କୋର୍ଟ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଡ୍ରେସ କୋଡ୍, ସରକାର ଦେବେ ୟୁନିଫର୍ମ ଭତ୍ତା

ଜଷ୍ଟିସ ସେଟ୍ଟୀ କମିଶନଙ୍କ ସୁପାରିଶରେ ୟୁନିଫର୍ମ ଭତ୍ତା ଓ ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶରେ ଡ୍ରେସ୍ କୋଡ୍ ଲାଗୁ କରିବାକୁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି ।

ଲୋକସେବା ଭବନ

  • Published: Friday, 09 June 2023
  • , Updated: 09 June 2023, 10:52 PM IST

ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନେ ଏଣିକି ନିୟମିତ ୟୁନିଫର୍ମ ପିନ୍ଧିବେ । ଏହି କର୍ମଚାରୀମାନଙ୍କୁ ୟୁନିଫର୍ମ ଭତ୍ତା ଓ ପୋଷାକ ସଫା ପାଇଁ ମଧ୍ୟ ଭତ୍ତା ରାଜ୍ୟ ସରକାର ପ୍ରଦାନ କରିବେ । ଜଷ୍ଟିସ ସେଟ୍ଟୀ କମିଶନଙ୍କ ସୁପାରିଶରେ ୟୁନିଫର୍ମ ଭତ୍ତା ଓ ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶରେ ଡ୍ରେସ୍ କୋଡ୍ ଲାଗୁ କରିବାକୁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ଆଜି ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲା ଓ ତଳ କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ୪ହଜାର ଟଙ୍କାର ୟୁନିଫର୍ମ ଭତ୍ତା(ପ୍ରତି ଦୁଇବର୍ଷ ପାଇଁ) ଓ ଡ୍ରେସ ସଫା ପାଇଁ ୨୦୦ଟଙ୍କା(ପ୍ରତି ୩ମାସକୁ) ଭତ୍ତା ପ୍ରଦାନ କରିବେ । କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପିଛିଲା ଭାବେ ୨୦୨୩ ଏପ୍ରିଲ ୧ରୁ ଏହି ଭତ୍ତା ମିଳିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଜଷ୍ଟିସ ସେଟ୍ଟୀ କମିଶନଙ୍କ ସୁପାରିଶକୁ ଆଧାର କରି ରାଜ୍ୟ ସରକାର ଜିଲ୍ଲା ଓ ତଳ କୋର୍ଟରେ କାର୍ଯ୍ୟରତ ଗ୍ରୁପ-ଏ,ବି ଓ ସି ବର୍ଗର କର୍ମଚାରୀମାନଙ୍କୁ ୟୁନିଫର୍ମ ଭତ୍ତା ଓ ଡ୍ରେସ ସଫା ଭତ୍ତା ଯୋଗାଇ ଦେବେ । ଏହି କର୍ମଚାରୀମାନେ ପ୍ରତି ୨ବର୍ଷରେ ୟୁନିଫର୍ମ ଭତ୍ତା ବାବଦରେ ୪ହଜାର ଟଙ୍କା ଓ ଡ୍ରେସ ସଫା ବାବଦରେ ପ୍ରତି ୩ମାସରେ ୨୦୦ଟଙ୍କା ପାଇବେ । ଅର୍ଥ ବିଭାଗର ଅନୁମୋଦନ ପରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସେହିପରି ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶରେ ଜିଲ୍ଲା ଓ ତଳ କୋର୍ଟରେ କାର୍ଯ୍ୟରତ ସମସ୍ତ ଗ୍ରୁପ-ଏ,ବି ଓ ସି ବର୍ଗର କର୍ମଚାରୀମାନଙ୍କ ପାଇଁ ଡ୍ରେସ କୋଡ୍ ନିର୍ଦ୍ଧାରିତ ହୋଇଛି । କାର୍ଯ୍ୟାଳୟରେ ଶୃଙ୍ଖଳା ଓ  ଶାଳୀନତା ରକ୍ଷା ନିମନ୍ତେ ଜିଲ୍ଲା ଓ ତଳ କୋର୍ଟ  ମହିଳା ଓ ପୁରୁଷ କର୍ମଚାରୀମାନେ ଭିନ୍ନ ଭିନ୍ନ ଡ୍ରେସ କୋଡ୍ ପିନ୍ଧିବେ ।

ଗ୍ରୁପ-ଏ,ବି ଓ ସି ବର୍ଗର ପୁରୁଷ କର୍ମଚାରୀମାନେ ନିଶ୍ଚିତ ଭାବେ ଧଳା ଫୁଲ୍ ସ୍ଲିଭ୍ ସାର୍ଟ ଓ    ନୀଳ ରଙ୍ଗର ଫର୍ମାଲ ଫୁଲ୍ ପ୍ୟାଣ୍ଟ ପିନ୍ଧିବେ ।

ସେହିପରି ଗ୍ରୁପ-ଏ,ବି ଓ ସି ବର୍ଗର ମହିଳା କର୍ମଚାରୀମାନଙ୍କୁ ଧଳା ଶାଲୱାର ସୁଟ୍ ଓ ଚୁଡ଼ିଦାର ସହ ନୀଳ ରଙ୍ଗ ଚୁନୁରି ଅବା ନୀଳ ବର୍ଡର ଥିବା ଧଳା ଶାଢ଼ୀ ପିନ୍ଧିବାକୁ ପଡ଼ିବ ବୋଲି ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Related story