‘ସରକାରଙ୍କ କଥାରେ ଭରସା ନାହିଁ। ପୂର୍ବରୁ ବହୁ ଥର ପ୍ରତିଶ୍ରୁତି ଦେଇ ବି ତାହାକୁ ପୂରଣ କରି ନାହାନ୍ତି। ତେଣୁ ଏଥର ପ୍ରତିଶ୍ରୁତି ନୁହେଁ, ଆମକୁ ଘୋଷଣା ଦରକାର। ଖୋଦ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରନ୍ତୁ। ’ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିବା ସତ୍ତ୍ୱେ ନିଜ ଜିଦ୍ରେ ଅଟଳ ରହିଥିବା ଡ୍ରାଇଭର ମହାସଂଘ ଏପରି କହିଛି। ମୁଖ୍ୟମନ୍ତ୍ରୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଡିଭିଜନ ସଦସ୍ୟ ଆଲୋଚନା କରିଥିଲେ। ୩ ମାସରେ ଡ୍ରାଇଭରଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ବି ମିଳିଥିଲା। ହେଲେ ଏହାକୁ ଭରସା କରି ପାରୁ ନାହିଁ ଡ୍ରାଇଭର ମହାସଂଘ ।
ପୂର୍ବରୁ ବି ବହୁ ଥର ସରକାର ପ୍ରତିଶ୍ରୁତି ଦେଇ ତାହାକୁ ଭୁଲି ଯାଇଛନ୍ତି। ତେଣୁ ଏଥର ଆମକୁ ପ୍ରତିଶ୍ରୁତି ନୁହେଁ, ଘୋଷଣା ଲୋଡ଼ା ବୋଲି କହି ଗର୍ଜିଛନ୍ତି ଡ୍ରାଇଭର ମହାସଂଘ ସଦସ୍ୟ ।
ଏପରିକି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।
ଗଣତନ୍ତ୍ରରେ ଆନ୍ଦୋଳନ କରିବା ଅଧିକାର ସମସ୍ତଙ୍କର ଅଛି । ମାତ୍ର ବର୍ତ୍ତମାନ ପରୀକ୍ଷା ଚାଲିଛି। ଜରୁରୀକାଳୀନ ସମୟରେ ମେଡିକାଲ ଯିବାକୁ ରୋଗୀ ହଇରାଣ ହେଉଛନ୍ତି। ପରିବହନ ବ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି। ତେଣୁ ଏପରି କ୍ଷେତ୍ରରେ ଡ୍ରାଇଭରମାନେ ସହଯୋଗ କରିବାକୁ ଆଗେଇ ଆସିବା ସହ ଆସନ୍ତା ୩ ମାସରେ ନିହାତି ସେମାନଙ୍କ ଦାବି ପୂରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଏଥିନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।
ଅପରପକ୍ଷେ, କାଲିର ଆଲୋଚନା ଓ ପ୍ରତିଶ୍ରୁତି ପରେ ବି ଆନ୍ଦୋଳନରେ ବସିଥିବା ଡ୍ରାଇଭରଙ୍କୁ ଓହରିଯିବାକୁ ମୁଖ୍ୟ ଶାସନ ସଚିବ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି ।
ମାତ୍ର ଡ୍ରାଇଭର ମହାସଂଘ ଉଭୟଙ୍କ କଥାକୁ ଭରସା କରି ପାରୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନୁହଁ ଘୋଷଣା କରନ୍ତୁ ବୋଲି ସଫା ସଫା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।