Lecturers Demand
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା। ଏହି ସମୟରେ ୬୬୨ ବର୍ଗ ଅଧ୍ୟାପକ ଧାରଣାରେ ବସିଥିବାରୁ ପରୀକ୍ଷା ପରିଚାଳନା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି ଘୋଷଣା କରିଛନ୍ତି ୬୬୨ ବର୍ଗ ଅଧ୍ୟାପକ ।
ରାଜ୍ୟ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ୬୬୨ ବର୍ଗ ଅଧ୍ୟାପକ ସଂଘ ପକ୍ଷରୁ କୁହାଯାଇଛି । ମାତ୍ର ଆସନ୍ତା ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।
୬୬୨ ବର୍ଗର ହଜାର ହଜାର ଅଧ୍ୟାପକ ପ୍ରାୟ ୨୦ ଦିନ ହେବ ୪ ଦଫା ଦାବି ପୂରଣ କରିବାକୁ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ସେମାନେ ନିଜ ଜିଦ୍ରେ ଅଡ଼ି ବସିଥିବା ବେଳେ ପରୀକ୍ଷା ପରିଚାଳନା ନେଇ ଏକପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।
ଏହି ସମୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଗଠିତ ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି ସହ ଆଜି ଅଧ୍ୟାପକଙ୍କ ପ୍ରତିନିଧୀ ମଣ୍ଡଳୀର ଆଲୋଚନା ହୋଇଥିଲା। ଏହି ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବି ଉପସ୍ଥିତି ଥିଲେ।
ଆଲୋଚନା ବେଳେ ଅଧ୍ୟାପକମାନଙ୍କ ଦାବି ଶୁଣିବା ସହ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମନ୍ତ୍ରୀ। ଏଥିସହ ଆସନ୍ତା ୧୨ ତାରିଖ ମଧ୍ୟରେ ପୁନର୍ବାର କମିଟିର ବୈଠକ ବସି ଅଧ୍ୟାପକଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ପରୀକ୍ଷାରେ ସାମିଲ ହୋଇଥିବା କହିଛନ୍ତି। ଏହି ସମୟରେ ପୂର୍ବ ପରି ପ୍ରତିକାତ୍ମକ ଧାରଣା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ସଂଘ ସଭାପତି ଗୋଲକ ନାୟକ । ପ୍ରତିଶ୍ରୁତି ମୁତାବକ ୧୨ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us