Advertisment

ଓଡ଼ିଆ ଭାଷା ଓ ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳ: ପରୀକ୍ଷା ବାତିଲ, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା(ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ) ଦ୍ୱାରା ଆୟୋଜିତ ପରୀକ୍ଷାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ କଦର୍ଥ କରି ପରୀକ୍ଷା କରାଗଲା ।

author-image
Ordigital Desk
ଅଦ୍ୟତନ ହୋଇଛି
staff selection commission odisha

staff selection commission odisha

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା(ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ) ଦ୍ୱାରା ଆୟୋଜିତ ପରୀକ୍ଷାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ କଦର୍ଥ କରି ପରୀକ୍ଷା କରାଗଲା । ଚାକିରି ଆଶାୟୀ ପିଲାଙ୍କ ଭବିଷ୍ୟତ ଓ ଓଡ଼ିଆ ଭାଷା ସହ ଷ୍ଟାଫ ସିଲେକ୍ସନ କମିଶନ ଖେଳ ଖେଳିଲେ । ହଜାର ହଜାର ପିଲା କଷ୍ଟକରି ପରୀକ୍ଷା ଦେବାର ୨୪ଘଣ୍ଟା ନପୁରୁଣୁ ପରୀକ୍ଷା ବାତିଲ ହେଲା, ଅଥଚ ଏଭଳି ଗୁରୁତର ତ୍ରୁଟି ପାଇଁ କାହାରିକୁ କମିଶନ ଦାୟୀ କଲେନି କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି । ଆଉ ଏପଟେ ଆଂଚଳିକବାଦର ଡିଣ୍ଡିମ ପିଟୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମଧ୍ୟ ନିରବ ରହିଛନ୍ତି । ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକର ମୁଖିଆ ପଦବୀରେ ଅଣଓଡ଼ିଆଙ୍କୁ ଥଇଥାନ କରି ରାଜ୍ୟ ସରକାର ପରୋକ୍ଷରେ ଓଡ଼ିଆ ଭାଷାକୁ ଏଭଳି କଦର୍ଥ କରିବାର ସୁଯୋଗ ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

Advertisment

ସୂଚନା ଅନୁସାରେ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୋଟ ୬୫ଟି ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ଗତ ୨୦୨୨ ଡିସେମ୍ବର ୨୨ତାରିଖରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ବିଜ୍ଞାପନ ଦେଇଥିଲେ । ଗତକାଲି ଅର୍ଥାତ ଏପ୍ରିଲ ୨୩ତାରିଖରେ ଏଥିପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା । ଆଉ ଓଡ଼ିଆ ଭାଷାରେ ଯେଉଁ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା ତା’ର ପ୍ରତ୍ୟେକଟି ଧାଡ଼ି ଓ ବାକ୍ୟ ତ୍ରୁଟିଯୁକ୍ତ ଥିଲା । ଓଡ଼ିଆ ଭାଷାକୁ କଦର୍ଥ କରିବାର କୌଣସି ସୁଯୋଗ ସତେଯେମିତି ହାତଛଡ଼ା କରିନଥିଲେ କମିଶନ । ପିଲାମାନେ ଏହି ପ୍ରଶ୍ନପତ୍ରର ଉତ୍ତର ଦେବେ କ’ଣ କିଛି ବୁଝିବା ବି ସମ୍ଭବପର ହେଉନଥିଲା । ଓଡ଼ିଆ ଭାଷାରେ ୪ ପୃଷ୍ଠାର ପ୍ରଶ୍ନପତ୍ରର ପ୍ରତ୍ୟେକ ଧାଡ଼ି ତ୍ରୁଟିପୂର୍ଣ୍ଣ ଥିଲା ।

କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଏଭଳି ତ୍ରୁଟିଯୁକ୍ତ ପ୍ରଶ୍ନପତ୍ରକୁ ନେଇ ଗତକାଲି ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଜେପି ପକ୍ଷରୁ ଏନେଇ ରାଜ୍ୟ ସରକାର ଓ ଷ୍ଟାଫ ସିଲେକ୍ସନ କମିଶନଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ତ୍ରୁଟି ହୋଇଥିବାକୁ ସ୍ୱୀକାର କରି କମିଶନ ଆଜି ଏହି ପରୀକ୍ଷାକୁ ବାତିଲ କରିଛନ୍ତି । ଏହି ପ୍ରିଲିମିନାରୀ ପରୀକ୍ଷା ପାଇଁ ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ ବୋଲି ଷ୍ଟାଫ ସିଲେକ୍ସନ କମିଶନଙ୍କ ସଚିବଙ୍କ ଦ୍ୱାରା ଜାରି ନୋଟିସରେ ଉଲ୍ଲେଖ ରହିଛି ।

