ବରମୁଣ୍ଡା ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ କାର୍ଯ୍ୟ: ଫେଲ୍ ମାରିଲା ଫାଇଭ-ଟି ଉପକ୍ରମ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଫାଇଭ-ଟି ଉପକ୍ରମରେ ବରମୁଣ୍ଡା ବସ ଟିର୍ମନାଲର ରୂପାନ୍ତର ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ବରମୁଣ୍ଡା ବସଷ୍ଟାଣ୍ଡର ନିର୍ମାଣସ୍ଥଳ ପରିଦର୍ଶନ କରି  ଏହି କାମର ଅଗ୍ରଗତିର ସମୀକ୍ଷା କରିଛନ୍ତି ।

ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲୁଛି

  • Published: Thursday, 01 June 2023
  • , Updated: 01 June 2023, 10:26 PM IST

ରାଜଧାନୀ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ ଶେଷ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ସମୟସୀମା ପୁଣି ବୃଦ୍ଧି ପାଇଛି । ଚଳିତବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଫାଇଭ-ଟି ଉପକ୍ରମରେ ବରମୁଣ୍ଡା ବସ୍ ଟର୍ମିନାଲ ନୂଆ ରୂପ ନେଉଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବସଷ୍ଟାଣ୍ଡ ନିର୍ମାଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ୫ବର୍ଷ ପୁରିଥିବାବେଳେ ବାରମ୍ବାର ସମୟସୀମା ବୃଦ୍ଧି ସରକାରଙ୍କ କେଉଁ ‘ଫାଇଭ-ଟି ଉପକ୍ରମ’ର ସନ୍ଦେଶ ଦେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଫାଇଭ-ଟି ଉପକ୍ରମରେ ବରମୁଣ୍ଡା ବସ ଟିର୍ମନାଲର ରୂପାନ୍ତର ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ବରମୁଣ୍ଡା ବସଷ୍ଟାଣ୍ଡର ନିର୍ମାଣସ୍ଥଳ ପରିଦର୍ଶନ କରି  ଏହି କାମର ଅଗ୍ରଗତିର ସମୀକ୍ଷା କରିଛନ୍ତି । ପ୍ରକଳ୍ପର ୮୫ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବାବେଳେ ଜୁନ୍ ଶେଷ ସୁଦ୍ଧା ସିଭିଲ କାମ ହେବ । ତେବେ ଜୁଲାଇ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ବରମୁଣ୍ଡା ବସ ଟର୍ମିନାଲ ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନଜିଟ୍ ସିଷ୍ଟମ ଯେଉଁଠୁ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ହଜାର ବସ୍ ଚଳାଚଳ କରିପାରିବ । ଏବେ ୧୧ଏକର ପରିମିତ ଅଂଚଳରେ ୧୮୦କୋଟି ଟଙ୍କା ବ୍ୟୟରେ ଟିର୍ମନାଲ ନିର୍ମାଣ ହେଉଥିବାବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ବାକି ୪ଏକର ଜମି ରହିଛି । ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା-ବିଶାଖାପାଟଣା, ହାଇଦ୍ରାବାଦ, ରାୟପୁର, ରାଂଚି, କୋଲକାତା ଓ ବେଙ୍ଗାଲୁର ଭଳି ପ୍ରମୁଖ ସ୍ଥାନକୁ ବସ୍ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଫାଇଭ-ଟି ଉପକ୍ରମରେ ବରମୁଣ୍ଡା ବସଷ୍ଟାଣ୍ଡ ନବକବେଳର କାର୍ଯ୍ୟ ଚାଲିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାରେ ଏତେ ବିଳମ୍ବ କିଭଳି ହେଉଛି । ମାତ୍ର ୧୮ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଇତିମଧ୍ୟରେ ୫ବର୍ଷ ବିତିଲାଣି ।

ଉଲ୍ଲେଖଯୋଗ୍ୟ, ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାର ଯୋଜନା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୮ ମସିହାରେ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିବା ସହ ୨୦୧୯ ଏପ୍ରିଲ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଥିଲେ । ତେବେ ଏହି ବସଷ୍ଟାଣ୍ଡ ନିର୍ମାଣ ପ୍ରକଳ୍ପକୁ ୨୦୧୯ ସେପ୍ଟେମ୍ବର ୨୬ତାରିଖରେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲେ । ୨୦୨୦ ଡିସେମ୍ବରରେ କାର୍ଯ୍ୟ ଆରମ୍ଭ ହେବାପରେ ୨୦୨୨ ଜୁନ୍ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୨୨ ଡିସେମ୍ବରରେ କାମ ଶେଷ ହେବ ବୋଲି କୁହାଗଲା । ଏବେପୁଣି ଜୁଲାଇ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଫାଇଭ-ଟି ଉପକ୍ରମରେ କୌଣସି ପ୍ରକଳ୍ପ ସାମିଲ ହେବାପରେ ବି କିଭଳି ତା’ର ସମୟସୀମା ଅବଧି ବାରମ୍ବାର ବୃଦ୍ଧି ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ ଚାଲିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଯାତ୍ରୀମାନଙ୍କୁ ଆନୁସଙ୍ଗିକ ସୁବିଧା ଅଭାବରୁ ବେଶ୍ ହଇରାଣ ହେବାକୁ ପଡ଼ୁଛି ।

Related story