାରୁ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଲୋକେ ସତର୍କ ରହିଲେ ଡେଙ୍ଗୁକୁ ପ୍ରତିହତ କରିପାରିବେ।

author-image
Niranjan Mishra
ଅଦ୍ୟତନ ହୋଇଛି
Dr. Niranjan Mishra.

Director of Public Health Dr. Niranjan Mishra.

ଡରାଇଲାଣି ଡେଙ୍ଗୁ ଜ୍ୱର। ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀ ସଂଖ୍ୟା। ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଲାରୁ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଲୋକେ ସତର୍କ ରହିଲେ ଡେଙ୍ଗୁକୁ ପ୍ରତିହତ କରିପାରିବେ। ବିଶେଷ ଭାବେ ଅବ୍ୟବହୃତ ଜିନିଷରେ ବର୍ଷା ପାଣି ଜମିବାକୁ ନଦେବା ଓ କୁଲର ବ୍ୟବହାର କରୁଥିଲେ ଏହା ଭିତର ପାଣିକୁ ପ୍ରତି ସପ୍ତାହରେ ବଦଳାଇବା ଜରୁରୀ। ଏଡିସି ମସା କାମୁଡ଼ିଲେ ଡେଙ୍ଗୁ ଜ୍ୱର ହେବା ଆଶଙ୍କା ଥାଏ, ଏହି ମଶା ସକାଳେ ଓ ସନ୍ଧ୍ୟାରେ ବିଶେଷ ଭାବେ କାମୁଡ଼ି ଥାନ୍ତି। ଏହି ସମୟରେ ବାହାରକୁ କାମ କରିବାକୁ ଯାଉଥିଲେ କିମ୍ବା ଭ୍ରମଣ ନିମନ୍ତେ ଯାଉଥିଲେ ସତର୍କ ରହିବାକୁ ପଡ଼ିବ। ଏନେଇ ଆଜି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ଏହି ଜ୍ୱରରେ ଆକ୍ରନ୍ତଙ୍କ ଭିତରୁ ମୃତ୍ୟୁ ପ୍ରତିଶତ ମାତ୍ର ୧ ପ୍ରତିଶତ। ବିଶେଷ ଭାବେ ଡେଙ୍ଗୁ ସକ୍‌ ସିନ୍‌ଡ୍ରୋମ୍, ଡେଙ୍ଗୁ ହିମରେଜ୍ ଫିଭର ଦୁଇଟି ଅବସ୍ଥାରେ ରୋଗୀ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଜ୍ୱର ବେଳେ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ପିଇବାକୁ ପଡ଼ିଥାଏ। ରୋଗୀ ଭିତରେ ଜଳୀୟ ଅଂଶ କମ୍‌ ହେବାକୁ ନ ଦେବା ପାଇଁ ଉଦ୍ୟମ କରିବାକୁ ପଡ଼ିବ। ଡେଙ୍ଗୁ ଜ୍ୱର ବେଳେ ଦେହରେ ଜଳୀୟ ଅଂଶ କମିଲେ ରୋଗୀ ଡେଙ୍ଗୁ ସକ୍‌ ସିନ୍‌ଡ୍ରୋମ୍‌ ଅବସ୍ଥାରେ ପଡ଼ିଥାଏ। ସେହିପରି ଡେଙ୍ଗୁ ଜ୍ୱର ହେଲେ ଦେହରୁ ପ୍ଲାଟିଲେଟ୍ କମିଯାଏ, ଶରୀର ଅଭ୍ୟନ୍ତରୀଣ ବିଭିନ୍ନ ଅଂଶରୁ ରକ୍ତ କ୍ଷରଣ ହୋଇଥାଏ। ଡାନ୍ତରୁ, ପାଟିରୁ, ମଳରୁ କିମ୍ବା ପେଟ ଭିତରେ ରକ୍ତ କ୍ଷରଣ ହୋଇଥାଏ। ତେଣୁ ରୋଗୀକୁ ପ୍ଲଟଲେଟ୍ ଦେବା ଆବଶ୍ୟକ ପଡ଼ିଥାଏ। ତେବେ ଏଭଳି ଅବସ୍ଥାରେ ରୋଗୀ ପହଞ୍ଚିବା ପ୍ରତିଶତ ଖୁବ୍ କମ୍। ତେଣୁ ସତର୍କ ରହିଲେ ଲୋକେ ଡେଙ୍ଗୁ ଠାରୁ ସୁରକ୍ଷା ପାଇପାରିବେ। ଜ୍ୱର ହେଲେ ଡାକ୍ତର ପରାମାର୍ଶ କରି ଔଷଧ ଖାଇବେ।

