/odisha-reporter/media/media_files/2025/09/25/vigilance-raid-2025-09-25-16-28-07.jpg)
ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଓ ତାଙ୍କ ଘରୁ ଜବତ ଟଙ୍କା ଏବଂ ସୁନାଗହଣା Photograph: (OR)
ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଭୁବନେଶ୍ୱର ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (TPCODL) ସର୍କଲ-୧ର ନିର୍ବାହୀ ଯନ୍ତ୍ରୀ (କ୍ୱାଲିଟୀ) ତୁଷାରକାନ୍ତ ରାୟ।
ଏହି ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଜଣଙ୍କ ଏକ ଆପାର୍ଟମେଣ୍ଟରେ ଗୋଟିଏ ଟ୍ରାନ୍ସଫର୍ମର ବସାଇଛନ୍ତି। କିନ୍ତୁ ଗତ ଦୁଇ ମାସ ଧରି ତାଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ସେ ସଂପର୍କିତ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦାଖଲ ନକରିବାରୁ ସେଠାକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ତା’ସହିତ ଠିକାଦାର ଜଣଙ୍କ ଉକ୍ତ କାମ ବାବଦକୁ ତାଙ୍କ ପ୍ରାପ୍ୟ ମଧ୍ୟ ପାଇନାହାନ୍ତି।
ଟ୍ରାନ୍ସଫର୍ମର ସଂପର୍କିତ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦେବା ପାଇଁ ଶ୍ରୀ ରାୟ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଅନ୍ୟ କୌଣସି ଉପାୟ ନପାଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଯୋଜନା ପ୍ରକାରେ ଗତକାଲି ଠିକାଦାର ଜଣଙ୍କ ଶ୍ରୀ ରାୟଙ୍କୁ ଲାଞ୍ଚ ଅର୍ଥ ଦେବା ପାଇଁ ଯୋଗାଯୋଗ କରିଥିଲେ।
ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାୟ ଗତକାଲି ବିଳମ୍ବିତ ରାତିରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ। ଠିକାଦାର ଜଣଙ୍କ ସେଠାରେ ପହଞ୍ଚିବା ପରେ ଶ୍ରୀ ରାୟ ତାଙ୍କୁ ଏକ ପାର୍କକୁ ନେଇଯାଇଥିଲେ, ଯାହା ତାଙ୍କ ଘର ନିକଟରେ ରହିଛି। ପାର୍କରେ ସେ ଠିକାଦାରଙ୍କଠାରୁ ଲାଞ୍ଚ ଅର୍ଥ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଥିଲା।
ଏହା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ରାୟଙ୍କ ଘର ସମେତ ୩ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ୨୦୦ ଟଙ୍କା ପାଇଥିଲା ଭିଜିଲାନ୍ସ। ଏହା ସହିତ ବହୁ ସୁନାଗହଣା ପାଇଥିଲା ଭିଜିଲାନ୍ସ। ସେହିପରି ଅଧିକ ଖୋଳତାଡ଼ ପରେ ଡାକଘରେ, ବ୍ୟାଙ୍କରେ ଓ ଅନ୍ୟାନ୍ୟ ସେଭିଂ ଆକାଉଣ୍ଟରେ ସେ ୧.୮୫ କୋଟି ଟଙ୍କା ଜମା ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ସବୁ ଜମା ପାଇଁ ଅଧିକାଂଶ ସମୟରେ ନଗଦ ରାଶି ପ୍ରଦାନ କରାଯାଇଥିବାରୁ, ସେଗୁଡ଼ିକ ଲାଞ୍ଚ ଅର୍ଥ ହୋଇଥାଇପାରେ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି। ଏତେ ଟଙ୍କା ସେ କେମିତି ଜମା କଲେ, ସେ ସଂପର୍କରେ ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା କରାଯାଉଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
