Advertisment

କେନ୍ଦ୍ରାପଡ଼ା ଓ କନ୍ଧମାଳରେ ବି ଧରାପଡ଼ିଲା ଜାଲି ସାର୍ଟିଫିକେଟ, ବିଜେଡି ନେତାଙ୍କ ଲିଙ୍କ୍ ନେଇ ବିଧାନସଭା ଗରମ

ନକଲି ସାର୍ଟିଫିକେଟ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ ଜଣଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛନ୍ତି ଫୁଲବାଣୀ ଡାକମଣ୍ଡଳର ଅଧୀକ୍ଷକ।

Fake certificate caught

Fake certificate caught

Advertisment

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ବି ଜାଲି ସାର୍ଟିଫିକେଟର ଜାଲ। ନକଲି ସାର୍ଟିଫିକେଟ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ ଜଣଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛନ୍ତି ଫୁଲବାଣୀ ଡାକମଣ୍ଡଳର ଅଧୀକ୍ଷକ। ଡାକ ବିଭାଗରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ବେଳେ କେନ୍ଦ୍ରାପଡ଼ାରେ ବି ବାହାରିଛି ଜାଲ ମାଟ୍ରିକ ସାର୍ଟିଫିକେଟ୍। ସେଇ ସମାନ ବାହାର ରାଜ୍ୟର ସାର୍ଟିଫିକେଟ୍। ମାଟ୍ରିକରେ ଆଖି ଖୋସି ହେଇଯିବା ଭଳି ନମ୍ବର ମାର୍କସିଟ୍‌ରେ ରହିଛି।

Advertisment

ପୂର୍ବରୁ ବଲାଙ୍ଗିର ନକଲି ମାଟ୍ରିକ ସାର୍ଟିଫିକେଟର ଫ୍ୟାକ୍ଟ୍ରି ଖୋଲିଥିବା ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହ ୧୯ ଜଣ ଗିରଫ ହୋଇ ଜେଲରେ ଥିବା ବେଳେ ଏଇଠୁ ହିଁ ସାରା ରାଜ୍ୟକୁ ଜାଲ୍‌ ସାର୍ଟିଫିକେଟ ଯୋଗାଣର ଚେର ଲମ୍ବିଥିବା କୁହାଯାଉଛି।

ଅପରପକ୍ଷେ ଜାଲ ସାର୍ଟିଫିକେଟ୍ ବେପାରରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗ ଆଣି ଆଜି ବିଧାନସଭାରେ ବର୍ଷିଛନ୍ତି ବିରୋଧୀ ଦଳ ସଦସ୍ୟମାନେ।

Advertisment

ସୂଚନା ମୁତାବକ, ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖା ପୋଷ୍ଟମାଷ୍ଟର ଓ ସହକାରୀ ପୋଷ୍ଟମାଷ୍ଟର ପଦବୀ ପାଇଁ ନିଯୁକ୍ତି ଲାଗି ସାର୍ଟିଫିକେଟ୍ ଯାଞ୍ଚ ବେଳେ ମୋଟ ୬ ଜଣ ପ୍ରାର୍ଥୀ ଏମିତି ଜାଲ ପ୍ରମାଣପତ୍ର ଦାଖଲ କରିଥିବା ନଜରକୁ ଆସିଛି। ଫଳରେ ଏ ସମସ୍ତଙ୍କ ନାଁରେ ଫୁଲବାଣୀ ଟାଉନ୍ ଥାନାରେ ଡାକ ବିଭାଗର ପକ୍ଷରୁ ଅଭିଯୋଗ ହୋଇଥିବା ଫୁଲବାଣୀ ଡାକ ମଣ୍ଡଳ ଅଧୀକ୍ଷକ ଦେବୀପ୍ରସାଦ ନାୟକ ସୂଚନା ଦେଇଛନ୍ତି। ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକଘର ଅଧିନ ଗ୍ରାମୀଣ ଡାକସେବକ ଶାଖାରେ ପୋଷ୍ଟ ମାଷ୍ଟର ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଧରାପଡ଼ିଛି। ମାଟ୍ରିକ ସାର୍ଟିଫିକେଟ ଯାଞ୍ଚ ବେଳେ ଜାଲ ସାର୍ଟଫିକେଟ ବାହାରିଛି। ଆବେଦକାରୀ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ଏହି ସାର୍ଟିଫିକେଟ ଉତ୍ତର ପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ବୋଲି ଜାଲିଆତି କରି ବାହାର କରାଯାଇଛି। ଏନେଇ ଡାକ ଅଧୀକ୍ଷକ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଲା ପରେ ପୁଲିସ୍ ଭଦ୍ରକର ଉକ୍ତ ପ୍ରାର୍ଥୀଙ୍କ ଘରେ ପହଞ୍ଚିବା ବେଳକୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଏପଟେ ଖୋଲିବାରେ ଲାଗିଛି ବଲାଙ୍ଗିର ନକଲି ସାର୍ଟିଫିକେଟ୍ ସିଣ୍ଡିକେଟର ଗୋଟିକ ପରେ ଗୋଟିଏ ଗୁମର। ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବାକୁ ଚେଷ୍ଟା କରିଥିବା କିଛି ପ୍ରାର୍ଥୀଙ୍କ ସଂପର୍କରେ ଏକ୍ସକ୍ଲୁସିଭ୍ ତଥ୍ୟ ମିଳିଛି। ଯେମିତିକି ଜାଲ ସାର୍ଟିଫିକେଟ୍ ଦେଇ ଜେଲ୍ ଯାଇଥିବା ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଏବଂ ପୁଲିସର ରାଜସାକ୍ଷୀ ବନିଥିବା ରୀତା ନାଗ। ଏମାନେ ସମସ୍ତେ ବିଭିନ୍ନ ବର୍ଷରେ ବଲାଙ୍ଗିର ଧୂମାଭଟା ହାଇସ୍କୁଲରେ ତୃତୀୟ ଶ୍ରେଣୀରେ ପାସ କରିଥିବା ନେଇ ସୂଚନା ଦେଇଛନ୍ତି ଧୂମାଭଟା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାତ୍ର। ହେଲେ ଯେହେତୁ ମାଟ୍ରିକ ମାର୍କ ଆଧାର ହିଁ ଏକମାତ୍ର ଚୟନର ମାପଦଣ୍ଡ ଥିଲା, ସେଇଥିପାଇଁ ଏମାନେ ୯୦ ପ୍ରତିଶତରୁ ଅଧିକ ମାର୍କ ଥିବା ନକଲି ସାର୍ଟିଫିକେଟ ଯୋଗାଡ଼ ଲାଗି ବଲାଙ୍ଗିର ମନୋଜ ମିଶ୍ରଙ୍କ ନକଲି ସାର୍ଟିଫିକେଟ୍ ଫ୍ୟାକ୍ଟ୍ରି ସାଜିଥିବା ରିଲାଏନ୍ସ ଏଜୁକେସନ୍ କଂପ୍ଲେକ୍ସର ସାହାରା ନେଇଥିଲେ।

