Advertisment

ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଶଶିଭୂଷଣ ବେହେରା ଓ ତାଙ୍କ ପୂରା ପରିବାର ନାଁରେ ଦିଆଯାଇଛି ଏତଲା।

ଅଦ୍ୟତନ ହୋଇଛି
Marriage

Marriage

Advertisment

ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ। ତାଙ୍କ ବୋହୂ ରୋନାଲି ବେହେରା କରିଛନ୍ତି ଏହି ଅଭିଯୋଗ। ରୋନାଲି ଶ୍ୱଶୁର ଶଶିଭୂଷଣ ବେହେରାଙ୍କ ସହିତ ସ୍ୱାମୀ ସତ୍ୟପ୍ରକାଶ ବେହେରା, ଶାଶୁ ସୁପ୍ରଭା ମହାନ୍ତି, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତିଙ୍କ ନାଁରେ ଏଫଆଇଆର ଦେଇଛନ୍ତି। ଗତ ମାର୍ଚ୍ଚ ୩ ତାରିଖରୁ ରୋନାଲି କଟକ ଜିଲ୍ଲା ବାଙ୍କୀ ଥାନାରେ ଏତଲା ଦେଇ ସାରିଛନ୍ତି।

Advertisment

୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା।

ରୋନାଲି ତାଙ୍କ ଏତଲାରେ ଦର୍ଶାଇଛନ୍ତି, ନିର୍ବନ୍ଧ ସମୟରେ ମୋ ଶ୍ୱଶୁର ଶଶିଭୂଷଣ ବେହେରା, ଶାଶୁ ସୁପ୍ରଭା ମହାନ୍ତି ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତି ମୋ ବାପାମା’ଙ୍କୁ ବାହାଘର ବେଳେ କାଠର କୌଣସି ଘରକରଣା ଜିନିଷ ନ ଦେବା ପାଇଁ କହିଥିଲେ। ତା’ ବଦଳରେ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ତା’ ସହିତ ଦୁଇଟି ନଣଦ ପୁଟୁଳି ଦେବାକୁ କହିଥିଲେ। ନଣଦ ପୁଟୁଳିରେ ସୁନା ଜିନିଷ ଦେବାକୁ କହିଥିଲେ। ଏହା ସହିତ ରୁପାର ଥାଳି ଦେବାକୁ କହିଥିଲେ। ସେମାନଙ୍କ ଦାବି ମୁତାବକ ମୋ ବାପା ସବୁ ଜିନିଷ ଦେଇଥିଲେ।

Advertisment

ବାହାଘର ପରେ ୧୦/୧୨ ପର୍ଯ୍ୟନ୍ତ ଭଲରେ ରହିଲି। ତା’ପରେ ମୋ ଶାଶୁ, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ମୁଁ ପିନ୍ଧିଥିବା ସୁନା ଅଳଙ୍କାର ଶାଶୁଙ୍କୁ ଦେବା ପାଇଁ କହିଥିଲେ। ମୁଁ ଏକ ସୁନା ଚେନ୍ ଓ ମୁଦି ବ୍ୟତୀତ ଆଉ ସବୁ ଗହଣା ଶାଶୁଙ୍କୁ ଦେଇଦେଲି।

ବାହାଘରର ପ୍ରଥା ଅନୁସାରେ ମୁଁ ମୋ ସ୍ୱାମୀଙ୍କ ସହିତ ପ୍ରଥମ ଥର ବାପଘରକୁ ଯାଇଥିଲି। ସେହି ସମୟରେ ମୋ ଶାଶୁ, ନଣଦ ଓ ଶ୍ୱଶୁର ମୋତେ କହିଥିଲେ ଯେ ବାହାଘର ପୂର୍ବରୁ ଯେଉଁ ସୁନା ଜିନିଷ ବ୍ୟବହାର କରୁଥିଲ, ସେଗୁଡ଼ିକୁ ନେଇ ଆସିବ। ତା’ ସହିତ ସ୍ୱାମୀଙ୍କୁ ପ୍ରଣାମି ସ୍ୱରୂପ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ମୁଁ ବିବାହ ପୂର୍ବରୁ ଯେଉଁ ସୁନା ଜିନିଷ ବ୍ୟବହାର କରୁଥିଲି, ବାହାଘର ସମୟରେ ସେଗୁଡ଼ିକୁ ବଦଳାଇ ନୂଆ ଜିନିଷ କିଣିଥିଲି। ଶାଶୁ ଘରକୁ ଫେରିବା ପରେ ସେମାନେ ଯେତେବେଳେ ସେହି ପୁରୁଣା ସୁନା ଜିନିଷ ମାଗିଲେ, ମୁଁ ସେମାନଙ୍କୁ ସତ କଥା କହି ଦେଇଥିଲି। ପୁରୁଣା ଗୁଡ଼ିକୁ ବଦଳାଇ ନୂଆ କିଣି ଦେଇଥିଲି ବୋଲି କହିଥିଲି। ଏହା ଶୁଣି ମୋ ଶାଶୁ ଓ ନଣଦ ମୋତେ ଛୋଟ ଲୋକ, ଭିକାରୀ ପିଲା କହିଥିଲେ ଏବଂ ଅଭଦ୍ର ଭାଷାରେ ଗାଳି କରିଥିଲେ। ମୁଁ ପ୍ରତିବାଦ କରିବାରୁ ମୋ ସହିତ ମାରପିଟ କରିଥିଲେ। ଭବିଷ୍ୟତରେ ସବୁ ଠିକ ହୋଇଯିବ ବୋଲି ଭାବି ସହି ଯାଇଥିଲି।

