ସମ୍ବଲପୁର ଅଶାନ୍ତ ପାଇଁ ସରକାର ଦାୟୀ, ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି : ବିଜେପି

ଏହି ସମଗ୍ର ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ସହ ତୃତୀୟ ମହଲା ପରୋକ୍ଷ ଭାବେ ସେଠାରେ ଦଙ୍ଗା କରିବା ପାଇଁ ଚାହୁଁଥିଲା ବୋଲି ବିଜେପି ଅଭିଯୋଗ କରିଛି ।

ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

  • Published: Saturday, 15 April 2023
  • , Updated: 15 April 2023, 10:22 PM IST

ସମ୍ବଲପୁର ସହର ଅଶାନ୍ତ ହେବା ପାଇଁ ରାଜ୍ୟ ସରକାର ଦାୟୀ । ଏହି ସମଗ୍ର ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ସହ ତୃତୀୟ ମହଲା ପରୋକ୍ଷ ଭାବେ ସେଠାରେ ଦଙ୍ଗା କରିବା ପାଇଁ ଚାହୁଁଥିଲା ବୋଲି ବିଜେପି ଅଭିଯୋଗ କରିଛି ।

ସମ୍ବଲପୁର ଅଶାନ୍ତ ଘଟଣାର ଗ୍ରାଉଣ୍ଡ ସ୍ଥିତି ଅନୁଧ୍ୟାନ ଓ ବିଭିନ୍ନ ସମୁଦାୟ ସହ ଆଲୋଚନା କରି ଫେରିବା ପରେ ବିଜେପିର ୭ଜଣିଆ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ତୃତୀୟ ମହଲାକୁ ସିଧାସଳଖ ଦାୟୀ କରିଛି । ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ସମ୍ବଲପୁରରେ ଅଭାବନୀୟ ଘଟଣା ଘଟିବା ପରେ ବି ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କାହିଁକି ଚୁପ୍ ଅଛନ୍ତି । ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘଟଣାର ବିବୃତି ନ ଆସିବା ଅନ୍ୟ ଏକ ଦିଗ ଆଡ଼କୁ ଇଙ୍ଗିତ କରୁଛି । ମୁଖ୍ୟମନ୍ତ୍ରୀ ତାଙ୍କର ନୀରବତା ଭାଙ୍ଗନ୍ତୁ, ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦିଅନ୍ତୁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲ'ଲେସନେସ କହୁଥିବାବେଳେ ବିଜୁ ଜନତା ଦଳର ଯେଉଁ ବଚସ୍କରମାନଙ୍କୁ ଏକଥା ବାଧୁଥିଲା, ସେମାନେ ଆଜି ଏହି ଘଟଣାରେ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତିି ? ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମସ୍ତ କଥା କହିଥିଲେ ମଧ୍ୟ ସେ ଅଂଚଳଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କାହିଁକି କରାଯାଇନଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ଗତକାଲି ସମଗ୍ର ସମ୍ବଲପୁରରେ ପୋଲିସ ଛାଉଣୀ ଥିବାବେଳେ ପୁଣି ସାମ୍ପ୍ରଦାୟିକ କାରଣ ନେଇ ଜଣେ ଯୁବକଙ୍କୁ କେଉଁ ପରିସ୍ଥିତିରେ ହତ୍ୟା କରାଗଲା? ଗତକାଲି ଯେଉଁ ଯୁବକ ନିହତ ହୋଇଛନ୍ତି, ପ୍ରଶାସନ ସେବାବଦରେ କାହିଁକି ସ୍ପଷ୍ଟୀକରଣ ଦେଇନାହିଁ । ଯୁବକର ଶବ ବ୍ୟବଚ୍ଛେଦ ରିପୋର୍ଟ କ’ଣ ଆସିଛି? ରାତାରାତି କାହାକୁ କିଛି ନ ଜଣାଇ ଯୁବକ ଶବଦାହ କାହିଁକି କରାଗଲା? ତା'ର ପରିବାରକୁ କ୍ଷତିପୂରଣ କିଏ ଦେବ? ଆହତ ହୋଇଥିବା ବ୍ୟକ୍ତିଙ୍କର ଅବସ୍ଥା କଣ ଅଛି? ଏ ସବୁ ପ୍ରଶ୍ନର ଉତ୍ତର ସରକାରଙ୍କ ସାମ୍ନାରେ ପ୍ରଶ୍ନ ହୋଇ ରହିଛି । ଏହାର ଉତ୍ତର ସରକାର ଦେବା ପାଇଁ ଆମେ ଦାବି କରୁଛୁ ।

ଗତ କିଛି ଦିନ ତଳେ ସମ୍ବଲପୁର ସହରରେ ଏକ ସାମାନ୍ୟ ଘଟଣାକୁ ନେଇ ପୁଲିସ ପ୍ରଶାସନ ଯେଉଁଭଳି ଭାବରେ ବିରୋଧୀ ଦଳ ନେତାଙ୍କ ପ୍ରତି ଆଚରଣ କରିଥିଲା ଓ ପରବର୍ତୀ ସମୟରେ ପୁଲିସ ସଂଘ ସହିତ ପ୍ରଶାସନ ମିଳିତ ଭାବେ ବିରୋଧୀ ଦଳ ନେତାଙ୍କୁ ଆକ୍ଷେପ ଓ ଇଙ୍ଗିତ କରିଥିଲା । ଏହା କ’ଣ ତୃତୀୟ ମହଲାର ଇଙ୍ଗିତରେ ହୋଇନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ସ୍ଥାନରେ ପ୍ରଥମେ ହିଂସା ହେଲା ସେଠାରେ କମ୍ ପୋଲିସ ମୁତୟନ କରାଯିବା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି । ଏହା ସ୍ପଷ୍ଟ କରୁଛି ଯେ ତୃତୀୟ ମହଲା ସେଠାରେ ପରୋକ୍ଷ ଭାବରେ ଦଙ୍ଗା କରିବା ପାଇଁ ଚାହୁଁଥିଲା ।

ସେହିପରି ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତିି ଯେ, ଯେଉଁ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଉତ୍ତେଜନା ହୁଏ ସେହି ଅଂଚଳରେ ଅଧିକ ସୁରକ୍ଷା ଦେବା କଥା । ମାତ୍ର ସେଠାରେ ସୁରକ୍ଷା ବ୍ୟବସ୍ଥା ଦିଆଗଲା ନାହିଁ । ସୁରକ୍ଷା ଦିଆନଯିବା କଥା ବରେଇପଲ୍ଲୀ ଥାନା ଅଧିକାରୀ ଧର୍ମେନ୍ଦ୍ର ସ୍ୱାଇଁ ମଧ୍ୟ ନିଜ ଏତଲାରେ ଲେଖିଛନ୍ତି । ଆବଶ୍ୟକ ଅନୁସାରେ ସୁରକ୍ଷା କମ୍ ଥିବା ଜିଲ୍ଲାପାଳ ଏବଂ ଏସପି ସ୍ୱୀକାର କରିଛନ୍ତି । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ହାତକୁ ନେଉଥିବାବେଳେ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଏହି ପ୍ରତିନିଧି ଦଳରେ ବିଧାୟକ ସୁବାଷ ପାଣିଗ୍ରାହୀ,ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ଭବାନୀ ଶଙ୍କର ଭୋଇ, ମୁଖପାତ୍ର ବିରଂଚି ତ୍ରିପାଠୀ ଓ ରବି ନାରାୟଣ ନାଏକ ପ୍ରମୁଖ ସମ୍ବଲପୁର ଗସ୍ତ କରିଥିଲେ ।

Related story