ରାଜ୍ୟରେ କେତେ ଜବତ ହୋଇଛି ବାଘ ଛାଲ? ମନ୍ତ୍ରୀଙ୍କ ଉତ୍ତର କରୁଛି କନ୍‌ଫ୍ୟୁଜ୍!

ଆଜି ବିଧାନସଭାରେ ବିଜେପି ବିଧାୟକ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଦେଇଥିବା ଉତ୍ତରରେ ୨୦-୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଗତ ୫ ବର୍ଷ ଭିତରେ ରାଜ୍ୟରେ ୪୭ ବାଘ ଛାଲ ସମେତ ବହୁ ସଂଖ୍ୟକ ବାଘ ନଖ ଓ ଅସ୍ତି ଜବତ ହୋଇଛି।

representational image

  • Published: Tuesday, 14 March 2023
  • , Updated: 14 March 2023, 07:59 PM IST

ରାଜ୍ୟରେ କେତେ ବାଘ ମରିଛନ୍ତି, କେତେ ସଂଖ୍ୟକ ବାଘ ଛାଲ ଓ ଦେହାବ ଶେଷ ଜବତ ହୋଇଛି, ଏହି ମାମଲାରେ କେତେ ଜଣ ଗିରଫ ହୋଇଛନ୍ତି ? ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ମନ୍ତ୍ରୀ ବିଭିନ୍ନ ସଦସ୍ୟଙ୍କୁ ଦେଉଥିବା ଉତ୍ତର ତଥ୍ୟରେ ବ୍ୟାପକ ତାଳମେଳର ଅଭାବ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ କନ୍‌ଫ୍ୟୁଜ୍!

ଆଜି ବିଧାନସଭାରେ ବିଜେପି ବିଧାୟକ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଜଣାଇଥିଲେ ୨୦-୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଗତ ୫ ବର୍ଷ ଭିତରେ ରାଜ୍ୟରେ ୪୭ ବାଘ ଛାଲ ସମେତ ବହୁ ସଂଖ୍ୟକ ବାଘ ନଖ ଓ ଅସ୍ତି ଜବତ ହୋଇଛି। ଯାହା ଭିତରୁ ୪୬ଟି ଚିତାବାଘ ଛାଲ। ବାଘ ଛାଲ ଚାଲାଣ କରୁଥିବା ୬୮ ଜଣଙ୍କୁ ଗିରଫ କରାଯାଇଛି। ୨୦୧୭-୧୮ରେ ୫ ବାଘ ଛାଲ ଜବତ କରାଯାଇଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି। ୨୦୧୮-୧୯ରେ ୩ ବାଘ ଛାଲ ଜବତ କରାଯାଇଥିବା ବେଳେ ୭ ଜଣଙ୍କୁ, ୨୦୧୯-୨୦ରେ ୨ ବାଘ ଛାଲ ଜବତ ହୋଇଥିବା ବେଳେ ୩ ଜଣଙ୍କୁ, ୨୦୨୦-୨୧ରେ ୮ ବାଘ ଛାଲ ଜବତ ହୋଇଥିବା ବେଳେ ୧୫ ଜଣଙ୍କୁ, ୨୦୨୧-୨୨ରେ ସର୍ବାଧିକ ୨୯ ବାଘ ଛାଲ ଜବତ ହୋଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଉଛି।

ମାତ୍ର ଗତ ମାସ ୨୮ ତାରିଖରେ ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ, ୨୦୧୯-୨୦ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ ବର୍ଷ ଭିତରେ ରାଜ୍ୟରେ କୌଣସି ବାଘର ମୃତ୍ୟୁ ହୋଇନି। ଯେତେବେଳେ କି ଗୋଟିଏ ବାଘ ଛାଲ ଓ ୯ ବାଘ ନଖ ଜବତ ହୋଇଛି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଯେତେବେଳେ କି ଏହି ଦିନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ କି ଗତ ୫ବର୍ଷ ଭିତରେ(୨୦୧୭-୧୮ରୁ ୨୦୨୧-୨୨ ଭିତରେ) ରାଜ୍ୟରେ ୨ଟି ବାଘଙ୍କ ସ୍ୱଭାବିକ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଘକୁ ଶିକାରୀ ମାରିଛନ୍ତି।

ଏଭଳି ବିଭ୍ରାନ୍ତିକର ଉତ୍ତରରୁ ସରକାର ବାଘ ସୁରକ୍ଷା ନିମନ୍ତେ କିପରି ଦାୟିତ୍ୱହୀନ ମନୋଭାବ ରଖୁଛନ୍ତି ଓ ବିଧାନସଭାରେ ବିଭ୍ରାନ୍ତ କରୁଛନ୍ତି ତାହା ଉଦ୍‌ବେଗର ବିଷୟ ହୋଇଛି।

ବନ ବିଭାଗ, ପୁଲିସ ଓ ଏସ୍‌ଟିଏଫ୍ ସୂତ୍ରରୁ ମିଳିଥିବା ମୁତାବକ, ଗତ ୩ ବର୍ଷରେ ୬୩ କଲରପତରିଆ ବାଘ ଛାଲ ଜବତ ହୋଇଛି। ୨୦୨୦-୨୧ ବର୍ଷରେ ରାଜ୍ୟରୁ ୨୧ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ବନ ବିଭାଗ ୧୧ଟି ଓ ଏସ୍‌ଟିଏଫ୍ ୧୦ ବାଘ ଛାଲ ଜବତ କରିଛି। ସେହିପରି ୨୦୨୧-୨୨ରେ ୩୧ଟି ବାଘ ଛାଲ ଜବତ ହୋଇଛି। ବନ ବିଭାଗ ଓ ଓୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ(ଡବ୍ୟୁସିସିବି) ମିଶି ୧୫ ବାଘ ଛାଲ ଜବତ କରିଥିବା ବେଳେ ଏସ୍‌ଟିଏଫ୍ ୧୪ଟି ଓ ପୁଲିସ ୨ଟି ବାଘ ଛାଲ ଜବତ କରିଥିଲା।

୨୦୨୨-୨୩ରେ ବନ ବିଭାଗ, ପୁଲିସ, ଏସ୍‌ଟିଏଫ୍ ପ୍ରାୟ ୧୧ଟି ବାଘ ଛାଲ ଜବତ କରିଛି। ହେଲେ ବିଧାସଭାରେ ମନ୍ତ୍ରୀ ରଖୁଥିବା ଉତ୍ତର ସହ ସରକାରୀ ତଥ୍ୟ ମେଳ ଖାଉ ନ ଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ତେଣୁ କାହା ତଥ୍ୟ ଓ ଉତ୍ତର ଠିକ୍ ତାହାକୁ ନେଇ ସାଧାରଣ ଲୋକେ କନ୍‌ଫ୍ୟୁଜ୍ ହେଉଛନ୍ତି।

Related story