ଏହାର କିଛି ଦିନ ପରେ ସେମାନେ ମୋତେ ବ୍ୟାଙ୍କକୁ ନେଇ ମୋ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲେ। ପାସ୍‌ବକୁ ଓ ଏଟିଏମ କାର୍ଡ ମୋ ଶାଶୁ ତାଙ୍କ ପାଖରେ ରଖିଲେ। ମୁଁ ପାଉଥିବା ରାଜୀବ ଗାନ୍ଧି ଫେଲୋଶିପ ଟଙ୍କା ଡିପୋଜିଟ କରିବା ପାଇଁ ମୋତେ କହିଥିଲେ। ହେଲେ ସେ ଟଙ୍କା ମୁଁ ଖର୍ଚ୍ଚ କରି ଦେଇଥିବା କହିଥିଲି। ଫଳରେ ପୂର୍ବଭଳି ମୋତେ ଭିକାରୀ, କାଙ୍ଗାଳ ପିଲା କହି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଏହାର କିଛି ଦିନ ପରେ ବାହାଘର ବେଳେ ଭିଡିଓ ପାଇଁ ଖର୍ଚ୍ଚ ହୋଇଥିବା ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମୁଁ ଏକଥା ବାପାଙ୍କୁ କହିବାରୁ ସେ ମୋ ବଡ଼ ଭଉଣୀଙ୍କୁ କହି ୬୦ ହଜାର ଟଙ୍କା ମୋ ନଣଦଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଅବଶିଷ୍ଟ ଟଙ୍କା ପରେ ଦେବା ପାଇଁ କହିଥିଲେ। ବାକି ଟଙ୍କା ନଦେଇ ପାରିବାରୁ ସେମାନେ ପୁଣି କାଙ୍ଗାଳିଆ ଝିଅଟା ଆମ ଭାଗ୍ୟରେ ପଡ଼ିଲା ବୋଲି କହି ମୋତେ ଗାଳି କରିଥିଲେ। ଆମକୁ ୟା’ଠୁ ଭଲ ଯୌତୁକ ଦବାବାଲା ମିଳିଥା’ନ୍ତେ ବୋଲି କହି ମୋତେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ। ଏପରିକି ମୋତେ ଖାଇବାରେ ଅସୁବିଧା କଲେ। ମୋତେ ରୋଷେଇ ଘରକୁ ଛାଡ଼ି ଦେଲେ ନାହିଁ।

ମୁଁ ଏ କଥା ଶ୍ୱଶୁରଙ୍କୁ ଜଣାଇବାରୁ ସେ ମୋତେ କହିଥିଲେ ଯେ ସେମାନେ ଯାହା କହୁଛନ୍ତି ସେ କଥା ମାନି ଚଳ, ନହେଲେ ଅସୁବିଧାରେ ପଡ଼ିବୁ। ଏହି ସବୁ କଥା ମୁଁ ମୋ ସ୍ୱାମୀଙ୍କୁ କହିବାରୁ ସେ ମୋତେ ଅସଭ୍ୟ ଭାଷାରେ ଗାଳି କଲେ, ମାଡ଼ ମାରିଲେ ଓ କହିଲେ ତୁ ତୋ ବାପାକୁ ୪୦ ଲକ୍ଷ ଟଙ୍କା ପଠାଇବାକୁ ଖବର ଦେ। ନେହେଲେ ଘରର ଚାକରାଣୀ ହୋଇ ରହ ବୋଲି କହିଥିଲେ।

