Advertisment

ଗଠନ ହେଲା ’ଓଡ଼ିଶା ୱିମେନ୍ ଇନ୍ ମିଡିଆ’

ଏହି ପ୍ଲାଟଫର୍ମରେ କାର୍ଯ୍ୟରତ ମହିଳାମାନେ ନିଜର ବିଭିନ୍ନ ସମସ୍ୟା ଓ ବୃତ୍ତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ସମସ୍ୟା ଦୂର କରିପାରିବେ ବୋଲି ସେ କହିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
odisha women in media

odisha women in media

ଓଡ଼ିଶାର ଗଣମାଧ୍ୟମ କ୍ଷେତ୍ର ସହ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠିତ ସଂଗଠନ ‘ଓଡ଼ିଶା ୱିମେନ୍ ଇନ୍ ମିଡିଆ (ଓଡବ୍ଲୁଏମ୍‌)’ର ଶୁଭାରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଫୋରମ୍‌କୁ ବିଏମ୍‌ସି ମେୟର ସୁଲୋଚନା ଦାସ ଓ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମିନତି ବେହେରା ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଏହାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ।

Advertisment

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ର କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ଦାସ ନିଜ ସାମ୍ବାଦିକତା ଜୀବନର ଆହ୍ୱାନ, ସଂଘର୍ଷ ଓ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତେଣୁ ଏଭଳି ଏକ ଫୋରମ୍ ଗଠନ ଦ୍ୱାରା ତାଙ୍କର ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି ସେ କହିଥିଲେ। ଏହି ପ୍ଲାଟଫର୍ମରେ କାର୍ଯ୍ୟରତ ମହିଳାମାନେ ନିଜର ବିଭିନ୍ନ ସମସ୍ୟା ଓ ବୃତ୍ତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ସମସ୍ୟା ଦୂର କରିପାରିବେ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ।

ତେବେ ସେମାନେ ନୈତିକ ମୂଲ୍ୟବୋଧକୁ ନ ଭୁଲି କାର୍ଯ୍ୟ କରିବାକୁ ମେୟର ଶ୍ରୀମତୀ ଦାସ ପରାମର୍ଶ ଦେଇଥିଲେ। ସେହିପରି ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ବେହେରା ଫୋରମ୍‌କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର କାୟା ବିସ୍ତାର ହେଉ ବୋଲି ଆଶା ପ୍ରକାଶ କରିଥିଲେ।

Advertisment

ସୂଚନାଯୋଗ୍ୟ ଯେ ଗଣମାଧ୍ୟମ କ୍ଷେତ୍ରରେ ଲିଙ୍ଗଗତ ସମାନତା ଆଧାରରେ କାର୍ଯ୍ୟ କରିବା ସହ ମହିଳାମାନଙ୍କ ଉନ୍ନତି, ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବା ଉଦ୍ଦେଶ୍ୟ ରଖି ଓଡ଼ିଶା ୱିମେନ୍ ଇନ୍ ମିଡିଆ ଟ୍ରଷ୍ଟ ଗଠିତ ହୋଇଛି। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଟ୍ରଷ୍ଟର ଉଦ୍ଦେଶ୍ୟ। ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା କସ୍ତୁରୀ ରାୟ, ଉପାଧ୍ୟକ୍ଷା ଶାରଦା ଲାହଙ୍ଗିର୍‌ ଓ ସମ୍ପାଦିକା ମିନତି ସିଂହଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଏବଂ ଶତାଧିକ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ।

Bhubaneswar