Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଘନେଇଲାଣି ବାତ୍ୟା

ଆସନ୍ତାକାଲି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
low-pressure

low-pressure

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା।  ଉତ୍ତର-ଉତ୍ତର ପଶ୍ଚିମକୁ ଗତି କରି ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ। ୧୨ ତାରିଖ ପରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ।

ଶ୍ରୀ ମହାପାତ୍ର କହିଛନ୍ତି, ୧୨ ତାରିଖ ପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି। ବାତ୍ୟାର ଗତିପଥ ବଦଳି ବାଂଲାଦେଶ ଓ ମିଆଁମାର ମୁହାଁ ହେବା ସମ୍ଭାବନା ରହିଛି। ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁପାରେ।

Advertisment

୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଡିଜି। ସେହିପରି ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଚାଲି ଆସିବାକୁ ସେ କହିଛନ୍ତି।

ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ- ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ। ବର୍ଷା ଓ ପବନ ନେଇ ମଧ୍ୟ କିଛି ୱାର୍ଣ୍ଣିଂ ନାହିଁ। ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତା’ ଉପରେ ଆମେ ଧ୍ୟାନ ରଖିଛୁ।

ଅନ୍ୟପକ୍ଷରେ କିଛି ଦିନର ବ୍ରେକ୍ ପରେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ କିଛି ସହରରେ ଅସମ୍ଭାଳ ତାତି ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୦.୬, ହୀରାକୁଦରେ ୩୯.୬, ଚାନ୍ଦବାଲିରେ ୩୮.୨, ଭୁବନେଶ୍ୱରରେ ୩୭.୪, କେନ୍ଦୁଝରରେ ୩୬, ବାଲେଶ୍ୱରରେ ୩୪.୬, ପୁରୀରେ ୩୪.୪, ଗୋପାଳପୁରରେ ୩୩.୮ ଓ ପାରାଦୀପରେ ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି। 

Low Pressure Weather Report Weather Condiction