କେତେ ପାରଙ୍ଗମ କ୍ରାଇମବ୍ରାଞ୍ଚ: ୫ ବର୍ଷରେ ମାତ୍ର ୧୫% ମାମଲାରେ ଚାର୍ଜଶିଟ୍‌

ବିଭିନ୍ନ ଅପରାଧ ମାମଲାରେ ରାଜନୀତିକ ସମ୍ପୃକ୍ତି ଓ ବିବାଦ ବଢ଼ିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇ  ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କଥା କହୁଥିବାବେଳେ ତଦନ୍ତର ମନ୍ଥର ଗତି ଓ ସଫଳତା ହାର ଏବେ କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Representational image

  • Published: Monday, 27 February 2023
  • , Updated: 27 February 2023, 09:29 PM IST

News highlights

  • ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ମୋଟ ୨୨୫ଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ନ୍ୟସ୍ତ ହୋଇଛି
  • ୨୨୫ଟି ମାମଲାରୁ ୮୮ଟି ମାମଲାରେ ଚାର୍ଜଶିଟ୍ ଓ ୪୫ଟି ମାମଲାରେ ଫାଇନାଲ ରିପୋର୍ଟ ହୋଇସାରିଛି
  • ୮୯ଟି ମାମଲାର ତଦନ୍ତ ଏବେ ବି ଜାରି ରହିଥିବାବେଳେ ୩ଟି ମାମଲା ସିବିଆଇ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଛି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଓ ପାରିବାପଣିଆକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ କ୍ରାଇମବ୍ରାଞ୍ଚର ଟ୍ରାକ୍ ରେକର୍ଡ ଏବେ ପଦାରେ ପଡ଼ିଛି । ବିଭିନ୍ନ ଅପରାଧ ମାମଲାରେ ରାଜନୀତିକ ସମ୍ପୃକ୍ତି ଓ ବିବାଦ ବଢ଼ିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇ  ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କଥା କହୁଥିବାବେଳେ ତଦନ୍ତର ମନ୍ଥର ଗତି ଓ ସଫଳତା ହାର ଏବେ କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯେଉଁଥିପାଇଁ ଗତ ୫ବର୍ଷ ମଧ୍ୟରେ କ୍ରାଇମବ୍ରାଂଚ ମୋଟ ୯୧ଟି ମାମଲାର ତଦନ୍ତ ଭାର ହାତକୁ ନେଇଥିବାବେଳେ ସେଥିରୁ ମାତ୍ର ୧୫% ମାମଲାରେ ଚାର୍ଜଶିଟ୍ ଦାଖଲ କରିଛି ଓ ଆଉ ୧୫% ମାମଲାରେ ଫାଇନାଲ ରିପୋର୍ଟ ଦେବାରେ ସକ୍ଷମ ହୋଇଛି। ରାଜ୍ୟ ସରକାର ଫାଇଭ-ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତର ମନ୍ଥର ଗତି ଯୋଗୁ ପ୍ରଭାବିତ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି ।

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ୨୦୧୮ରୁ ୨୦୨୨ ମସିହା ମଧ୍ୟରେ କ୍ରାଇମବ୍ରାଞ୍ଚ ମୋଟ ୯୧ଟି ମାମଲା ତଦନ୍ତ ପାଇଁ ହାତକୁ ନେଇଛି। ସେଥିରୁ ୧୩ଟିର ଚାର୍ଜଶିଟ୍ ଦାଖଲ କରିଥିବାବେଳେ ଆଉ ୧୪ଟିର ଫାଇନାଲ ରିପୋର୍ଟ ଦାଖଲ କରିଛି। ୨୦୧୮ରେ ମୋଟ ୩୨ଟି ମାମଲାରୁ ୫ଟିରେ ଚାର୍ଜଶିଟ୍ ଓ ୮ଟିରେ ଫାଇନାଲ ରିପୋର୍ଟ ଦାଖଲ କରିଥିବା କ୍ରାଇମବ୍ରାଞ୍ଚ ୨୦୧୯ରେ ୨୦ଟି ମାମଲାର ତଦନ୍ତ ଭାର ନେଇଛି।

ସେଥିରୁ ୨ଟିରେ ଚାର୍ଜଶିଟ୍ ଓ ୩ଟିରେ ଫାଇନାଲ ରିପୋର୍ଟ, ୨୦୨୦ରେ ୧୫ଟି ମାମଲାରୁ ୨ଟିରେ ଚାର୍ଜଶିଟ୍ ଓ ଗୋଟିଏରେ ଫାଇନାଲ ରିପୋର୍ଟ, ୨୦୨୧ ମସିହାରେ ୧୮ଟି ମାମଲାର ତଦନ୍ତ ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ୩ଟି ମାମଲାରେ ଚାର୍ଜଶିଟ୍ ଓ ୨ଟି ମାମଲାର ଫାଇନାଲ ରିପୋର୍ଟ, ୨୦୨୨ରେ ମୋଟ ୬ଟି ମାମଲାରୁ ଗୋଟିଏରେ ଚାର୍ଜଶିଟ୍ ଦାଖଲ କରିବାରେ ସକ୍ଷମ ହୋଇଛି।

୨୦୨୩ ମସିହାରେ ୩ଟି ମାମଲା ମଧ୍ୟ କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ତେବେ ୨୦୧୮ରୁ ୨୦୨୨ ମସିହା ମଧ୍ୟରେ ୯୧ଟି ମାମଲାରୁ ମାତ୍ର ୨୭ଟି ମାମଲାରେ ଚାର୍ଜଶିଟ ଓ ଫାଇନାଲ ରିପୋର୍ଟ ଦାଖଲ କରିଛି। ବାକି ମାମଲାର ତଦନ୍ତ ଏବେ ବି ଜାରି ରହିଛି।

ସେହିପରି ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ମୋଟ ୨୨୫ଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ନ୍ୟସ୍ତ ହୋଇଛି। ସେଥିରୁ ୮୮ଟି ମାମଲାରେ ଚାର୍ଜଶିଟ୍ ଓ ୪୫ଟି ମାମଲାରେ ଫାଇନାଲ ରିପୋର୍ଟ ହୋଇସାରିଛି। ୮୯ଟି ମାମଲାର ତଦନ୍ତ ଏବେ ବି ଜାରି ରହିଥିବାବେଳେ ୩ଟି ମାମଲା ସିବିଆଇ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଛି।

ତେବେ ଯେକୌଣସି ସଙ୍ଗୀନ ଅପରାଧ ଓ ରାଜନୀତିକ ମୋଡ଼ ନେଉଥିବା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରୁଥିବା ରାଜ୍ୟ ସରକାର ଏହି ସଂସ୍ଥାର ଟ୍ରାକ୍ ରେକର୍ଡକୁ ନେଇ କିଭଳି ଚୁପ୍ ଅଛନ୍ତି ଓ କ୍ରାଇମବ୍ରାଞ୍ଚ ନିଜର ତଦନ୍ତରେ ମନ୍ଥରତା ଅବଲମ୍ବନ କରିବା ପଛରେ ରାଜନୀତିକ ଚାପ କାର୍ଯ୍ୟ କରୁନି ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Related story