Advertisment

ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା, ଖର୍ଚ୍ଚ ୩ କୋଟି

ଏହି ଡାକୋଟା ବିମାନ ଦୀର୍ଘ ୬ ଦଶନ୍ଧି ପରେ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି।

author-image
Niranjan Mishra
Dakota Aircraft

Dakota Aircraft

ପୁନର୍ଜନ୍ମ ପାଇଲା କୋଲକାତାରେ ଅବହେଳିତ ବିଜୁ ବାବୁଙ୍କ ଦକ୍ଷ ପାଇଲଟିଂ କୌଶଳ ଓ ପରାକ୍ରମର ଏକାନ୍ତ ମୁକସାକ୍ଷୀ ଡାକୋଟା ବିମାନ। ଏହାର ମରାମତି, ନବୀକରଣ ଓ ପୁନଃସ୍ଥାପନ ଲାଗି ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଡାକୋଟା ବିମାନ ଦୀର୍ଘ ୬ ଦଶନ୍ଧି ପରେ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି। ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହାକୁ ଦେଖିବାକୁ ଆଜି ବେଶ ଲୋକ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା।

ସୂଚନା ଥାଉକି, ୧୯୪୬ ପୂର୍ବରୁ ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସର ପାଇଲଟ ଥିବା ବିଜୁ ବାବୁ ସେତେବେଳେ ଏହି ଡାକୋଟା ବା ଡଗଲାସ ଡିସି-୩ ବିମାନକୁ ନିର୍ଭିକତାର ସହ ଉଡ଼ାଉଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ, କାଶ୍ମୀର ଯୁଦ୍ଧ, ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନ ଏବଂ ରେଙ୍ଗୁନରୁ ବ୍ରିଟିଶ ରାଜ ପରିବାରକୁ ଉଦ୍ଧାର ଆଦି ଏକାଧିକ ଦୁଃସାହସିକ କାର୍ଯ୍ୟ ଲାଗି ଏହି ଡାକୋଟା ବିମାନକୁ ବ୍ୟବହାର କରି ଅତି ଦକ୍ଷତାର ସହ କାର୍ଯ୍ୟ ସମ୍ପନ୍ନ କରିଥିଲେ।

Advertisment

୧୯୪୭ରେ ସେ କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠା କରି ଏହି ଡାକୋଟା ବିମାନକୁ ସେଥିରେ ସାମିଲ କରିଥିଲେ। ତେବେ ୧୯୭୨ରେ ଡାକୋଟାର ପ୍ରଚଳନ ବନ୍ଦ ହେବା ପରଠାରୁ କୋଲକାତା ବିମାନବନ୍ଦରରେ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା ଡାକୋଟା। ଗତ ଜାନୁଆରୀ ୧୭ ତାରିଖରେ ଏହି ବିମାନକୁ ୩ ଭାଗ କରି ସଡ଼କ ପଥରେ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱରର ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅନୁଷ୍ଠାନର ଏକ ୩୦ ଜଣିଆ ଟିମ୍ ଏହି ବିମାନ ଆଣିବାଠୁ ସଂସ୍ଥାପନ ପର୍ଯ୍ୟନ୍ତ ସମସ୍ତ ଦାୟିଚ୍ୱ ନେଇଥିଲା।

ଡାକୋଟା ଏବେ ପୁନର୍ଜନ୍ମ ପାଇ ନିଜ ସ୍ଥିତାବସ୍ଥାକୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ନିର୍ମିତ ସ୍ୱତନ୍ତ୍ର ପେଡେଷ୍ଟ୍ରାଲ ଉପରେ ଅବସ୍ଥାପିତ ହୋଇଛି।

Biju Pattanaik Biju Patnaik Airport