Advertisment

ମାତ୍ର ପ୍ରଶ୍ନ ଉଠୁଛି, ଆକାଉଣ୍ଟାଣ୍ଟ ପଦବୀ ନିମନ୍ତେ ପ୍ରଶ୍ନପତ୍ର ଓଡ଼ିଆ ଭାଷାରେ କିଏ ପ୍ରସ୍ତୁତ କରିଥିଲେ । ପ୍ରଶ୍ନପତ୍ରରେ କ’ଣ ରହିବ ତାହା ତଦାରଖ ପାଇଁ କମିଶନରେ କ’ଣ ଆବଶ୍ୟକ ବ୍ୟବସ୍ଥା ନାହିଁ? କମିଶନ ଏହି ପ୍ରଶ୍ନପତ୍ର ଛାପିବା ପୂର୍ବରୁ ତାକୁ କାହିଁକି ତଦାରଖ କରିନଥିଲେ । ରାଜ୍ୟ ବାହାରେ ଯଦି ଏହି ପ୍ରଶ୍ନପତ୍ର ଛପା ଯାଉଛି ତାକୁ ଛାପିବା ପୂର୍ବରୁ କାହିଁକି କମିଶନ ଯାଂଚ କଲେନି? ଓଡ଼ିଆ ଭାଷାକୁ କଦର୍ଥ କରି ଯେଉଁ ପ୍ରଶ୍ନପତ୍ର କାଲି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଗଲା, ଯଦି ସମାନ ସ୍ଥିତି କୌଣସି କେନ୍ଦ୍ରୀୟ ନିଯୁକ୍ତି ସଂସ୍ଥା ଦ୍ୱାରା ହୋଇଥାନ୍ତା ତା’ହେଲେ କ’ଣ ରାଜ୍ୟର ବୁଦ୍ଧିଜୀବୀ ଓ ଶାସକ ଦଳ ଚୁପ୍ ବସିଥାନ୍ତା କି? ଏତେ ବଡ଼ ଗୁରୁତର ତ୍ରୁଟି ପାଇଁ କାହିଁକି ରାଜ୍ୟ ସରକାର ନିଜ ଆଡ଼ୁ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଓଡ଼ିଆ ଭାଷାର ଏଭଳି ଅପବ୍ୟବହାର ପାଇଁ କାହିଁକି କମିଶନଙ୍କୁ ଦାୟୀ କରାଯାଇ ତାଙ୍କ ନାଁରେ ଥାନାରେ ମାମଲା କରାଯିବନି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ସତ୍ତ୍ୱେ ଏହି ପରୀକ୍ଷା ଦେଇଥିବା ହଜାର ହଜାର ପିଲାଙ୍କ ମାନସିକ ଓ ଶାରୀରିକ କଷ୍ଟ ପାଇଁ କିଏ ଦାୟୀ ରହିବ । କମିଶନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପଛଘୁଂଚା ଦେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଏହି ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକୁ ଅବସରପ୍ରାପ୍ତ ଅଫିସରଙ୍କ ଥଇଥାନ କେନ୍ଦ୍ର କରିସାରିଥିବାରୁ ଏସବୁ ସଂସ୍ଥା ପେଷାଦାର ମନୋବୃତ୍ତି ରଖିବାରେ ସକ୍ଷମ ହୋଇପାରୁନାହାନ୍ତି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ପେଷାଦାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ ଅଣଓଡ଼ିଆ ଡିଜି ଅଭୟଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କୁ ଥଇଥାନ କରାଯାଇଛି । ସେହିପରି ଓଡ଼ିଶା ପବ୍ଲିକ ସର୍ଭିସ କମିଶନରେ ଅବସରପ୍ରାପ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଅବସରପ୍ରାପ୍ତଙ୍କୁ ଥଇଥାନ କରାଯାଇଛି ।  ଏହି ଅବସରପ୍ରାପ୍ତ ଅଫିସରମାନେ ଏଭଳି ସଂସ୍ଥାରେ ଥଇଥାନ ହୋଇଥିବାରୁ ସମ୍ପୂର୍ଣ୍ଣ ସଂସ୍ଥାଗୁଡ଼ିକ ପେଷାଦାର ଭାବେ କାର୍ଯ୍ୟ କରିବାରେ ସକ୍ଷମ ହେଉନି । ଯେଉଁଥିପାଇଁ ବିଭିନ୍ନ ପଦବୀ ନିମନ୍ତେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ଉପରେ ସାଧାରଣରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସୂଚନାଯୋଗ୍ୟ, ଗତ ୨ବର୍ଷ ତଳେ ସେହି ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ଭିଜିଲାନ୍ସ ଚଢ଼ଉ କରି କୋଟି କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଜବତ କରିଥିଲା ଓ କିନ୍ତୁ ସମ୍ପୃକ୍ତ ବ୍ୟକ୍ତି କିଭଳି ଏତେ ଟଙ୍କା ଆୟ କଲେ ତା’ର ଖୋଳତାଡ଼ ହେଲାନି କିମ୍ବା ଷ୍ଟାଫ ସିଲେକ୍ସନ ଆୟୋଗରେ କାହାରିକୁ ତଦନ୍ତ ପରିସରଭୁକ୍ତ କରାଗଲାନି । ଏବେବି ଏହି ତଦନ୍ତ ରହସ୍ୟଘେରରେ ରହିଛି ।

Odisha Governance Odisha Job Scam