Advertisment

ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳକୁ ସେ ଘରକୁ ଫେରିଥିଲେ ଓ ଭଲ ଲାଗୁ ନାହିଁ ବୋଲି କହି ତାଙ୍କ ରୁମ୍‌କୁ ଚାଲି ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
DZ Azex

DZ Azex

ଓଡ଼ିଶାର ପ୍ରସିଦ୍ଧ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

Advertisment

ଡିଜେ ଆଜେକ୍ସଙ୍କ ଦାଦା ଚନ୍ଦ୍ରମଣି ମହାରଣାଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳକୁ ସେ ଘରକୁ ଫେରିଥିଲେ। ଭଲ ଲାଗୁ ନାହିଁ ବୋଲି କହି ପ୍ରାୟ ୬ଟା ୫୦ରେ ସେ ତାଙ୍କ ରୁମ୍‌କୁ ଚାଲି ଯାଇଥିଲେ। ସେ ଶୋଇବାକୁ ଯାଉଛନ୍ତି ଓ କେହି ତାଙ୍କୁ ନ ଉଠାଇବାକୁ ସେ କହିଥିଲେ। ଏହା ଭିତରେ ଲାଇନ ଚାଲି ଯାଇଥିଲା। ଲାଇନ ଆସିବା ପରେ ରାତି ୧୦ଟା ବେଳକୁ ପରିବାର ଲୋକେ ତାଙ୍କୁ ଡାକ ପକାଇଥିଲେ। କିନ୍ତୁ ଡିଜେ ଆଜେକ୍ସ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ପରିବାର ଲୋକେ କବାଟ ବାଡ଼େଇବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ। ଡିଜେ ଆଜେକ୍ସ ଏକ ବେଡ୍‌ଶିଟ୍‌ରେ ଝୁଲି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଡିଜେ ଆଜେକ୍ସଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତ ଶରୀରକୁ କ୍ୟାପିଟାଲ୍‌ ହସ୍‌ପିଟାଲ୍ ନେଇଯାଇଥିଲେ।

ଏହି ଘଟଣାରେ ଆଜି ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। 

Advertisment

ସୂଚନାଯୋଗ୍ୟ, ୨୦୨୨ରେ ଭୁବନେଶ୍ୱରରେ ଡିଜେ ଆଜେକ୍ସଙ୍କୁ ଆକ୍ରମଣ ହୋଇଥିଲା। ଝିଅ ମାମଲାକୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୁଲିସ୍ ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି କୁହାଯାଉଛି।

Bhubaneswar Suicide Police DJ Azex DJ Azex Death Case