Advertisment

ଜନ୍ମଦିନ ପାର୍ଟିରେ ହତ୍ୟା ଅଭିଯୋଗ, ପ୍ରେମିକାର ଓଢ଼ଣୀରେ ଝୁଲିଥିଲା ପ୍ରେମିକର ମୃତଦେହ

ହୋଟେଲରେ ଦୁର୍ଗାଙ୍କ ସହିତ ଉପସ୍ଥିତ ଥିବା ସାଙ୍ଗମାନେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ।

author-image
Jitendra Garnayak
Durga Mishra

Durga Mishra

ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ହୋଟେଲରୁ ମିଳିଥିଲା ତାଙ୍କ ଝୁଲନ୍ତା ମୃତଦେହ। ହୋଟେଲରେ ତାଙ୍କ ସହିତ ଉପସ୍ଥିତ ଥିବା ସାଙ୍ଗମାନେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

Advertisment

ମୃତ ଯୁବକଙ୍କ ନାଁ ଦୁର୍ଗା ପ୍ରସାଦ ମିଶ୍ର। ତାଙ୍କ ଘର ନିଆଳି ଜଲରାପୁର ଗାଁରେ। ଭୁବନେଶ୍ୱରରେ ରହି ସେ ଠିକାଦାରୀ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୁର୍ଗା ପ୍ରସାଦ ମିଶ୍ରଙ୍କ ଜଣେ ବନ୍ଧୁଙ୍କର ଜନ୍ମଦିନ ଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ଏକ ଓୟୋ ହୋଟେଲ୍‌ରେ ଏଥିପାଇଁ ଏକ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ଦୁର୍ଗାଙ୍କ ପ୍ରେମିକା ଓ ଅନ୍ୟ ଦୁଇ ଜଣ ବନ୍ଧୁ ଯୋଗ ଦେଇଥିଲେ। ପାର୍ଟିରେ କ’ଣ ଘଟିଲା, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ରାତି ପ୍ରାୟ ୨ଟା ବେଳକୁ ଦୁର୍ଗାଙ୍କ ମା’ଙ୍କ ପାଖକୁ ଏକ କଲ୍ ଆସିଥିଲା। ଦୁର୍ଗାଙ୍କ ପ୍ରେମିକା ଏହି କଲ୍ କରିଥିଲେ। ସେ ଦୁର୍ଗାଙ୍କ ମୃତ୍ୟୁ ଖବର ତାଙ୍କ ମା’ଙ୍କୁ ଦେଇଥିଲେ।

Advertisment

ଦୁର୍ଗାଙ୍କ ଭିଣୋଇ ଜିତେନ୍ଦ୍ର ଦାଶ କହିଛନ୍ତି, ଏହା ଆଦୌ ଆତ୍ମହତ୍ୟା ନୁହେଁ। ତାଙ୍କୁ ହତ୍ୟା କରାଯାଇଛି। କ’ଣ ଘଟିଛି, ତାହା ଜଣାନାହିଁ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ନା ଆଉ କିଛି ଘଟିଥିଲା, ତାହା ଆମକୁ ଜଣାନାହିଁ। ପଚରାପଚରି କରିବାରେ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ଦୁର୍ଗାଙ୍କ ଜଣେ ବନ୍ଧୁ କହିଛନ୍ତି ଯେ ସେମାନେ ବିଅର ପିଉଥିଲେ। ଦୁର୍ଗାଙ୍କୁ ବିଅର ନ ଦେବାରୁ ସେ ରାଗି ରୁମ୍‌କୁ ଚାଲି ଯାଇଥିଲେ ଓ ଆତ୍ମହତ୍ୟା କରିଥିଲେ। ଅନ୍ୟପକ୍ଷରେ ଦୁର୍ଗାଙ୍କ ପ୍ରେମିକାଙ୍କ କହିବା ଅନୁଯାୟୀ ସେ ୱାଶ୍‌ ରୁମ୍ ଯାଇଥିବା ବେଳେ ତାଙ୍କ ଓଢ଼ଣୀରେ ଦୁର୍ଗା ଝୁଲି ପଡ଼ିଥିଲେ। ସେ ୱାଶ୍‌ରୁ ଫେରିଲା ବେଳକୁ ଦୁର୍ଗା ଝୁଲି ସାରିଥିଲେ ଓ ତାଙ୍କ ଜୀବନ ଯାଇ ସାରିଥିଲା। 

କୁହାଯାଉଛି ଯେ ଏହି ପାର୍ଟିରେ ଦୁର୍ଗା ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଏହି ଘଟଣା ଘଟିଥିଲା। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଏତଲା ଆଧାରରେ ପୁଲିସ୍ ଦୁର୍ଗାଙ୍କ ପ୍ରେମିକା ଓ ପାର୍ଟିରେ ସାମିଲ ଅନ୍ୟ ଦୁଇ ସାଙ୍ଗଙ୍କୁ ପଚରାଉଚରା କରାଯାଉଛି।

ଦୁର୍ଗାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିବ।

Bhubaneswar Murder Suicide Commissionerate Police Love Betrayal