ପୂର୍ବ ବର୍ଷ ଏହି ସମୟରେ ଯେତିକି ଡେଙ୍ଗୁ ରୋଗୀ ସଂଖ୍ୟା ଥିଲା, ତାହା ତୁଳନାରେ ଚଳିତ ବର୍ଷ ଏହି ସମୟୀ ଡେଙ୍ଗୁ ରୋଗୀ ସଂଖ୍ୟା ଖୁବ୍ କମ୍‌ ବୋଲି ସେ କହିଛନ୍ତି।

Advertisment

ଡ. ମିଶ୍ର କହିଛନ୍ତି, ଗତବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଂ ବଢ଼ିଛି। ହେଲେ ପଜଟିଭିଟି ରେଟ ବହୁତ କମ୍ ରହିଛି। ଶେଷ ଖବର ସୁଦ୍ଧା ଚଳିତ ମାସ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୯୬ ଜଣ, ଯାଜପୁରରେ ୧୨, ବାଲେଶ୍ୱରରେ ୧୦, କଟକ ୧୦, ପୁରୀ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ଡେଙ୍ଗୁ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତମାନ ସୁଦ୍ଧା ୧୧ ହଜାର ୪୬୪ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି।

ଗତବର୍ଷ ଏହି ସମୟ ସୁଦ୍ଧା ୫୯୮୧ ଜଣଙ୍କ ରକ୍ତ ନମୁନା ଟେଷ୍ଟ କରାଯାଇଥିଲା। ସେଥିରୁ ୩୫୩ ଡେଙ୍ଗୁ ପଜିଟିଭ ବାହାରିଥିଲା। ଯାହା ଏବର୍ଷ ତୁଳନାରେ ବହୁତ କମ ଅଛି। ଜ୍ୱର ସାଂଘାତିକ ଆଡ଼କୁ ନ ଗଲେ ଏହା ଭଲ ହୋଇଯିବାର ସମ୍ଭାବନା ଅଧିକ ଥାଏ।

ଏଡିସ ମଶା ବର୍ଷା ଦିନେ ବଂଶ ବିସ୍ତାର କରନ୍ତି। ସାଧାରଣତଃ ସକାଳ ଓ ସଂଧ୍ୟା ସମୟରେ କାମୁଡନ୍ତି। ଏହି ମଶା ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି। ତେଣୁ ବର୍ଷା ପାଣି ଜମୁଥିବା ସ୍ଥାନକୁ ସଫା କରିବାକୁ ହେବ। ଘର ନିକଟରେ ପଡ଼ି ରହିଥିବା ଖାଲି ଟିଣ ଡବା, କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ। ସକାଳୁ ଓ ସନ୍ଧ୍ୟାରେ ଭ୍ରମଣରେ ଯାଉଥିଲେ ସମ୍ପୂର୍ଣ୍ଣ ଶରୀରକୁ ଅଛାଦିତ କରୁଥିବା ପୋଷାକ ପିନ୍ଧିବା ଉଚିତ୍। ସଫେଇ, ଚାଷ କାମ ଓ ଅନ୍ୟ କାମ କରିବା ବେଳେ ମଧ୍ୟ ଏଭଳି ସତର୍କତା ରଖିବାକୁ ପଡ଼ିବ।

ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମେତ ମୋଟ ୪୦ଟି ସ୍ଥାନରେ ଏହି ଜ୍ୱର ଜାଣିବା ନିମନ୍ତେ ପରୀକ୍ଷା ହେଉଛି। ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସବୁ ଡାକ୍ତରଖାନାରେ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସବୁ ଡାକ୍ତରଖାନାରେ ମଧ୍ୟ ପ୍ରର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ୍ ରହିଛି ବୋଲି ଡା. ମିଶ୍ର କହିଛନ୍ତି।

Odisha Health Service Odisha