ପାସଧାରୀ ଅଫିସରଙ୍କୁ ବି ଛୁଟିଦିନରେ ଲୋକସେବା ଭବନକୁ ପ୍ରବେଶ ମନା

ଲୋକସେବା ଭବନ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଦୀର୍ଘବର୍ଷ ଧରି କଟକଣା ଜାରି କରିଥିବା ରାଜ୍ୟ ସରକାର ଏବେ ଛୁଟିଦିନରେ କର୍ମଚାରୀ ଓ ଅଫିସରମାନେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ।

ଲୋକସେବା ଭବନ

  • Published: Saturday, 13 May 2023
  • , Updated: 13 May 2023, 07:51 PM IST

ଲୋକସେବା ଭବନ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଦୀର୍ଘବର୍ଷ ଧରି କଟକଣା ଜାରି କରିଥିବା ରାଜ୍ୟ ସରକାର ଏବେ ଛୁଟିଦିନରେ କର୍ମଚାରୀ ଓ ଅଫିସରମାନେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ଏପରିକି ସମ୍ପୃକ୍ତ ଅଫିସର ଓ କର୍ମଚାରୀମାନଙ୍କ ପାଖରେ ନିୟମିତ ପାସ୍ (ଲୋକସେବା ଭବନରେ ପ୍ରବେଶ ପାଇଁ) ଥିଲେ ମଧ୍ୟ ସେମାନେ ଛୁଟିଦିନରେ ପ୍ରବେଶ କରିପାରିବେ ନାହିଁ ଓ କେବଳ ବିଭାଗୀୟ ସଚିବଙ୍କ ଦସ୍ତଖତରେ ଅନୁମତି ପତ୍ର ଥିଲେ ଛୁଟିଦିନରେ ଲୋକସେବା ଭବନକୁ ପ୍ରବେଶ କରିହେବ ।

ରାଜ୍ୟ ଗୃହ ବିଭାଗ ଗତକାଲି ଏନେଇ ସମସ୍ତ ବିଭାଗର ସଚିବ ଓ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଛୁଟିଦିନରେ ଅଫିସରମାନଙ୍କ ଲୋକସେବା ଭବନ ପରିସରକୁ ପ୍ରବେଶ ଉପରେ ନିଷୋଧାଦେଶ ଜାରି କରିଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ପିସି ପ୍ରଧାନ ସମସ୍ତ ବିଭାଗୀୟ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଛୁଟିଦିନଗୁଡ଼ିକରେ ଲୋକସେବା ଭବନ ପରିସରରେ ଅନାବଶ୍ୟକ ଗତିବିଧି ସୁରକ୍ଷା ଦାୟିତ୍ୱରେ ଥିବା ସର୍ଭିଲାନ୍ସ ଟିମ ନଜରକୁ ଆସିଛି । ସଚିବାଳୟରେ କାର୍ଯ୍ୟରତ କିଛି ଯୁବ ଅଫିସରମାନେ ଛୁଟିଦିନରେ ଲୋକସେବା ଭବନ ପରିସରକୁ ପ୍ରବେଶ କରି ଏଭଳି ଗତିବିଧିରେ ଲିପ୍ତ ଥିବା ନେଇ ସୁରକ୍ଷା କର୍ମଚାରୀମାନେ ସୂଚନା ଦେଇଛନ୍ତି ।

ତେଣୁ ଛୁଟିଦିନ ଓ ରବିବାରଗୁଡ଼ିକରେ ସଚିବାଳୟ ପ୍ରବେଶ ପତ୍ର ଗ୍ରହଣୀୟ ହେବନି । ଅଫିସର ଓ କର୍ମଚାରୀମାନେ ନିୟମିତ ପାସ୍ ମାଧ୍ୟମରେ ଛୁଟିଦିନରେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଯଦି କୌଣସି ଅଫିସର ଛୁଟିଦିନରେ ଏହି ସରକାରୀ ପ୍ରତିଷ୍ଠାନକୁ ଆସିବାର ଆବଶ୍ୟକତା ଥାଏ, ତା’ହେଲେ ସେ ସମ୍ପୃକ୍ତ ବିଭାଗର ସଚିବଙ୍କ ଦସ୍ତଖତ ଥିବା ଅନୁମତି ପତ୍ର ଆଣିବାକୁ ବାଧ୍ୟ । ସଚିବଙ୍କ ଅନୁମତି ପତ୍ର ଥିଲେ ହିଁ ଛୁଟିଦିନରେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, କରୋନା ଆଳରେ ୨୦୨୦ ମାର୍ଚ୍ଚ ମାସ ପରଠୁ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିଙ୍କ ଲୋକସେବା ଭବନ ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ।

Related story