Advertisment

ଫର୍ଚ୍ୟୁନ୍ ଇଣ୍ଡିଆ ମାଗାଜିନ୍‌ରେ ସ୍ଥାନ ପାଇଲେ ସମର ପ୍ରତାପ

ଏହି ପତ୍ରିକାର ‘୪୦ ଅଣ୍ଡର ୪୦’ ସେଗ୍‌ମେଣ୍ଟରେ ଏଭଳି ସଫଳତା ପାଇଥିବା ଯୁବକ ହେଉଛନ୍ତି ଅଲିଭ ରିଡ୍‌ଲେ ମିଡିଆର ଫାଉଣ୍ଡର ସମର ପ୍ରତାପ ନାୟକ। ସମରଙ୍କ ସମେତ ଓଡ଼ିଶାର ୪ ଜଣ ଏହି ପତ୍ରିକାରେ ସ୍ଥାନିତ ହୋଇଥିବା ବେଳେ ସମର ହେଉଛନ୍ତି ସର୍ବ କନିଷ୍ଠ।

ଅଦ୍ୟତନ ହୋଇଛି
Samara Pratap Nayak

Samara Pratap Nayak

Advertisment

ଚାକିରି ପଛରେ ନ ଦୌଡ଼ି ‘ଷ୍ଟାର୍ଟ ଅପ୍‌’ରେ ଦକ୍ଷତା ପ୍ରତିପାଦିତ କରି ନିଜ ପରିଚୟ ସୃଷ୍ଟି କରିବାକୁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ବୁଦ୍ଧି ଓ ସ୍ୱଦେଶୀ ଜ୍ଞାନ କୌଶଳକୁ ବିକଶିତ କରି ନିଜ ପାଇଁ ତଥା ନିଜ ଦେଶ ପାଇଁ କିଛି କରିବାକୁ ଉତ୍ସାହିତ କରୁଛନ୍ତି। ଏହାଦ୍ୱାରା ବେକାରୀ ସମସ୍ୟା ଦୂର ହେବା ସହ ଯୁବ ପିଢ଼ିଙ୍କୁ ନିଯୁକ୍ତି ମିଳିବାର ଭରସା ବି ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଚିନ୍ତାଧାରାରେ ଉତ୍ସାହିତ ହେଉଥିବା ଯୁବପିଢ଼ି ଏବେ ଷ୍ଟାର୍ଟ ଅପ୍‌ ପ୍ରତି ଖୁବ୍‌ ଆକୃଷ୍ଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଜଣ ନିଜ ସଫଳତାକୁ ପ୍ରତିପାଦିତ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

Advertisment

ଓଡ଼ିଶାର ଜଣେ ଯୁବକ କିଛି ଭିନ୍ନ କରିବାକୁ ଚେଷ୍ଟା କରି ଫରଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ ପରି ସମ୍ମାନଜନକ ମାଗାଜିନରେ ସ୍ଥାନ ପାଇ ପାରିଛନ୍ତି। ଏହି ପତ୍ରିକାର ‘୪୦ ଅଣ୍ଡର ୪୦’ ସେଗ୍‌ମେଣ୍ଟରେ ଏଭଳି ସଫଳତା ପାଇଥିବା ଯୁବକ ହେଉଛନ୍ତି ଅଲିଭ ରିଡ୍‌ଲେ ମିଡିଆର ଫାଉଣ୍ଡର ସମର ପ୍ରତାପ ନାୟକ। ସମରଙ୍କ ସମେତ ଓଡ଼ିଶାର ୪ ଜଣ ଏହି ପତ୍ରିକାରେ ସ୍ଥାନିତ ହୋଇଥିବା ବେଳେ ସମର ହେଉଛନ୍ତି ସର୍ବ କନିଷ୍ଠ।

ଭୁବନେଶ୍ୱରର ଏକ ଘରୋଇ କଲେଜରେ ଓ IIM ଅହମ୍ମଦାବାଦରେ ମ୍ୟାନେଜମେଣ୍ଟ ପାଠ ପଢ଼ିଛନ୍ତି ସମର। ପାଠ ପଢ଼ା ସରିବା ପରେ ସେ କେବେ ବି ୯ଟାରୁ ୫ଟା ଚାକିରି  କଥା ଚିନ୍ତା କରି ନାହାନ୍ତି। ଜଣେ ଉଦ୍ୟୋଗପତି ହେବା ନିମନ୍ତେ ସେ ନିଜ ଲକ୍ଷ୍ୟ ପ୍ରାରମ୍ଭରୁ ହିଁ ସ୍ଥିର କରି ସାରିଥିଲେ। କାରଣ ଜଣେ ଉଦ୍ୟୋଗପତି କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ନାହିଁ ବରଂ ନିଜର ସ୍ୱାଧୀନ ଚିନ୍ତାଧାରାକୁ କାର୍ଯ୍ୟରେ ଲଗାଇବା ପାଇଁ ବଡ଼ ସୁଯୋଗ ପାଇଥାଏ ବୋଲି ତାଙ୍କର ବିଶ୍ୱାସ।

