Advertisment

ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା: ପିସିସିଏଫ୍

ବଢ଼ୁଥିବା ତାପମାତ୍ରା ଓ ଦୀର୍ଘଦିନ ହେବ ବର୍ଷା ହୋଇ ନ ଥିବାରୁ ଏଭଳି ମତ ପ୍ରକାଶ କରିଛନ୍ତି ପିସିସିଏଫ୍(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ।

author-image
Niranjan Mishra
ଅଦ୍ୟତନ ହୋଇଛି
PCCF

PCCF

ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଅଶଙ୍କା ରହିଛି। ବଢ଼ୁଥିବା ତାପମାତ୍ରା ଓ ଦୀର୍ଘଦିନ ହେବ ବର୍ଷା ହୋଇ ନ ଥିବାରୁ ଏଭଳି ମତ ପ୍ରକାଶ କରିଛନ୍ତି ପିସିସିଏଫ୍(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ।

Advertisment

ସେ କହିଛନ୍ତି, ୨୦୨୧ରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା­­­­ ସବୁଠାରୁ ଅଧିକ ଚିହ୍ନଟ ହୋଇଥିଲା। ୨୦୨୨ରେ ଏହି ଏହି ଘଟଣା ପ୍ରାୟ ଅଧା କମିଥିଲା। ଏବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ଗଛ ପତ୍ର ଝଡ଼ା ଦେଇଥିବା ବେଳେ ଅନ୍ୟପଟେ ତାପମାତ୍ରା ବଢ଼ିବାରେ ଲାଗିଛି। ଦୀର୍ଘ ଦିନ ହେଲା ବର୍ଷା ନଥିବାରୁ ଜଙ୍ଗଲ ନିଆଁ ଅଧିକ ବ୍ୟାପିବା ଆଶଙ୍କା କରାଯାଉଛି। ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତେବେ ଜଙ୍ଗଲ ନିଆଁ ଅଧିକ ଲାଗିବ।

ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନିଏ, କିନ୍ତୁ ମନୁଷ୍ୟକୃତ ନିଆଁ ଯୋଗୁ ଜଙ୍ଗଲ ଓ ଜଙ୍ଗଲୀ ପ୍ରାଣୀଙ୍କ ବିଶେଷ କ୍ଷତି ହୋଇଥାଏ। ଅନେକ ଲୋକ ବିଡି ଓ ସିଗାରେଟ ଖାଇବା ପରେ ନଲିଭାଇ ଜଙ୍ଗଲରେ ପକାଇ ଦିଅନ୍ତି। ଅନେକ ଦୁର୍ବୃତ୍ତ ପଶୁ ଶିକାର ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି। ସେହିପରି  ହରିଆନା, ପଞ୍ଚାବ ଭଳି ଓଡ଼ିଶାରେ ଏବେ ମେସିନ୍ ମାଧ୍ୟମରେ ବ୍ୟାପକ ଫସଲ କଟା ଯାଉଥିବାରୁ ଜମିରେ ରହି ଯାଉଥିବା ପାଳ ଓ ପାଳ ବୁଦାକୁ ପୋଡ଼ିବା ନିମନ୍ତେ ଲୋକେ ନିଆଁ ଲଗାଇ ଦେଉଛନ୍ତି। ଏହା ମଧ୍ୟ କେତେକାଂଶରେ ଜଙ୍ଗଲରେ ନିଆଁ ଲାଗିବାର କାରଣ ହେଉଛି।

Advertisment

ଜଙ୍ଗଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନିଆଯାଉଛି। ସାଟେଲାଇଟ୍ ଫଟୋ ଆଧାରରେ ଜଙ୍ଗଲ ନିଆଁକୁ ଲିଭାଇବାକୁ ପ୍ରୟାସ କରାଯାଉଛି। ସୂଚନା ମିଳିବା ପରେ ଜଙ୍ଗଲ ନିଆଁ ଲିଭାଇବାରେ ବିଭାଗ ୯୦ ପ୍ରତିଶତ ସଫଳ ହେଉଛି। ଏବେ ଦିନକୁ ୧୦୦ରୁ ଅଧିକ ଜାଗାରେ ନିଆଁ ଲାଗିବା ଖବର ଆସୁଛି।

ତେବେ ଆଗକୁ ଜଦି ଜଙ୍ଗଲରେ ନିଆଁ ଲାଗିବା ଘଟଣା ବଢ଼େ ତେବେ ଏହାକୁ କାବୁ କରିବା ବନ ବିଭାଗ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ତେବେ ଜଙ୍ଗଲ ନିଆଁ କାବୁ କରିବାକୁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଭାଗୀୟ କର୍ମଚାରୀ ଓ ସ୍କ୍ୱାଡ୍ ପ୍ରସ୍ତୁତ ଅଛନ୍ତି। ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକରେ ନିଆଁ ନ ଲଗାଇବା ପାଇଁ ଓ ନିଆଁ ଦେଖିଲେ ତୁରନ୍ତ ସୂଚନା ଦେବାକୁ ସଚେତନତା କରାଯାଉଛି।

ବିଦେଶରେ ବିଭିନ୍ନ ଜଙ୍ଗଲ କିମ୍ବା ହିମାଳୟାନ୍ ଜଙ୍ଗଲରେ ନିଆଁ ଲାଗିଲେ ଏହା ଖୁବ୍ ଶୀଘ୍ର ବ୍ୟାପୀଥାଏ। କାରଣ ଏହି ଜଙ୍ଗଲରେ ଥିବା ଗଛଗୁଡ଼ିକରେ ଅଧିକ ତେଲ ଅଂଶ ଥାଏ। କିନ୍ତୁ ଉପକୂଳିଆ ଜଙ୍ଗଲରେ ଏଭଳି ଆଶଙ୍କା ନ ଥାଏ। କାରଣ ଗଛରେ ତେଲ ଅଂଶ ନ ଥାଏ। ତେବେ ବି ନିଆଁ ଲାଗିବା ଦ୍ୱାରା ଜଙ୍ଗଲରେ କିଛି ଗଛ ପୋଡ଼ି ନଷ୍ଟ ହୁଏ। ଝଡ଼ି ପଡ଼ିଥିବା ପତ୍ର ପୋଡ଼ିବା ଯୋଗୁଁ ମାଟି ଭିତରେ ଗାତ କରି ବସବାସ କରୁଥିବା ବନ୍ୟ ପ୍ରାଣୀଙ୍କ ମୃତ୍ୟୁ ହୋଇଥାଏ। ତାପମାତ୍ର ବଢ଼ୁଥିବାରୁ ଆଗକୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ହଜାରେ ପାର କରିପାରେ।

ବାଲିଗୁଡ଼ା, ଫୁଲବାଣୀ, ବୌଦ୍ଧ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ସବୁଠାରୁ ଗୁରୁତର ନିଆଁ ଲାଗିଥାଏ। ତେବେ ବନ ବିଭାଗ ନିଆଁକୁ ଆୟତ କରିବା ପାଇଁ ସଜାଗ ଅଛି। ଅନ୍ୟପଟେ ଲୋକଙ୍କୁ ସଚେତନତା କରିବା ନିମନ୍ତେ ଏସ୍‌ଏଚ୍‌ଜିକୁ ପଥପ୍ରାନ୍ତ ନାଟକ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ପିସିସିଏଫ୍(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି।

Fire Breakout Forest Odisha Forest Dept