ମୋ ସ୍ୱାମୀ ରାତି ୩ଟା ପର୍ଯ୍ୟନ୍ତ ମୋ ପାଖକୁ ନଆସି ଅନ୍ୟ ଏକ ଝିଅ ସହିତ କଥା ହୁଅନ୍ତି। ସେଇ ଝିଅକୁ କହନ୍ତି ଯେ ୟାକୁ ୟା ଭିତରେ ସଫା କରି ଦେଇ ତୁମକୁ ବିବାହ କରିବି। ଆମ ଘରେ ସମସ୍ତେ ରାଜି ଅଛନ୍ତି। ଏସବୁ କଥା ମୁଁ ମୋ ଶାଶୁ, ଶ୍ୱଶୁର ଓ ନଣଦଙ୍କୁ କହିଥିଲି। ସେମାନେ ମୋତେ ଅଧିକ ଗାଳି କଲେ ଓ ୪୦ ଲକ୍ଷ ଟଙ୍କା ଆଣିବା ପରେ ବୁଝିବା ବୋଲି କହିଥିଲେ। ମାଉସୀ ଶାଶୁ ମଧ୍ୟ ସେହି କଥା କହିଥିଲେ। ମୁଁ ମୋ ଜୀବନ ପ୍ରତି ବିପଦ ଥିବା ଦେଖି ୩୦.୭.୨୦୨୧ ରାତିରେ ଘରକୁ ଫୋନ କରି ଜଣାଇଥିଲି। ତା’ପର ଦିନ ମୋ ବାପା ମୋତେ ଘରକୁ ନେଇ ଆସିଥିଲେ। ମୁଁ ଆସିବାର ୧୫ ଦିନ ପରେ ମୋ ବାପା ମୋ ଶ୍ୱଶୁରଙ୍କୁ ଫୋନ କରି ମୋତେ ନେଇଯିବା ପାଇଁ କହିଥିଲେ। ମାତ୍ର ସେ ଏହାକୁ କର୍ଣ୍ଣପାତ କଲେ ନାହିଁ। ମୋ ବାପା ଅନେକ ଥରେ ମୋ ଶ୍ୱଶୁରଙ୍କୁ ଫୋନ କରି ମୋତେ ନେଇଯିବା ପାଇଁ କହିଥିଲେ। କିନ୍ତୁ ସେ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡ଼ାଇ ଚାଲିଲେ।

ପୁଲିସରେ ଏତଲା ଦେବା ପରେ ରୋନାଲିଙ୍କ ପରିବାର କୁଆଡ଼େ ଏହାକୁ ସାର୍ବଜନୀନ ନ କରିବା ପାଇଁ ତଥା ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ନନେବାକୁ ପୁଲିସକୁ ଅନୁରୋଧ କରିଥିଲେ। ସେମାନେ ଭାବୁଥିଲେ ଯେ ଉଭୟ ପରିବାର ବସି ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରିବେ। ସେଥିପାଇଁ ସେମାନେ ମଧ୍ୟ ଗଣମାଧ୍ୟମକୁ ଆସି ନଥିଲେ କି କଥାକୁ ସାର୍ବଜଜନୀନ କରି ନଥିଲେ। କିନ୍ତୁ କୌଣସି ଆପୋଷ ବୁଝାମଣା  ହୋଇ ନପାରିବାରୁ ରୋନାଲିଙ୍କ ପରିବାର ଏବେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ପରେ କଥାଟି ସାମ୍ନାକୁ ଆସିଛି। ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସ ଅଛି ବୋଲି ରୋନାଲିଙ୍କ ବାପା ଗଣମାଧ୍ୟମରେ କହିଛନ୍ତି। ଘଟଣାଟି ଏବେ ତଦନ୍ତ ପରିସରଭୁକ୍ତ ଅଛି।

ବୋହୂଙ୍କ ଅଭିଯୋଗ ନେଇ ବିଧାୟକ ଶଶି ବେହେରା କହିଛନ୍ତି, ମୋ ନାଁରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ପୁଅ-ବୋହୂଙ୍କ ଭିତରର କଥା।ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଥାଇପାରେ। ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି। ନିଜେ ତାଙ୍କ ବାପା ଆସି ବୋହୂକୁ ଘରକୁ ନେଇ ଯାଇଛନ୍ତି। ଆଉ ରହିଲା ମୁଁ ଯୌତୁକ ମାଗିବା କଥା, ତାହା ସଂପୂର୍ଣ୍ଣ ଭିତ୍ତିହୀନ। ମୋ ବିଷୟରେ ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି। ଅର୍ଥ ଓ ଯୌତୁକ ନେଇ ମୋର ଆଚରଣ କଣ ସମସ୍ତେ ଜାଣନ୍ତି। ନିମନ୍ତ୍ରଣ କାର୍ଡରେ କିଛି ଗିଫ୍ଟ ନଆଣିବାକୁ ମୁଁ ଲେଖିଥିଲି।

ଅନ୍ୟପକ୍ଷରେ ବିଜେଡିର ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓଙ୍କ ବିରୋଧରେ ତାଙ୍କ ବୋହୂ ଅଦ୍ରିଜା ସିଂହ (ଅର୍କେଶ ସିଂହ ଦେଓଙ୍କ ପତ୍ନୀ) ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ଉତ୍ତରାଖଣ୍ଡର ଡେରାଡୁନର ଏକ ଥାନାରେ ଏନେଇ ଏତଲା ଦେଇଛନ୍ତି।

BjD Dowry Harassment Shashi Bhusan Behera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe