Advertisment

ହୋଲିରେ ରେଭ୍ ପାର୍ଟି ସମେତ ୩୧ ପ୍ରମୁଖ ସ୍ଥାନ ଉପରେ ପୁଲିସ ରଖିଛି ନଜର

ଫଗୁ ଓ ହର୍ବାଲ୍ ହୋଲି ନାଁରେ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ମୁଣ୍ଡଫଟା ଓ ବାର୍ନିସ୍ ରଙ୍ଗକୁ ଜବତ କରିଛି ପୁଲିସ।

author-image
Niranjan Mishra
ଅଦ୍ୟତନ ହୋଇଛି
Color market

Color market

ହୋଲି ପୂର୍ବରୁ ରାଜଧାନୀରେ ରଙ୍ଗ ବଜାରରେ ରେଡ୍। ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ପୁଳା ପୁଳା ରସାୟନିକ ରଙ୍ଗ ଜବତ କରିଛି ପୁଲିସ। ଫଗୁ ଓ ହର୍ବାଲ୍ ହୋଲି ନାଁରେ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ମୁଣ୍ଡଫଟା ଓ ବାର୍ନିସ୍ ରଙ୍ଗକୁ ଜବତ କରାଯାଇଛି। ଏପଟେ ଆସନ୍ତାକାଲି ହୋଲିକୁ କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେଥିଲାଗି ଟ୍ୱିନ୍ ସିଟିରେ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ।

Advertisment

ଏପଟେ ହୋଲିକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଲୋକେ ଆଗ୍ରହର ସହ ରଙ୍ଗ ଓ ପିଚକାରୀ କିଣି ଘରକୁ ନେଉଛନ୍ତି। ହୋଲି ଖେଳକୁ ଅଧିକ ଆକର୍ଷଣୀୟ କରିବା ଲାଗି ବଜାରରେ ଭଳିକି ଭଳି ମାସ୍କ ମଧ୍ୟ ଉପଲବ୍ଧ ହେଉଛି। ତେବେ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଅଧିକ ଦର ରହିଛି। ଏହା ସତ୍ତ୍ୱେ ବି ହର୍ବାଲ ହୋଲିକୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି। ରସାୟନିକ ରଙ୍ଗ ବଦଳରେ ହର୍ବାଲ୍ ହୋଲି ଖେଳିବାକୁ ଡାକ୍ତର ମଧ୍ୟ ପରାମର୍ଶ
ଦେଇଛନ୍ତି। ଅନ୍ୟପଟେ ଦିନକ ପୂର୍ବରୁ ଅର୍ଥାତ୍ ଆଜି ଦୋଳପୂର୍ଣ୍ଣମୀ ଅବସରରେ ଅବିରଖେଳ ଜୋରାଦାର ହୋଇଛି। ହୋଲି ଛୁଟି ଦିନ ଥିବାରୁ ଶିକ୍ଷାନୁଷ୍ଠାନ, ଅଫିସ୍‌ ମାନଙ୍କରେ ଅବିରଖେଳ ଦେଖିବାକୁ ମିଳିଥିଲା।

ଆସନ୍ତାକାଲି ହୋଲିକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ଲାଗି କମିଶନରେଟ୍ ପୁଲିସ ରାଜଧାନୀର ୩୧ଟି ପ୍ରମୁଖ ସ୍ଥାନରେ ନଜର ରଖିବା ସହ ୧୭ଟି ମୋବାଇଲ୍ ଭେହିକିଲ୍ ଟିମ୍ ନିୟୋଜିତ ରହିବେ। ନିଶାଦ୍ରବ୍ୟ ଖାଇ ହୋଲି ମଉଜ ଏବଂ ରେଭ୍ ପାର୍ଟି ଉପରେ ମଧ୍ୟ ସ୍ପେସାଲ୍ ସ୍କ୍ୱାଡ୍ ଓ ଟିମ୍ ନଜର ରଖିଛି। ନଦୀରେ ଗାଧୋଇବା, ସ୍ପିଡ୍ ବାଇକିଂ ଏବଂ ମଦ ପିଇ ଗାଡ଼ି ଚଳାଇବା ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି।

Advertisment

ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ଜରୁରୀକାଳୀନ ସ୍ଥିତି ଲାଗି ସଜାଗ ରଖାଯାଇଛି। କୌଣସି ଅଘଟଣ ଘଟିଲେ ୧୧୨ ନମ୍ବରକୁ ଫୋନ୍ କରି ସୂଚନା ଦେବାକୁ ଡିସିପି ପ୍ରତୀକ ସିଂହ ଜନସାଧାରଣକୁ ପରାମର୍ଶ ଦେଇଛନ୍ତି।

ସେହିପରି କଟକରେ ଆଜି ଅନୁଷ୍ଠିତ ହୋଇଯାଇଛି ଦୋଳ ମେଳଣ। ୮୦ରୁ ଅଧିକ ବିମାନ ସଜେଇ ହୋଇ ଦୋଳମୁଣ୍ଡାଇ ପଡିଆରୁ ବାହାରି ସହର ପରିକ୍ରମା କରି ବାସ୍ତରୀ ମଠରେ ପହଞ୍ଚିଥିଲା। ଘଣ୍ଟଘଣ୍ଟା, ଖୋଳ କରତାଲରେ ପୂରା କଟକ ସହର ପ୍ରକମ୍ପିତ ହୋଇଥିଲା। ସବୁ ସାହିର ବିମାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡିଆକୁ। ନାଚ ଗୀତର ତାଳେ ତାଳେ ଶ୍ରୀଜୀଉମାନଙ୍କୁ ହଲାଇ ଝୁଲାଇ ପୂରା ନଗର ପରିକ୍ରମା କରାଯାଇଥିଲା।

ଆସନ୍ତାକାଲି ହୋଲି ପାଳନ ପାଇଁ ମଧ୍ୟ କଟକରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କଟକ ସହରରେ ଆସନ୍ତାକାଲି ହୋଲି ଖେଳ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ। ଏଥିସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ। ବିଭିନ୍ନ ଛକମାନଙ୍କରେ ମଦ୍ୟପଙ୍କୁ ଯାଞ୍ଚ କରାଯିବ। ଯେଉଁଠି ବିଶୃଙ୍ଖଳାର ଅଭିଯୋଗ ଆସିବ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଅନ୍ୟପଟେ ରାସାୟନିକ ରଙ୍ଗ ବ୍ୟବହାର ନ କରି ହର୍ବାଲ ରଂଗ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ରଂଗ ଖେଳିବା ପୂର୍ବରୁ ମଶ୍ଚରାଇଜର କିମ୍ବା ତେଲ ବ୍ୟବହାର କରି ହୋଲି ଖେଳିଲେ ରଂଗ ସହଜରେ ଛାଡିଯିବ। ଆଖିରେ ରଂଗ ପଡିଲେ ସଂଙ୍ଗେ ସଂଙ୍ଗେ ପାଣିରେ ଧୋଇବାକୁ ଦେବା ଉଚିତ୍। ଛୋଟ ପିଲା ଓ ବରିଷ୍ଠ ନାଗରିକଙ୍କ ସହ ରଙ୍ଗ ଖେଳିଲା ବେଳେ ସେମାନଙ୍କ ପ୍ରତି ଧ୍ୟାନ ଦେବାକୁ ଚର୍ମ ରୋଗ ଵିଶେଷଜ୍ଞ ଡାକ୍ତର ମାନସ ପୁହାଣ କହିଛନ୍ତି।

Commissionerate Police Holi