Advertisment

‘କଥା ଦେଉଛି, ୨୦୨୪ ସୁଦ୍ଧା ଓଡ଼ିଶା ରାସ୍ତା ଆମେରିକା ଭଳି ହେବ’

ସର୍ବପ୍ରଥମେ ଆମକୁ ରାସ୍ତା କାମକୁ ସୁଦୃଢ କରିବାକୁ ପଡ଼ିବ । ଏଥିନିମନ୍ତେ ଆମ ଦେଶରେ ଜାତୀୟ ରାଜପଥ କାମକୁ ଆମେରିକା ମାନର କରାଯାଉଛି।

author-image
Niharika Rout
ଅଦ୍ୟତନ ହୋଇଛି
Nitin Gadakari

Nitin Gadakari

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ(OTV Foresight) ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଓଟିଭିର ଫୋରସାଇଟ୍‌ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହା ମନ୍ତବ୍ୟ ଦେଇଛନ୍ତି ।

Advertisment

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି।  ୨୦୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ ବୋଲି ପ୍ରତିଶ୍ରୁତି ଦେଉଛି। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ। ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ରାସ୍ତା କାମ ଚାଲୁ ରହିଛି।’

ଏଥିସହ ସେ କହିଛନ୍ତି, ଭାରତର ଭିତ୍ତିଭୂମି ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଥମେ ଆମକୁ ଯୋଗାଯୋଗକୁ ସୁଦୃଢ କରିବାକୁ ପଡ଼ିବ । ଶିଳ୍ପ ପାଇଁ ଜଳ , ବିଦ୍ୟୁତ୍‌ ଶକ୍ତି, ଯୋଗାଯୋଗ, ପରିବହନକୁ ସୁଦୃଢ କରିବାକୁ ପଡ଼ିବ । ଏସବୁ ମୌଳିକ ସୁବିଧା ବ୍ୟତୀତ ଆମେ ଶିଳ୍ପ ପ୍ରତିଷ୍ଠା କଥା କଳ୍ପନା କରି ପାରିବା ଅସମ୍ଭବ । ଦେଶରେ ଶିଳ୍ପ ପ୍ରତିଷ୍ଠା ହେଲେ ପୁଞ୍ଜି ନିବେଶ ହୋଇ ପାରିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ଦେଶର ଅର୍ଥନୀତି ସୁଦୃଢ ହେବ ।

Advertisment

ତେଣୁ ସର୍ବପ୍ରଥମେ ଆମକୁ ରାସ୍ତା କାମକୁ ସୁଦୃଢ କରିବାକୁ ପଡ଼ିବ । ଏଥିନିମନ୍ତେ ଆମ ଦେଶରେ ଜାତୀୟ ରାଜପଥ କାମକୁ ଆମେରିକା ମାନର କରାଯାଉଛି। ଦେଶରେ ୨ ଲେନ୍‌ଠୁ ଆରମ୍ଭ କରି ୮ ଲେନ୍‌ ପର୍ଯ୍ୟନ୍ତ ରାସ୍ତା କାମ ହେଉଛି। ବିଭିନ୍ନ ଶିଳ୍ପ କରିଡରରେ ଗ୍ରୀନ୍‌ ଏକ୍ସପ୍ରେସ ହାଇୱେ ନିର୍ମାଣ ଚାଲିଛି। ବହୁ ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡଷ୍ଟ୍ରୀ କ୍ଲଷ୍ଟର, ଲଜିଷ୍ଟିକ ପାର୍କ ନିର୍ମାଣ ଚାଲିଛି। ଏହା ଆମ ଦେଶର ଅଗ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗଡ଼କାରୀ। 

ଦେଶରେ ପେଟ୍ରୋଲ, ଡିଜେଲର ବିକଳ୍ପ ଭାବେ ଇଥେନାଲ, ମିଥେନାଇଲ, ବାୟୋଡିଜେଲ, ବାୟୋ ସିଏନଜି, ଗ୍ରୀନ ହାଇଡ୍ରୋଜେନ, ସୋଲାର ପାୱାର ଉପରେ କାମ ଚାଲିଛି। ଫଳରେ ଗ୍ରୀନ୍‌ ଇଣ୍ଡିଆର ସ୍ୱପ୍ନ ଖୁବ୍‌ଶୀଘ୍ର ସାକାର ହେବ । ଭାରତରେ ଲଜିଷ୍ଟିକ ଖର୍ଚ୍ଚ ୧୬% ଥିବା ବେଳେ ଚାଇନାରେ ଏହା ୮-୧୦%, ପଶ୍ଚିମ ଦେଶରେ ଏହା ୧୨%ରେ ସୀମିତ ରହିଛି। ଏହାକୁ ଏକକ ସଂଖ୍ୟା ମଧ୍ୟରେ ସୀମିତ କରି ରଖିବାକୁ ଆମେ ତତ୍ପର ଓ କାର୍ଯ୍ୟରତ ବୋଲି କହିଛନ୍ତି ନୀତିନ ଗଡ଼କାରୀ।

ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ । ଭାରତ ସହ ବ୍ୟବସାୟ କରିବା ନିମନ୍ତେ ବିଭିନ୍ନ ଦେଶ ଆଗ୍ରହୀ। ଏଥିନିମନ୍ତେ ଆକାଶ ମାର୍ଗକୁ ସୁଦୃଢ କରିବାକୁ ଦେଶରେ ଶହେରୁ ଅଧିକ ଏୟାରପୋର୍ଟ ସ୍ଥାପନ କରାଯାଇଛି। କେବଳ ସେତିକି ନୁହେଁ, ଅନ୍ତର୍ନିହିତ ଦକ୍ଷତା,  ରିସର୍ଚ୍ଚ, କୁଶଳ କ୍ଷମତା ଆଦିକୁ ବିନିଯୋଗ କରି ଆମେ ନୂଆ ନୂଆ ଜ୍ଞାନ ଆହରଣ କରିପାରିବା। ପରେ ଏହାଦ୍ୱାରା ଦେଶର ଅର୍ଥନୀତିକୁ ସଶକ୍ତ କରାଯାଇ ପାରିବ ବୋଲି ସେ କହିଛନ୍ତି । 

Bhubaneswar Otv Foresight