ସେପଟେ ଘଟଣାରେ ମନୋଜ ଓ କମ୍ପ୍ୟୁଟର ଟିଚର ଆଲୋକ ଉଦ୍‌ଗାତା ସହ ଏପର୍ଯ୍ୟନ୍ତ ମୋଟ ୧୯ ଜଣକୁ ଗିରଫ କରି ତନାଘନା ଜାରି ରଖିଛି ବଲାଙ୍ଗିର ପୁଲିସ୍। ବାହାର ରାଜ୍ୟର ୟୁନିଭର୍ସିଟି ଓ କଲେଜମାନଙ୍କର କର୍ମଚାରୀ ଓ ଅଧିକାରୀଙ୍କୁ ହାତ କରି ମନୋଜ ଏଇ ଫେକ ସାର୍ଟିଫିକେଟ୍ ରାକେଟ୍ ଚଳାଇଥିବା ନେଇ ପୋଲିସ ସନ୍ଦେହ କରୁଥିବାରୁ ଚେର ଖୋଜିବାକୁ ଏକ ସ୍ୱତନ୍ତ୍ର ଟିମ୍ ବାହାର ରାଜ୍ୟକୁ ଯିବ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ନୀତୀନ କୁଶଲକର। 

ବଲାଙ୍ଗିର ପୁଲି ନକଲି ସାର୍ଟିଫିକେଟ ରାକେଟର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରିଛି। ଗୋଟିଏ ଟିମ୍ ଏ ସଂପର୍କିତ ଆର୍ଥିକ ନେଣଦେଣର ଯାଞ୍ଚ କରିବ। ଦ୍ୱିତୀୟ ଟିମ୍ ଘଟଣାର ସାଇବର ଆନାଲିସିସ୍ କରିବ। ତୃତୀୟ ଟିମ୍ ୟୁପି ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଅନୁସନ୍ଧାନ କରିବ। ଚତୁର୍ଥ ଟିମ୍ ରାଜ୍ୟ ଭିତରେ ରେଡ୍ କରି କାର୍ଯ୍ୟାନୁଷ୍ଠାନ ନେବ।

ଏପଟେ ଆଜି ବିଧାନସଭାରେ ବି ଉଠିଛି ଜାଲ ସାର୍ଟିଫିକେଟ୍ ପ୍ରସଙ୍ଗ। ମାମଲାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ଫେକ୍ ସାର୍ଟିଫିକେଟ୍ ମାମଲାରେ ବିଜେଡି ଆଇଟି ସେଲର ମୁଖ୍ୟ ମନୋଜ ମିଶ୍ର ଗିରଫ ହୋଇଥିବାରୁ ରାକେଟ୍ ପଛରେ ବିଜେଡିର ଲିଙ୍କ ଥିବା ଅଭିଯୋଗ କରିଛନ୍ତି।

ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ଯେହେତୁ ଅଭିଯୁକ୍ତ ସରକାରୀ ଦଳର ଏକ ମୁଖ୍ୟ ପଦରେ ଥିଲା, ଏହାର ଫାଇଦା ଉଠାଇ ନକଲି ସର୍ଟିଫିକେଟ ରାକେଟ ଚଳାଉଥିଲା। ଏଥିଯୋଗୁ ବହୁ ଶିକ୍ଷିତ ଯୁବକଯୁବିତୀଙ୍କ ଭାଗ୍ୟକୁ ବିଜେଡି ନଷ୍ଟ କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ।

ଏହାର ଜବାବ ରଖି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତ, ଯିଏ ବି ଦୋଷ କରିବ ସେ ଦଣ୍ଡ ପାଇବ। ଏଥିରେ ଭାବିବାର କିଛି ନାହିଁ। ଏଥିରେ କିଏ କେଉଁଠି ଅଛି କିଛି ଦେଖାଯିବନି।

Fake Item Racket Bjd Leader Education Certificate For Sale Certificates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe