Advertisment

ମୌସୁମୀ ଧୋକା ଦେବା ପରେ ଜଳୁଛି ରାଜ୍ୟ, ବଢ଼ିଲା ସ୍କୁଲ ପିଲାଙ୍କ ଗ୍ରୀଷ୍ମ ଛୁଟି

ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ରେ ଖୋଲିବ ସ୍କୁଲ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Heat wave

Heat wave

ମୌସୁମୀ ଧୋକା ଦେବା ପରେ ଜୁନରେ ଜଳୁଛି ରାଜ୍ୟ। ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ; ପାଖାପାଖି ଅଧା ଆଷାଢ଼ରେ ବି ପ୍ରଚଣ୍ଡ ଗ୍ରୀଷ୍ମରେ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ରେକର୍ଡ ପରେ ରେକର୍ଡ କରୁଛି ତାତି। ଜୁନରେ ଜଳୁଛି ରାଜ୍ୟ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଯୋଗୁଁ ବଢ଼ିଲା ଗ୍ରୀଷ୍ମ ଛୁଟି। ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ରାଜ୍ୟ ସରକାର ଆଜି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକର ଗ୍ରୀଷ୍ମ ଛୁଟିର ଅବଧିକୁ ଆଉ ୨ଦିନ ବୃଦ୍ଧି କରିଛନ୍ତି । ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ରେ ଖୋଲିବ ସ୍କୁଲ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ପାଣିପାଗ ବିଭାଗର ସତର୍କ ସୂଚନାକୁ ଆଧାରରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ଛୁଟି ଅବଧି ବୃଦ୍ଧି କରିଥିବା ଜଣାପଡ଼ିଛି।

Advertisment

ସେପଟେ ୪୫.୬ ଡିଗ୍ରୀ ତାପମାତ୍ରା ସହ ସୋନପୁର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଥିସହ ଝାରସୁଗୁଡ଼ା ଓ ବଲାଙ୍ଗିରରେ ପାରଦ ବି ୪୫ ପାର କରିଥିଲା ବେଳେ, ଆଜିକା ଦିନରେ ବିଗତ ୧୪ ବର୍ଷର ରେକର୍ଡ ଭାଙ୍ଗି ତାତିରେ ଭାଜି ହୋଇଛି ରାଜଧାନୀ ଭୁବନେଶ୍ୱର। ପାରଦ ଏଠି ଆଜି ୪୪.୬ ଡିଗ୍ରୀ ଛୁଇଁଛି। ଏଥିସହ ୧୨ଟି ସହରର ପାରଦ ୪୪ ଡିଗ୍ରୀ ଛୁଇଁଛି। ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ସେପଟେ ପାଣିପାଗ ବିଭାଗ କହିଛି ଆହୁରି ୪ ଦିନ ଯାଏଁ ଏମିତି ସ୍ଥିତିରୁ ନିସ୍ତାର ନାହିଁ। 

ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମର କୋପ ଏମିତି ଯେ, ଦିନ ସାଢ଼େ ୧୧ଟା ବେଳକୁ ଆଜି ଏଠି ପାରଦ ୪୧ (୪୧.୬) ଡିଗ୍ରୀ ଟପି ଯାଇଥିଲା ବେଳେ ଅପରାହ୍ନ ସାଢ଼େ ଦୁଇଟା ବେଳକୁ ୪୪.୬ ଡିଗ୍ରୀ ଛୁଇଁଯାଇଥିଲା। ଯାହାକି ଆଜିର ଦିନ ଅର୍ଥାତ ଜୁନ୍ ୧୬ରେ ବିଗତ ୧୪ ବର୍ଷରେ ରାଜଧାନୀର ରେକର୍ଡ ତାତି ବୋଲି କୁହାଯାଉଛି। କାରଣ ତଥ୍ୟ କହୁଛି, ୪୪ ଡିଗ୍ରୀ ତ ଛାଡ଼ ୨୦୦୯ ମସିହାରୁ ଜୁନ୍ ୧୬ ତାରିଖରେ କେବେବି ତାପମାତ୍ରା ୪୨ ଡିଗ୍ରୀ ବି ଛୁଇଁ ନଥିଲା। କେବଳ ୨୦୦୯ରେ ଆଜିକା ଦିନରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଥିଲା ୪୧.୪ ଡିଗ୍ରୀ। ଆଉ ଆଜିର ଏ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଦିନବେଳା ଯେମିତି ସାନ୍ଧି ହୋଇଯାଇଥିଲେ ଭୁବନେଶ୍ୱର ବାସିନ୍ଦା।

Advertisment

କେବଳ ଭୁବନେଶ୍ୱର ନୁହେଁ, କଟକ, ପୁରୀ, ଗୋପାଳପୁର, ବାଲେଶ୍ୱର ଭଳି ସାରା ଉପକୂଳରେ ଗ୍ରୀଷ୍ମପ୍ରବାହର ଅସ୍ୱାଭାବିକ ସ୍ଥିତି। ସ୍ୱାଭାବିକ ତୁଳନାରେ ସବୁଠି ୬ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା ସାଙ୍ଗକୁ ବାୟୁମଣ୍ଡଳରେ ପ୍ରାୟ ୭୫ ପ୍ରତିଶତରୁ ଅଧିକ ଆର୍ଦ୍ରତା ଉପକୂଳ ଜିଲ୍ଲାମାନଙ୍କରେ ଗୁଳୁଗୁଳି ସ୍ଥିତିକୁ ସଂଗୀନ କରୁଛି। ଆଉ ଏପଟେ ପ୍ରଚଣ୍ଡ ଖରାରେ ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ଦିନ ତ ଦିନ। ରାତିରେ ବି ଆଶାନୁରୂପକ ଭାବେ ତାପମାତ୍ରା ଖସୁ ନଥିବାରୁ ସକାଳ ୭ଟା ବେଳକୁ ବି ବାହାରେ ପାଦ ଧୋଇ ହେଉନି।

ଆଜି ଦିନ ୧୧ଟା ବେଳକୁ ସମ୍ବଲପୁର ସହରର ତାତି ପ୍ରଚଣ୍ଡ ରୂପ ଧାରଣ କରିଥିଲା। ଖରା ଡରରେ ରାସ୍ତାଘାଟ ଖାଁ ଖାଁ ହୋଇଯାଇଥିଲା। ଗତକାଲି ଏଠାରେ ୪୪ ଡିଗ୍ରୀ ତଳେ ଥିବା ତାପମାତ୍ରା, ଆଜିର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ୪୪.୪ ଡିଗ୍ରୀରେ ପହଞ୍ଚି ଯାଇଥିଲା। କେବଳ ସମ୍ବଲପୁର ନୁହେଁ, କାଲି ରାଜ୍ୟର ସର୍ବାଧିକ ତାପମାତ୍ରା (୪୪.୮) ଥିବା ଝାରସୁଗୁଡ଼ାଠୁ ନେଇ ବଲାଙ୍ଗିର, ବରଗଡ଼, ସୋନପୁର, ରାଉରକେଲା ଭଳି ସହର ଗଲା ସପ୍ତାହେ ଧରି ତାତିରେ ଫୁଟୁଛି।

ଉପକୂଳରେ କେତେବେଳେ କେମିତି କାଳବୈଶାଖୀ ବର୍ଷା କିଛି ଘଣ୍ଟା ପାଇଁ ହେଉ ପଛେ ତାପମାତ୍ରାକୁ କମ୍ କରୁଥିଲା ବେଳେ ସମ୍ବଲପୁର ଭଳି ସହରରେ ଲଗାତର ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି।

ଜୁନ ମାସ ଅଧା ବିତି ସାରିଥିଲେ ବି ଓଡ଼ିଶାକୁ ମୌସୁମୀ ଆଗମନ ନେଇ ଏଯାଏଁ କିଛି ବି ସ୍ପଷ୍ଟ ସୂଚନା ନାହିଁ। ଆଉ ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ ବି କହୁଛି ଆହୁରି ୩ ଦିନ ଯାଏଁ ଉପକୂଳ ଓ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତିରେ ବିଶେଷ ପରିବର୍ତ୍ତନର ଆଶା ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଉପକୂଳ ଜିଲ୍ଲାଗୁଡ଼ିକରେ ଆଗାମୀ ୩ ଦିନ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି, ମୌସୁମୀ ପହଞ୍ଚି ନ ଥିବାରୁ ଖରା ଓ ଗୁଳୁଗୁଳି ବଢ଼ୁଛି। ତେବେ ଆସନ୍ତା ୧୮ ତାରିଖରୁ ଖରା ଓ ଗୁଳୁଗୁଳି କମିବାର ଆଶା କରାଯାଉଛି।

School Reopen In Odisha Heat Wave In Odisha