Advertisment

ସମରଙ୍କ କହିବାନୁଯାୟୀ, ‘ଉଦ୍ୟୋଗପତିମାନଙ୍କୁ ସବୁବେଳେ ଦୁଇଟି ବଡ଼ ସୁଯୋଗ ମିଳିଥାଏ। ଗୋଟିଏ ହେଲା କିଛି ସମସ୍ୟା ଆସିଲେ ଏହାକୁ ନିଜ ଢ଼ଙ୍ଗରେ ସମାଧନ କରିବା। ଆଉ ଅନ୍ୟଟି ସମସ୍ୟାର ସମାଧାନ ହୋଇସାରିବା ପରେ ଏହାର ସ୍ୱାଦ ଚାଖିବା।’

ପାଠ ପଢ଼ା ସାରିବା ପରେ ଚାକିରି ପଛରେ ନ ଧାଇଁ ସମର ପ୍ରଥମେ ବେଙ୍ଗାଲୁରରେ ବ୍ୟବସାୟ ଆରମ୍ଭ କରିଥିଲେ। ସେଠାରେ କିଛି ଦିନ ବ୍ୟବସାୟ କରିବା ପରେ ସେ ଓଡ଼ିଶା ଫେରିବାକୁ ଚାହିଁଥିଲେ। ହେଲେ ଓଡ଼ିଶାରେ ଭଲ ସୁଯୋଗ ନାହିଁ ଏବଂ କୁଶଳି କର୍ମଚାରୀ ମିଳିବେ ନାହିଁ ବୋଲି ବିଭିନ୍ନ ନାକାରାତ୍ମକ କଥା ତାଙ୍କୁ କୁହାଯାଇଥିଲା। ଏହାସତ୍ତ୍ୱେ ସେ ନିଜ ନିଷ୍ପତ୍ତିରୁ ଓହରି ନ ଥିଲେ ଓ ଓଡ଼ିଶା ଫେରିଥିଲେ। ଆଉ ଶେଷରେ ଓଡ଼ିଶାରେ ମଧ୍ୟ ଭଲ ବ୍ୟବସାୟ କରିହେବ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ସମର।

ସମର ନିଜ ସଂସ୍ଥାର ନାଁ ଅଲିଭ୍‌ ରିଡ୍‌ଲେ ମିଡିଆ ରଖିଥିବା ବେଳେ ଏହା ପଛରେ ଥିବା ଯୁକ୍ତିକୁ ବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଅଲିଭ୍‌ ରିଡ୍‌ଲେ କଇଁଛ ବର୍ଷ ସାରା ଦେଶ ବାହାରେ ରହିଥାନ୍ତି, କିନ୍ତୁ ଅଣ୍ଡାଦାନ କରିବା ବେଳେ ସେ ଘରକୁ ଫେରିଥାନ୍ତି। ତେଣୁ ମୁଁ ବି ସେମିତି ଓଡ଼ିଶା ବାହାରେ ରହି ବ୍ୟବସାୟ କରୁଥିଲି। କିନ୍ତୁ ଏବେ ନିଜ ଘରକୁ ଫେରି ଆସିଛି। ସେଥିପାଇଁ ମୋ’ ସଂସ୍ଥାର ନାଁ ଅଲିଭ୍‌ ରିଡ୍‌ଲେ ମିଡିଆ ରହିଛି।

ଏହି ପତ୍ରିକାରେ ସ୍ଥାନିତ ହୋଇ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ସମର। ଜଣେ ଓଡ଼ିଆ ହିସାବରେ ବିଜୟର ସ୍ୱାଦ ଚାଖିବା ପରି ଅନୁଭବ ହେଉଛି ବୋଲି କହିଛନ୍ତି।

ଏଥିସହ ସେ କହିଛନ୍ତି, ଯେତେବେଳେ ସମସ୍ତେ ଏକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଅନ୍ତି, ମୁଁ କିନ୍ତୁ ସମସ୍ୟାକୁ ବିଭିନ୍ନ କୋଣରୁ ସମୀକ୍ଷା କରିବାକୁ ଚେଷ୍ଟା କରେ। ମୁଁ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରେ, ତାହାର ବିଶ୍ଳେଷଣ କରେ, ଫଳରେ ଗ୍ରାହକ ଖୁସି ହୋଇଥାନ୍ତି।

ଓଡ଼ିଶାରେ ବ୍ୟବସାୟିକ ସ୍ଥିତି ସମ୍ପର୍କରେ ପଚାରିବାରୁ ଓଡ଼ିଶା ନୂତନ ଚିନ୍ତାଧାରା ପ୍ରତି ପ୍ରତିକ୍ରିୟାଶୀଳ ହେବ ବୋଲି ଭାବି ନ ଥିଲି ବୋଲି ସେ କହିଥିଲେ। ବଜାର ବିଶ୍ଳେଷଣ ପରେ ଜାଣିବାକୁ ପାଇଲି ଯେ, ଅଭିନବ ଚିନ୍ତାଧାରା ଏବଂ ଏହାର ଉତ୍ପାଦକୁ ବିକ୍ରି କରିବା ପାଇଁ ବିକଳ୍ପ ଉପାୟରେ ପଛରେ ପଡ଼ି ଯାଇଛି ଆମ ରାଜ୍ୟ। ହେଲେ ଯେତେବେଳେ ଗ୍ରାହକଙ୍କ ସମ୍ମୁଖରେ ମୁଁ ମୋ’ ନିଜ ନୀତିକୁ ଉପସ୍ଥାପିତ କଲି ସେମାନେ ବହୁତ ଖୁସି ହେଲେ ଓ ଏହାର ଫଳାଫଳ ଏବେ ପ୍ରକାଶ ପାଇଛି।

ସମରଙ୍କ ବାଦ ଫାଲକନ ରିୟଲ ଇଷ୍ଟେଟର ଡାଇରେକ୍ଟର ପାର୍ଥଜିତ ପଟ୍ଟନାୟକ ଓ ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ପାୱାର କପଲ ଜୟ ଦାଶ ଓ ସୁମା ଦାଶ ବି ଏହି ସମ୍ମାନଜନକ ପତ୍ରିକାରେ ସ୍ଥାନ ପାଇଛନ୍ତି।

ପାର୍ଥଜିତ ପଟ୍ଟନାୟକ ୨୦୦୮ ମସିହାରେ ଲଣ୍ଡନରୁ ଏମବିଏ କରି ଓଡ଼ିଶା ଫେରିଥିଲେ। ଏହାପରେ ସେ ଫାଲକନ ରିୟଲ ଇଷ୍ଟେଟର ଡାଇରେକ୍ଟର ପଦବୀ ସମ୍ଭାଳିଥିବା ବେଳେ ଖୁବ୍‌ ଶୀଘ୍ର ସଫଳତାର ସ୍ୱାଦ ଚାଖିଥିଲେ। ସେ ରାଜ୍ୟରେ ୧୨ଟି ଅତ୍ୟାଧୁନିକ ସି’ ଫୁଡ ଆଉଟଲେଟ ଖୋଲି ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ପାର୍ଥଜିତଙ୍କ ନେତୃତ୍ୱରେ ଫାଲକନ ଦିନକୁ ଦିନ ସଫଳତାର ଶିଡି ଚଢ଼ି ଚାଲିଛି।

କୋଭିଡ ମହାମାରୀ ସମୟରେ ଆମେରିକାରରେ ରହୁଥିବା ଜୟ ଦାଶ ଓ ସୁମା ଦାଶ ବିଳାସପୂର୍ଣ୍ଣ ଜୀବନ ଛାଡ଼ି ନିଜ ରାଜ୍ୟକୁ ଫେରି କିଛି କରିବାକୁ ନିଷ୍ପତ୍ତି ନେଲେ।

ନିଜ ରାଜ୍ୟକୁ ଫେରି ସେ ରାଜଧାନୀରେ ନୂଆ ଢାଞ୍ଚାର ପ୍ରଥମ ୱେଲନେସ୍ ଫାର୍ମାସୀ ଷ୍ଟୋର ଖୋଲିଲେ। ଯେଉଁଥିରେ ଗୋଟିଏ ଛାତ ତଳେ ବହୁ ହେଲଥ୍‌ ଫାସିଲିଟି ସହ 24x7 ଫର୍ମାଟରେ ହୋମ ଡେଲିଭରି ସେବା ବି ଆରମ୍ଭ କଲେ। ଏହାକୁ ରାଜଧାନୀବାସୀ ଖୁବ୍‌ ପସନ୍ଦ କରିଥିବା ବେଳେ ବର୍ଷକ ମଧ୍ୟରେ ସେମାନେ ସଫଳତାର ସ୍ୱାଦ ଚାଖିଲେ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe