Advertisment

ଭିଜିଲାନ୍ସ ଏସ୍‌ପି ପରିଚୟ ଦେଇ ଯନ୍ତ୍ରୀ, ପିଡି ଓ ଠିକାରଦାରଙ୍କୁ ଠକୁଥିଲା; କୋଟିଏ ମାଗି ଫସିଗଲା

ନିଜକୁ ଭିଜିଲାନ୍ସ ଏସ୍‌ପି ବୋଲି ପରିଚୟ ଦେଇ ବଡ଼ ବଡ଼ ସରକାରୀ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଠକ ଭୁବନେଶ୍ୱର ଏସ୍‌ଟିଏଫ୍ ହାତରେ ଧରାପଡ଼ିଛି।

ଅଦ୍ୟତନ ହୋଇଛି
Accuse Manoj

Accuse Manoj

Advertisment

ନିଜକୁ ଭିଜିଲାନ୍ସ ଏସ୍‌ପି ବୋଲି ପରିଚୟ ଦେଇ ବଡ଼ ବଡ଼ ସରକାରୀ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଠକ ଭୁବନେଶ୍ୱର ଏସ୍‌ଟିଏଫ୍ ହାତରେ ଧରାପଡ଼ିଛି। ଗିରଫ ଠକ ଜଣକ ଖୁବ୍‌ ଉଚ୍ଚ ଶିକ୍ଷିତ। ସେ ନିଜର ବିଦ୍ୟାକୁ ଅବାଟରେ ଲଗାଇ ରାତାରାତି କୋଟିପତି ହେବାକୁ ଚଳାଇଥିଲା ଏହି ଠକେଇ। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ତିତିପର ମନୋଜ ମାଝୀ। ସେ ଏମ୍‌ଏସ୍‌ସି କରିବା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

Advertisment

ସେ ଯେଉଁ ସରକାରୀ ଅଧିକାରୀମାନଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲା ତାହା ଜାଣିବା ପରେ ଏସ୍‌ଟିଏଫ୍ ତାଜୁବ୍‌ ହୋଇଯାଇଛି। ତାଲିକାରେ ଭୁବନେଶ୍ୱର ଆର ଆଣ୍ଡ ବି ସିନିୟର ଇଞ୍ଜିନିୟର, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆର ଆଣ୍ଡ ବି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ବରିଷ୍ଠ ଯନ୍ତ୍ରୀ, ମୟୂରଭଞ୍ଜ ପିଡି, ବାରିପଦା ପିଡବ୍ଲୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କୋରାପୁଟ ଆଟିଡିଏର ପିଏ, ଭୁବନେଶ୍ୱର ଇଆଇସିଙ୍କ ସ୍ୱତନ୍ତ୍ର ସଚିବ, ଖୋର୍ଦ୍ଧା ଏସିଇ ଓ ଏସ୍‌ଇ, ଖୋର୍ଦ୍ଧା ପିଡି ଓ ଡିସିପିଓ, ପୁରୀ ଡିସିପିଓ, ରାୟଗଡା ଡିସିପିଓ, କଟକ ଆର ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବହୁ ଠିକାଦାର ରହିଛନ୍ତି। ସେ ଫୋନ୍‌ରେ ଓ ସିଧାସଳଖ ଭାବେ ଅଫିସ୍‌ରମାନଙ୍କୁ ଟଙ୍କା ନ ଦେଲେ ଭିଜିଲାନ୍ସ ମାମଲାରେ ଫସାଇ ଦେବାର ଧମକ ଦେଉଥିଲା।

ସେହିପରି ସେ ନିଜରକୁ ଜଣେ ବଡ଼ ସରକାରୀ ଅଧିକାରୀ ବୋଲି ପରିଚୟ ଦେଇ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ଯୁବକ ଓ ଯୁବତୀଙ୍କୁ ଚାକିରି କରାଇଦେବା ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛି। ଏସ୍‌ଟିଏଫ୍‌ ଏହି ଠକକୁ ତାର ଘର କୃଷ୍ଣପ୍ରସାଦ ଅଂଚଳରୁ ଗତ ୬ ତାରିଖ ଦିନ ଗିରଫ କରିଛି।

Advertisment

ଏନେଇ ଏସ୍‌ଟିଏଫ୍ ଏସ୍‌ପି କିଶୋର କୁମାର ପାଣିଗ୍ରାହୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ୫ ତାରିଖରେ ଏନେଇ ଏକ ଅଭିଯୋଗ ମିଳିଥିଲା। ପିଡବ୍ଲୁଡି ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଜିତ ପ୍ରସାଦ ମହାପାତ୍ର ଅଭିଯୋଗ କରିଥିଲେ ଯେ, ମନୋଜ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ନିଜକୁ ଏସ୍‌ପି ଭିଜିଲାନ୍ସ ବୋଲି ପରିଚୟ ଦେଇ ୧ କୋଟି ଟଙ୍କା ବଟି ନ ଦେଲେ ଭିଜିଲାନ୍ସ ମାମଲାରେ ଫସାଇଦେବ ବୋଲି ଧମକ ଦେଉଛନ୍ତି। ଏହାକୁ ଭିତ୍ତି କରି ଏସ୍‌ଟିଏଫ୍ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲା।

ଅଭିଯୁକ୍ତ ବିଭିନ୍ନ ବିଭାଗର ମୁଖ୍ୟ ବୋଲି ପରିଚୟ ଦେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ଠାରୁ ଟଙ୍କା ଦାବି କରୁଥିଲା। ପଚରାଉଚରା ବେଳେ ସେ ଏସ୍‌ଟିଏଫ୍‌ ଆଗରେ ଅନେକ ସତ ମାନିଛି। ଚାକିରି କରାଇ ଦେବାର ପ୍ରଲୋଭନ ଦେଇ ସେ ବିଭିନ୍ନ ଲୋକଙ୍କୁ ମଧ୍ୟ ଠଙ୍କା ଠକି ନେଇଛି। ତା’ ଘରୁ ୩ଟି ଏଏସ୍‌ଓ ଆଡମିଟ୍‌କାର୍ଡ ସହ ବହୁ ଆପତ୍ତିଜନକ କାଗଜପତ୍ର ମିଳିଛି। ତଦନ୍ତ ବେଳେ ଚାକିରି କରାଇ ଦେବାର ପ୍ରଲୋଭନ ଦେଇ ଜଣେ ବ୍ୟକ୍ତି ଠାରୁ ଅଭିଯୁକ୍ତ ଓ ତାର ସହଯୋଗୀମାନେ ମିଶି ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା। ସେହିପରି ଉର୍ମିଳା କଷ୍ଟ୍ରକସନ୍ କମ୍ପାନୀର ମାଲିକ ବିବେକ ନନ୍ଦ ପ୍ରଧାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ୬ ଲକ୍ଷ ଟଙ୍କା ନେଇଛି ଅଭିଯୁକ୍ତ। ଚଳିତ ବର୍ଷ ଏପ୍ରିଲରୁ ସେ ଏଭଳି ଠକେଇର ନୂଆ ତରିକା ଆପଣାଇଥିଲା। ତାହାର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସହ ଟଙ୍କା ଫ୍ରିଜ୍ କରାଯିବ।

ଆଜି ତାକୁ ଗିରଫ ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ଆବଶ୍ୟକ ହେଲେ ରିମାଣ୍ଡରେ ଆଣି ତାକୁ ଅଧିକ ପଚରାଉଚରା କରାଯିବ। ତାର ସହଯୋଗୀମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ଟିଏଫ୍ ଏସ୍‌ପି କହିଛନ୍ତି।

STF Cheat Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe