ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୋକା। ଏହା ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏପଟେ ରାଜ୍ୟରେ ବଢିଛି ତାତି। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହୋଇପଡିଛି ଗ୍ରୀଷ୍ମ ପ୍ରବାହ। ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଛି।
ଆଜି ୧୬ଟି ସହରର ତାପମାତ୍ରା ୪୦ ଉପରେ ରେକର୍ଡ ହୋଇଛି। ସର୍ବାଧିକ ୪୩.୪ ଡିଗ୍ରୀ ସହ ବୌଦ୍ଧ ଏବଂ ଝାରସୁଗୁଡା ରାଜ୍ୟର,ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାତି ଏମିତି ଯେ ମୁଣ୍ଡ ଉପରେ ଛତା, ମୁହଁରେ କପଡା ଆଉ ଆଖିରେ କଳା ଚଷମା ବିନା ଘରୁ ଗୋଡ କାଢିବା ମୁସ୍କିଲ। ମୁଣ୍ଡ ଫଟା ଖରା ଓ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି। ରାସ୍ତାଘାଟ ଶୂନଶାନ୍। ଗରମ ଏମିତି ଯେ, ଘରେ ବି ଛଟପଟ ହୋଇପଡିଥିଲା ଜନଜୀବନ।
ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ରିପୋର୍ଟ ମୁତାବକ, ବୌଦ୍ଧ ଓ ଝାରସୁଗୁଡାରେ ୪୩.୪, ସମ୍ବଲପୁରରେ ୪୩.୩, ସୁନ୍ଦରଗଡ଼ରେ ୪୨.୧, ସୁନ୍ଦରଗଡ଼ରେ ୪୨.୧, ରାଉରକେଲାରେ ୪୨, ଅନୁଗୋଳରେ ୪୧.୭, ସୋନପୁରରେ ୪୧.୩, ବଲାଙ୍ଗୀରରେ ୪୧.୨, ଟିଟିଲାଗଡ଼ ସମେତ ତାଳଚେର ଓ ନୂଆପଡ଼ାରେ ୪୧, ବାରିପଦାରେ ୪୦.୬, ବରଗଡ଼ ଓ ନୟାଗଡ଼ାରେ ୪୦.୨, ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସେପଟେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ରାଜ୍ୟରେ ଅନୁଭୂତ ପ୍ରବଳ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ @SRC_Odisha ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ରୁ ୫ଦିନ ତାପମାତ୍ରା ବୃଦ୍ଧି ଘଟିବ। ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।
— I & PR Department, Odisha (@IPR_Odisha) May 11, 2023
ପ୍ରେସ୍ ବିବୃତି: pic.twitter.com/AA92eGThu2
ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିନ ୧୧ଟାରୁ ୩ଟା ଯାଏଁ ଟାଣ ଖରାରେ ପଦାକୁ ନ ବାହାରିବା, ଖରାରେ କଠିନ ପରିଶ୍ରମ ନକରିବା ଏବଂ ଜରୁରୀ କାମରେ ବାହାରକୁ ଗଲେ ପାଣି ବୋତଲ, ଛତା, କଳା ଚଷମା, ଚପଲ, ହାଲୁକା ଓ ଢିଲା ପୋଷାକ ପିନ୍ଧିବାକୁ ଅବଗତ କରାଯିବ ବୋଲି ବିଭାଗୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
#Boudh & #Jharsuguda records the highest maximum temperature of 43.4°C as of today, Maximum temperature recorded at various locations on 11th May 2023 (today) pic.twitter.com/ou5QNl7e6A
— Meteorological Centre, Bhubaneswar (@mcbbsr) May 11, 2023
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।